ଅନୁଗାମୀଙ୍କ ଜରିଆରେ ପୁଣି ପୂର୍ବ ମୁଦ୍ରାକୁ ଫେରୁଛନ୍ତି କି ସାରଥୀ ?

ବାଲେଶ୍ୱରର ଔପଦା ଏବଂ ମାଲକାନଗିରିରେ ମାତିଲେ ସାରଥୀ ପ୍ରେମୀ ।

Sarathi Baba

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ନୂଆଗାଁ ଶାସନରେ ଘଣ୍ଟ, ହୁଳହୁଳି ସାଙ୍ଗକୁ ବାଜୁଛି ଝାଞ୍ଜ ମୃଦଙ୍ଗ । କମ୍ପୁଛି ପୂରା ପରିବେଶ । ଭକ୍ତି ରସରେ ମତୁଆଲା ଭକ୍ତ । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା ସାରଥୀଙ୍କ ପ୍ରବଚନ କାର୍ଯ୍ୟକ୍ରମରେ । ଏହା ସ୍ପଷ୍ଟ କରୁଛି ଯେ ପୁଣି ମାତିଲେଣି ସାରଥୀଙ୍କ ଅନୁଗାମୀ । ଖାଲି ସେତିକି ନୁହେଁ, ଅନୁଗାମୀମାନେ ସାରଥୀଙ୍କୁ କଳିଯୁଗର ଚଳନ୍ତି ଠାକୁର କହି ପୂଜୁଛନ୍ତି । ଜୟଜୟକାର ଗାନ କରୁଛନ୍ତି । ସିଂହାସନରେ ସାରଥୀଙ୍କ ଫଟୋ ରଖି ଧୂପ ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

ସାରଥୀଙ୍କ ଫଟୋ ସାଙ୍ଗକୁ ପୁସ୍ତକ, ଷ୍ଟିକର ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୟ କରୁଛନ୍ତି । ସାରଥୀ ଅନୁଗାମୀଙ୍କ କହିବା କଥା, ସାରଥୀ ସେମାନଙ୍କ ପ୍ରଭୁ, ଭଗବାନ ଓ ଜଗଦ୍‌ଗୁରୁ । ତାଙ୍କ ନିକଟରେ ଆମର ଅଗାଢ଼ ବିଶ୍ୱାସ ଓ ଭକ୍ତି ରହିଛି । ଏନେଇ ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ ।

ଜଣେ ମେଡିକାଲ ଛାତ୍ରୀଙ୍କ ସହ ସମ୍ପର୍କକୁ ନେଇ ୨୦୧୫ ମସିହାରେ ବିବାଦୀୟ ହୋଇପଡ଼ିଥିଲେ କେନ୍ଦ୍ରାପଡ଼ା ବାରିମୂଳରେ ବିଶାଳ ଆଶ୍ରମ କରିଥିବା ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ପରେ ପରେ ଆର୍ଥିକ ଅନିୟମିତତା, ଧାର୍ମିକ ଭାବନାକୁ ଆଘାତ, ଯୌନ ଶୋଷଣ ଓ ଠକେଇ ଭଳି ଏକାଧିକ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିଲେ । ଏହାପରେ ୨୦୧୯ରେ ଜେଲ୍‌ରୁ ମୁକୁଳିଥିଲେ ଆତ୍ମଘୋଷିତ ବାବା ସାରଥୀ । ହେଲେ ସେବେଠାରୁ ସାରଥୀଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନି । କିନ୍ତୁ ସାରଥୀ ଭକ୍ତମାନେ ପୁଣି ସକ୍ରିୟ ହେବା ଆରମ୍ଭ କରିଛନ୍ତି ।

କେବଳ ସୋର ନୁହେଁ, ସୁଦୂର ମାଲକାନଗିରିରେ ବି ମାତିଲେଣି ସାରଥୀ ଅନୁଗାମୀ । ଆଜି ଏକ କାର୍ ଯୋଗେ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି ସାରଥୀଙ୍କ ପାଦୁକା । ଘଣ୍ଟ, ହୁଳହୁଳି, ତୁରୀ ସାଙ୍ଗକୁ ନଡ଼ିଆ ବାଡ଼େଇ ସାରଥୀଙ୍କ ପାଦୁକା ପୂଜା କରିଛନ୍ତି ସାରଥୀ ଅନୁଗାମୀ । ଏମିତିକି ଶହ ଶହ ଭକ୍ତଙ୍କ ଗହଣରେ ସାରଥୀଙ୍କ ପାଦୁକା ସତ୍‌ସଙ୍ଗ ବି ହୋଇଛି ।

ସାରଥୀ ଜେଲରୁ ମୁକୁଳିବାର ୩ ବର୍ଷ ହୋଇଗଲାଣି । ହେଲେ ବର୍ତ୍ତମାନ ଯାଏଁ କୌଣସି ସର୍ବସାଧାରଣ ସ୍ଥାନରେ ସେ ନଜର ଆସିନାହାନ୍ତି । କିନ୍ତୁ ଅନୁଗାମୀଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର କରାଇ ପୁଣିଥରେ ନିଜ ଧର୍ମ ବେଉସା ମେଲିବାକୁ ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି ।