• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଝିଅ ନୁହେଁ ପୁଅ ଜନମ ପର ଘରକୁ  । ଝିଅ ପରଘରକୁ ଯିବାର ପରମ୍ପରା ବଦଳି ଯିବ । ଆଉ  ତା ସହ ବଦଳି ଯିବ ସେ ପୁରୁଣା ପ୍ରବାଦ । ଗାଡି ଚଢି କନ୍ୟାଯାତ୍ରୀଙ୍କୁ ସାଙ୍ଗରେ ଧରି ବାଣରୋଷଣୀ ସହ ପୁଅ ଘରକୁ ଯିବ କନିଆ । ଧୁମଧାମରେ ପାରମ୍ପରିକ ରୀତିରିବାଜରେ ହେବ ବାହାଘର । ହୁଏତ ପୂଜାବିଧିରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡିପାରେ । ଆଉ ବାହାଘର ସରିଲେ ପୁଅକୁ ଧରି ଝିଅ ଫେରିବ ନିଜ ଘରକୁ । ଏସବୁ କଥା ଗପ ପରି ଲାଗୁ ଥାଇପାରେ । କାରଣ ଏହା ଆମ ସଂସ୍କୃତି, ପରମ୍ପରାର ଠିକ ଓଲଟା । କିନ୍ତୁ ଏ ଗପ ସତ ହେବାକୁ ଆଉ ବେଶି ଡେରି ନାହିଁ । ପରିବର୍ତ୍ତନର ପଦଧ୍ୱନି କେଉଁଠି ନା କେଉଁଠି ଶୁଣିବାକୁ ମିଳିଲାଣି ।

ମଧ୍ୟପ୍ରଦେଶର ଖଣ୍ଡବାରେ ଠିକ ଏମିତି ପରମ୍ପରାରେ ଏକ ବିବାହ ସମ୍ପନ୍ନ ହୋଇଯାଇଛି । ଏଠାରେ ଝିଅ ବଧୂ ବେଶରେ ନିଜକୁ ସଜାଇ ଘୋଡା ଉପରେ ବସି କନ୍ୟଯାତ୍ରୀ ନେଇ ବରଘରକୁ ବାହା ହେବା ପାଇଁ ଯାଉଛି । ଭାଇରାଲ ହୋଇଥିବା ଏହି ବାହାଘର ଭିଡିଓରେ ଦେଖିବାକୁ ମିଳିଛି, ଡିଜେ ବାଜୁଥିଲା । ଡିଜେର ତାଳେ ତାଳେ କନ୍ୟାଯାତ୍ରୀମାନେ ଝୁମି ଝୁମି ନାଚୁଥିଲେ ।  କନ୍ୟାଯାତ୍ରୀଙ୍କ ମଧ୍ୟରେ ମହିଳା, ପୁରୁଷ ଉଭୟେ ଥିଲେ ଓ ସମସ୍ତେ ନାଚୁଥିଲେ । ମାହୋଲ ବେଶ ସାଧାରଣ ଥିଲା । କେହି ବିରୋଧ କରୁ ନ ଥିଲେ, ଆଶ୍ଚର୍ଯ୍ୟ ବି ହେଉ ନ ଥିଲେ । ବରଂ ଉପଭୋଗ କରୁଥିଲେ । ଜଣେ ପିତାର ସ୍ୱପ୍ନ ପୂରଣ କରିବାକୁ ଯାଇ ଏପରି ଏକ ବିବାହର ଆୟୋଜନ କରାଯାଇଛି । 

ଖଣ୍ଡବାର ୮ କିଲୋମିଟର ଦୂର ସୁରଗାଁଓ ଯୋଶୀ ଗ୍ରାମ  । ଗାଁର ଜଣେ ଚାଷୀ ନାନାଜୀ ଚୌଧୁରୀଙ୍କ ଝିଅ ବାହାଘରକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା । ନାନାଜୀ ଚୌଧୁରୀ ନିଜ ଝିଅକୁ ପୁଅ ବୋଲି ଭାବି ତା’ର ଲାଳନପାଳନ ଅତି ଗେଲବସରରେ କରିଥିଲେ । ତେଣୁ ଝିଅର ବିବାହରେ ପୁଅ ବିବାହର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପରମ୍ପରାକୁ ଭାଙ୍ଗି ଦେଇଥିଲେ । ଝିଅ ନବବଧୂ ବେଶରେ ସଜାଇ ହୋଇ ଘୋଡା ଉପରେ ବସିବା ପରେ ବାରାତ ବାହାରିଥିଲା ।  ନାଚଗୀତ ଭିତରେ ଝିଅ ପହଞ୍ଚିଥିଲା ପୁଅ ଘରେ ।

