• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମିଷକୁ ପ୍ରାଣ ଭୟ । ଆମିଷ ଖାଇଲେ ଚୋଟ ମାରି ଗୋଖର ସାପ ଜୀବନ ନେଇଯିବ । ଆଖି ଫୁଟିଯିବ ନହେଲେ ଜୀବନ ଚାଲିଯିବ। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିଲେ ବି ଏମିତି ବିଶ୍ୱାସ ରହି ଆସିଛି ଢେଙ୍କାନାଳ ଜିଲ୍ଲାର ଏକ ଗାଁରେ । ଏ ବିଶ୍ୱାସ ଆଜି କି କାଲିର ନୁହେଁ, କାହୁଁ କେଉଁ କାଳୁ ରାଜରାଜୁଡା ଅମଳରୁ ଗାଁର ଲୋକେ ଏ କଥାକୁ ବିଶ୍ୱାସ କରି ଆସୁଛନ୍ତି। ଆଉ ସେଇଥି ପାଇଁ ଗାଁରେ ନା କେହି ଆମିଷ ଖାଆନ୍ତି, ନା ଏ ଗାଁରେ ଆମିଷ ପଶେ । ଏମିତି କି ଏ ଗାଁରେ କେହି ଛେଳି କୁକୁଡା ବତକ ମଧ୍ୟ ରଖି ନାହାନ୍ତି । ଏ ଗାଁର କୁକୁର ବିଲେଇ ମଧ୍ୟ ଆମିଷ ଖାଆନ୍ତି ନାହିଁ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ। କୁହାଯାଏ ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ଭୁବନ । ଆଉ ସେହି ଭୁବନ ବ୍ଲକ ମଧ୍ୟରେ ରହିଛି ବେଣ୍ଟ ଶାଳିଆ ଗାଁ । ବେଣ୍ଟଶାଳିଆ ଗାଁର ଲୋକେ ଆଜି ଯାଏଁ ଚାଖି ନାହାନ୍ତି ଆମିଷର ସ୍ୱାଦ । ନା ମାଛ ନା ମାଂସ, ନା ଅଣ୍ଡା… ଛୁଆ ଠୁ ବୁଢ଼ା କେହି ଖାଇ ନାହାନ୍ତି ମାଛ ମାଂସ । ଖାଲି ସେତିକି ନୁହେଁ ଏ ଗାଁରେ ବାହାଘର ହେଲେ ଭୋଜିଭାତ ସାଧା ଆଇଟମରେ ହିଁ କାମ ଚଳେ । ଆମିଷର ଚିହ୍ନ ବର୍ଣ୍ଣ ନାହିଁ । ଆଉ ଏ ଗାଁକୁ ବୋହୂ ହୋଇ ସେଇ ଘରୁ ଝିଅ ଆସିବ ଯେଉଁ ଘରେ କେହି ଆମିଷ ଖାଉ ନଥିବେ ।

ହେଲେ କାହିଁକି ଏମିତି କେବେଠୁ ରହିଛି ଏ ପରମ୍ପରା। ଏ ପରମ୍ପରା ପଛର ରହସ୍ୟ କଣ ତା ଭିତରେ ରହିଛି କେତେ କେତେ କଥା । ତା ଭିତରୁ ଗୋଟିଏ କଥା ହେଲା ଜଣେ ମାଛ ବ୍ୟବସାୟୀ ଥରେ ଏ ଗାଁକୁ ପଶି ଆସିଥିଲା । ସେତେବେଳେ ଭାଗବତ ସଂକୀର୍ତ୍ତନ ଚାଲିଥାଏ । ଲୋକେ ତାକୁ ଗାଁ ଭିତରକୁ ଆସିବାକୁ ବାରଣ କଲେ। ହେଲେ ସେ ନ ମାନି ଗାଁ ଭିତର ଦେଇ ଯିବାରୁ ତାକୁ ଅଧା ବାଟରେ ହିଁ ସାପ କାମୁଡ଼ି ଦେଇଥିଲା ।

ଖାଲି ସେତିକି ନୁହେଁ, ରାଜରାଜୁଡ଼ା ସମୟରେ ଜଣେ ରାଜା ମଧ୍ୟ ଏ ଗ୍ରାମବାସୀଙ୍କ ଆମିଷ ନ ଖାଇବା କଥାକୁ ନା ପସନ୍ଦ କରିଥିଲେ । ସେ ବି କହିଥିଲେ ତମେ ଏମିତି କେଉଁ ବୈଷ୍ଣବ ଯେ ଆମିଷ ଖାଇବ ନାହିଁ । ମୁଁ ତୁମକୁ ପରୀକ୍ଷା କରିବି। ଆଉ ସେ ପରୀକ୍ଷା କରିଥିଲେ । ଆଉ ପରୀକ୍ଷା ପରେ ସେ ନିଜେ ଗାଁ ଲୋକଙ୍କୁ ଆମିଷ ଖାଇବା ପାଇଁ ମନା କରିଦେଇଥିଲେ ଏବଂ ଲୋକଙ୍କ ପାଇଁ ୬୦ ଏକର ଗାଁ ଛାଡ଼ି ଦେଇଥିଲେ ।

ଅନ୍ୟପଟେ ଗାଁର ସ୍କୁଲରେ ମଧ୍ୟ ପିଲାଙ୍କୁ ଅଣ୍ଡା ଦିଆଯାଏ ନାହିଁ । ଅଣ୍ଡା ବଦଳରେ ଫଳମୂଳ ବିସ୍କୁଟ୍ ଆଦି ଦିଆଯାଏ । ଜିଲ୍ଲା ପ୍ରଶାସନ ମଧ୍ୟ ଗାଁ ଲୋକଙ୍କ ବିଶ୍ୱାସକୁ ମାନିଛି । ଆଜିର ଆଧୁନିକ ଯୁଗରେ ବିଜ୍ଞାନ ସମୟରେ ଆମିଷ ଖାଇବା ନ ଖାଇବା ପ୍ରସଙ୍ଗରେ କେତେ ଯୁକ୍ତିତର୍କ ଉଠୁଥିବା ବେଳେ ଏ ଗାଁର ଯୁବପିଢୀ ବାହାରେ ଯାଇ ଚାକିରି ବାକିରି କରୁଥିଲେ ମଧ୍ୟ କେହି ଆମିଷ ଖାଆନ୍ତି ନାହିଁ । ଏ ବିଶ୍ୱାସ ବାପ ଅଜା ଅମଳରୁ ରହି ଆସିଥିବାରୁ ସମସ୍ତେ ମାନୁଛନ୍ତି । ରାଜା ପରୀକ୍ଷା କରିବା ପରେ ଯେତେବେଳ ଗୋଖର ସାପ କାମୁଡିଲା ନାହିଁ, ସେବେଠାରୁ ଏ ଗ୍ରାମବାସୀଙ୍କ ବିଶ୍ୱାସକୁ ସମ୍ମାନ ଦେଇ ଜମି ଚଷିବାକୁ ଦେଇଛନ୍ତି ।

(ରିପୋର୍ଟ -ରାଜଶ୍ରୀ ଶତପଥୀ, ଢେଙ୍କାନାଳ)