Advertisment

ଫୁଲ କୋବି କିଲୋ ୨ ଟଙ୍କା, ଆହୁରି ଶସ୍ତାରେ ମାଗୁଛନ୍ତି ବେପାରୀ

ଶୀତଳଭଣ୍ଡାର ଅସୁବିଧା ଓ ଅଭାବୀ ବିକ୍ରି ଡର । ବାଧ୍ୟ ହୋଇ ମୂଳଠୁ କମରେ ବିକୁଛି ଚାଷୀ ।

Cabage

Cabage

Advertisment

ବିଲରେ ହସୁଛି ସୁନାର ଫସଲ। କିଆରି ଭର୍ତ୍ତି କୋବି। ସବୁଜ ଫର ଫର ପତ୍ର ଭିତରେ ଫଳିଛି ମଲିଫୁଲିଆ ଫୁଲକୋବି। ଏକର ଏକର କ୍ଷେତ ପୁରା ପୁରି ସଜ, ଦେଶୀ କୋବିରେ ଭର୍ତ୍ତି। ହେଲେ ଅମଳ ଫସଲକୁ ଦେଖି ଚାଷୀ କିନ୍ତୁ ନାଖୁସ। କାରଣ, ତିନି ମାସ ଦିନ ରାତି ଏକ କରି ବିଲରେ ଯେଉଁ ଫସଲ ଫଳାଇଥିଲା ଅମଳ ବେଳକୁ ତାର ଆଉ ଦର ନାହିଁ। କୋବି କିଲୋ ମାତ୍ର ୨ରୁ ୩ ଟଙ୍କା। ବ୍ୟବସାୟୀ, ବିଲରେ ଚାଷୀଙ୍କୁ ୨ଟଙ୍କାରେ ମୂଲଉଛନ୍ତି। ଚାଷୀ ବି ଦେବାକୁ ବାଧ୍ୟ, କାରଣ, ନଦେଲେ ବିଲରେ ରହି ପରିବା ନଷ୍ଟ ହେବା ସାର।

Advertisment

କୋବି ଅଭାବୀ ବିକ୍ରିର ଏଦୃଶ୍ୟ ଗଞ୍ଜାମର। ବ୍ଳକର ସାନ ରାମଚନ୍ଦ୍ରପୁର, ଝାରେଡି,ରାଧାଗୋବିନ୍ଦପୁର ଓ ସୁବଳୟା ପଂଚାୟତରେ ଚଳିତ ବର୍ଷ ବିଲ ଭର୍ତି କୋବି ଅମଳ ହୋଇଛି। ଚାଷୀ,ବିହନ ୧୦ ଗ୍ରାମକୁ ୫ଶହରୁ ୭ ଶହ ଟଙ୍କାରେ କିଣି ବିଲରେ ବୁଣିଥିଲା। ଭଲ ଫସଲ ପାଇଁ ହଜାର ହଜାର ଟଙ୍କାର ଖତ, ସାର ଦେଇଥିଲା। ଏବେ ମୁଲିଆ ଲଗାଇ ତୋଳୁଛି। ହେଲେ ବିକ୍ରି ବେଳକୁ ମଜୁରୀ ଟଙ୍କା ବି ବାହାରୁନି। ଯଦିି ସରକାର ଶୀତଳ ଭଣ୍ଡାର କରି କୋବି ରଖିଥାନ୍ତେ ଏବଂ ବାହାର ରାଜ୍ୟରେ ବିକ୍ରି ପାଇଁ ବ୍ୟବସ୍ଥା କରିଥାନ୍ତେ, ତେବେ ଭଲ ଦି ପଇସା ମିଳିଥାନ୍ତା ବୋଲି କହିଛନ୍ତି ଚାଷୀ।

ଖାଲି ଗଞ୍ଜାମ କାହିଁକି ଉପକୂଳରେ ବି ସ୍ଥିତି ସମାନ। କିଛିଦିନ ପୂର୍ବରୁ ଯେଉଁ କୋବିକୁ ଚାଷୀ ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଥିଲା ଏବେ ତାହା ମାତ୍ର ୨ରୁ ୩ଟଙ୍କା। ବେପାରୀ ଚାଷୀଙ୍କଠାରୁ ଶାଗ ମାଛ ଦରରେ କୋବି କିଣି ବଜାରରେ ୧୦ ଗୁଣା ଅଧିକ ଦରରେ ବିକ୍ରି କରୁଛନ୍ତି। (ଆଠଗଡ).. ରାଜ୍ୟର ପରିବା ଝୁଡି ଭାବେ ପରିଚିତ ଆଠଗଡରେ ବି ଏଥର ଭଲ ଅମଳ ହୋଇଛି। ଫୁଲକୋବି, ବନ୍ଧାକୋବି, ବିଲାତି, ବାଇଗଣ ଭଳି ପରିବାରେ ବିଲ ଭର୍ତ୍ତି।

Advertisment

ହେଲେ ବଜାରରେ ଚାହିଦା ଓ ଦରଦାମ କମିଯିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି। ଶୀତଳଭଣ୍ଡାରଟିଏ ନଥିବାରୁ କଷ୍ଟ ଉପାର୍ଜିତ ପରିବା ସାଇତି ନପାରି ଶସ୍ତାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛି। ଉପକୂଳରୁ ଦକ୍ଷିଣ, ସବୁଠି ସ୍ଥିତି ସମାନ ଆଉ ଚାଷୀର ସମସ୍ୟା ବି। ଶୀତଳ ଭଣ୍ଡାର ନାହିଁ। ସେଥିପାଇଁ ତ ଭଲ ଅମଳ ବେଳକୁ ଦାଉ ସାଧୁଛି ଅଭାବୀ ବିକ୍ରି। 

Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