ନାନାଜୀ ଚୌଧୁରୀଙ୍କ ଝିଅ ଶୁଭଶ୍ରୀଙ୍କର ବିବାହ  ଖଣ୍ଡବାର ଅଜୟ ଜିରାତିଙ୍କ ସହ ହୋଇଥିଲା । ଅଜୟ  ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ଝିଅର ଇଚ୍ଛା ପୂରଣ କରିବାକୁ ଯାଇ ପରମ୍ପରା ଭାଙ୍ଗି ଦେଇଥିଲେ ବୋଲ କହନ୍ତି ନାନାଜୀ । ସେହିପରି କନ୍ୟାର ଭାଇ ରବୀନ୍ଦ୍ର ଚୌଧୁରୀ କହନ୍ତି, ଝିଅ ଆମ ଘରର ଲକ୍ଷ୍ମୀ । ତାର ମଧ୍ୟ ଇଚ୍ଛା ଥିବ ଯେ ସେ ବି ଘୋଡା ଉପରେ ପୁଅମାନଙ୍କ ପରି ବସିବ । ତେଣୁ ତାର ଇଚ୍ଛା ପୂରଣ କରିବାକୁ ଯାଇ ଆମେ ସବୁ ପରମ୍ପରା ଭାଙ୍ଗି ତାକୁ ଘୋଡା ଉପରେ ବସାଇ ନେଇଥିଲୁ । ଏଥିରେ ଗ୍ରାମବାସୀ ବି ତାଙ୍କୁ ଖୁବ ସହଯୋଗ କରିଥିଲେ । 

ସେହିପରି ନିଜେ ଭାଗ୍ୟଶ୍ରୀ କହିଛନ୍ତି, ବାପାଙ୍କର ସ୍ୱପ୍ନ ଥିଲା ଏବଂ ମୋ ମନରେ ବି କେଉଁଠି ଟିକିଏ ଇଚ୍ଛା ଥିଲା ପୁଅମାନଙ୍କ ପରି ମୁଁ ବ ଘୋଡାରେ ବସି ବହା ହେବାକୁ ଯିବି ।   ସେଥିପାଇଁ ଏପରି ଏକ ବାହାଘରର ଆୟୋଜନ ହୋଇଥିଲା । ପାଖାପାଖି ଏକ ଘଣ୍ଟା ଘୋଡା ଉପରେ ବସିଥିଲି ଯାହା ଖୁବ ଭଲ ଅନୁଭୂତି ଥିଲା ।  

ଯଦି କେବେ ଆମ ସମାଜରେ ବିବାହର ପାରମ୍ପରିକ ରୀତି ବଦଳିଯାଏ ତେବେ ଏହାର ସବୁ ପ୍ରଶଂସା ଭାଗ୍ୟଶ୍ରୀ ହିଁ ନେବେ । କାରଣ ଏପରି ପରିବର୍ତ୍ତନର ନିଅଁ ପକାଇବାକୁ ସେ ସାହସ କରିପାରିଛନ୍ତି । ତେବେ ପ୍ରଶ୍ନ ଉଠେ ଏମିତି ଏକ ପରମ୍ପରା କାହିଁକି ହେଲା ? କିଏ କଲା ଏବଂ କେବେଠୁ ହେଲା ? ଆରମ୍ଭରୁ କ’ଣ ଝିଅ ପରଘରକୁ ଯିବାର ପରମ୍ପରା ଏମିତି ରହି ଆସିଛି ? ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି ପରମ୍ପରା ବହୁତ ପୂର୍ବରୁ ନ ଥିଲା । ଗବେଷକମାନେ ଏହାର ପ୍ରମାଣ ପାଇ ସାରିଛନ୍ତି ।  ଆସନ୍ତୁ ଜାଣିବା, ଆମ ବିବାହ ପରମ୍ପରା ଉପରେ କିଛି ବିଶେଷ ତଥ୍ୟ ।

କହିବାକୁ ଗଲେ ପ୍ରାୟ ସବୁ ଦେଶରେ ବିବାହ ପରେ ଝିଅ ବିଦା ହୋଇ ପୁଅ ଘରକୁ ଯାଇଥାନ୍ତି । କାହିଁ କେଉଁ କାଳରୁ ଚଳି ଆସୁଛି ଏମିତି ପରମ୍ପରା । ହେଲେ ଏହି ପରମ୍ପରା ଆରମ୍ଭରୁ ନ ଥିଲା । ଏମିତି ଏକ ଦିନ ଥିଲା, ଯେଉଁଠି ପୁଅମାନେ ବିଦା ହୋଇ ଝିଅ ଘରକୁ ଯାଉଥିଲେ । ଏମିତି ପରମ୍ପରା ଲୌହ ଯୁଗରେ ଥିବା ଅନୁମାନ କରାଯାଉଛି । ଏକ ଡିଏନଏ ଷ୍ଟଡିରୁ ବୈଜ୍ଞାନିକମାନଙ୍କୁ ଏହି ତଥ୍ୟ ମିଳିଛି । ଏହି ଅଧ୍ୟୟନରୁ ଜାଣିବାକୁ ମିଳିଛି, ଲୌହ ଯୁଗରେ ବ୍ରିଟେନରେ ବିବାହ ପରେ ପୁଅମାନେ ଝିଅ ଘରେ ହିଁ ରହୁଥିଲେ । 

କିଏ କରିଥିଲେ ଅଧ୍ୟୟନ

ଏହି ଅଧ୍ୟୟନ ଡବଲିନ  ଟ୍ରିନିଟି କଲେଜର ଡ.ଲାରା କ୍ୟାସିଡିଙ୍କ ନେତୃତ୍ୱରେ କରାଯାଇଥିଲା । ସେ ‘ଦ ଗାର୍ଜିଆନ’କୁ ସୂଚନା ଦେଇ କହିଛନ୍ତି, ଇତିହାସରେ ଅଧିକାଂଶ ସମାଜ ପିତୃକୈନ୍ଦ୍ରିକ ଥିଲା । ବିବାହ ପରେ ଝିଅ ବୋହୂ ହୋଇ ପୁଅ ଘରକୁ ଯାଉଥିଲା ଓ ସେଠାରେ ରହୁଥିଲା ।

ଡ.କ୍ୟାସିଡିଙ୍କ କହିବା ଅନୁଯାୟୀ ଏମିତି ବି ଏକ ସମୟ ଥିଲା ଯେଉଁଠି ମାତୃକୈନ୍ଦ୍ରିକ ସମାଜ ଏକଦମ ସାଧାରଣ କଥା ଥିଲା । ଅତୀତରେ ମହିଳା, ସେମାନଙ୍କର ଭୁମିକା ଏବଂ ସମାଜରେ ତାଙ୍କର ପ୍ରଭାବ ସ୍ୱତନ୍ତ୍ର ଥିଲା ।  ଅତୀତରେ ନୁହେଁ, ଏବେ ବି ବିଶ୍ୱରେ ଅନେକ ସମାଜ ରହିଛି ଯେଉଁଠି ମହିଳାଙ୍କ ପାଖରେ ବହୁତ ଅଧିକ ଶକ୍ତି ଅଛି ଏବଂ ତାଙ୍କର ପ୍ରଭାବ ବି ରହିଛି ।

କ’ଣ ଥିଲା ଏହି ଅଧ୍ୟୟନ

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର ଡୋରମେଟରେ ଏକ କବରସ୍ଥାନରେ ୫୭ରୁ ଅଧିକ ଲୋକଙ୍କର ଜିନୋମର ଅଧ୍ୟୟନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଅଧିକାଂଶ ଡୁରୋଟ୍ରାଇଜେସ ଜାତିର ଲୋକ ଥିଲେ । ପ୍ରତ୍ନତତ୍ତ୍ୱବିଦଙ୍କ ପାଇଁ ଏହି କବରସ୍ଥାନ ଖୁବ ମହତ୍ୱ ରଖେ । କାରଣ ଏସବୁ ଲୌହ ଯୁଗର କବର ଏବଂ ଏହା ବିଶ୍ୱରେ ଖୁବ କ୍ୱଚିତ ମିଳିଥାଏ । ତା ସହିତ ଏହି କବରରେ ମହିଳାଙ୍କ ସହ ଅନେକ ଦାମୀ ଜିନିଷକୁ ରଖି କବର ଦିଆଯାଇଛି । ତେଣୁ ବୈଜ୍ଞାନିକମାନେ ଏହି କବରସ୍ଥାନକୁ ନେଇ ଗବେଷଣା କରିଥିଲେ ।

ଜେନେଟିକ ପ୍ରମାଣରୁ ଜଣାପଡିଥିଲା, ଉତ୍ତର ଲୌହ ଯୁଗରେ ରୋମାନ ଆକ୍ରମଣ ପୂର୍ବରୁ ଏହି ଇଲାକାରେ ମହିଳାମାନେ ପରସ୍ପରର ଖୁବ ନିକଟତର ସମ୍ପର୍କୀୟ ଥିଲେ । ଅନ୍ୟପକ୍ଷେ ପୁରୁଷମାନଙ୍କ ଜେନେଟିକରୁ ଏହି ପ୍ରମାଣ ମିଳି ନ ଥିଲା । ଏଥିରୁ ପ୍ରମାଣିତ ହୋଇଥିଲା ଯେ, ପୁରୁଷମାନେ ଏହି ପରିବାରକୁ ଅନ୍ୟ କେଉଁଠାରୁ ଆସିଥିଲେ । ଗବେଷକଙ୍କ କହିବା ଅନୁଯାୟୀ, ଏହା ସମ୍ଭବ ହୋଇପାରିବ ଯଦି ପୁରୁଷମାନେ ପତ୍ନୀଙ୍କ ପରିବାରରେ ରହିବେ ।  

ଡି.ଏନ.ଏ ଅଧ୍ୟୟନରୁ କ’ଣ ମିଳିଥିଲା ତଥ୍ୟ

ଡି.ଏନ.ଏ ଅଧ୍ୟୟନରୁ ଆହୁରି ସ୍ପଷ୍ଟ ହୋଇଥିଲା ଯେ, ଦୁଇ ତୃତୀୟାଂଶ ବ୍ୟକ୍ତି ଗୋଟିଏ ମାତୃବଂଶର ଥିଲେ । କବରସ୍ଥାନର ବ୍ୟବହାର ଖ୍ରୀଷ୍ଟପୂର୍ବ ୧୦୦ରୁ ଖ୍ରୀଷ୍ଟାବ୍ଦ ୨୦୦ ମଧ୍ୟରେ କରାଯାଉଥିଲା । ଗବେଷକଙ୍କ କହିବା ଅନୁଯାୟୀ, ବିବାହର ଏପରି ପରମ୍ପରା ୟୁରୋପୀୟ ସମାଜର ଇତିହାସରେ ପ୍ରଥମ ଥର ପାଇଁ ମିଳିଛି । ଏହି ଅଧ୍ୟୟନର ନିଷ୍କର୍ସ ‘ନେଚର ଜେନେରାଲ’ରେ ପ୍ରକାଶ ପାଇଛି ।

ଗବେଷକଙ୍କ କହିବା ଅନୁଯାୟୀ, ମହିଳାମାନଙ୍କର ଏପରି ଦୃଢ ପାରିବାରିକ ସମ୍ପର୍କରୁ ଏକଥା ସ୍ପଷ୍ଟ ହୋଇ ପାରିନି ଯେ ସେମାନେ ରାଜନୈତିକ କ୍ଷେତ୍ରରେ ବି ପ୍ରଭାବ ବିସ୍ତାର କରିଥିଲେ ବା କ୍ଷମତାର କେନ୍ଦ୍ରରେ ଥିଲେ । ତେବେ ଅଧ୍ୟୟନରୁ ଏକଥା ସ୍ପଷ୍ଟ ହୋଇଛି ଯେ, ସେ ସମୟରେ ମହିଳାମାନଙ୍କର ଜମିବାଡି ଓ ଅନ୍ୟାନ୍ୟ ସମ୍ପତ୍ତିରେ ଅଧିକାର ନିଶ୍ଚିତ ଭାବେ ଥିଲା ଏବଂ ମହିଳାଙ୍କୁ ସେତେବେଳେ ଦୃଢ ସାମାଜିକ ସମର୍ଥନ ମିଳୁଥିଲା ।

ଅଧ୍ୟୟନର ସହ ଲେଖକ ତଥା ବୋର୍ଣ୍ଣ ମାଉଥ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିଦ ମାଇଲ୍ସ ରସେଲ କହିଛନ୍ତି, ‘ଅଧ୍ୟୟନରୁ ଏକଥା ଜାଣିବାକୁ ମିଳିଛି ଯେ, ବ୍ରିଟେନ ସମାଜ ସେ ସମୟର ରୋମାନ ସମାଜ ତୁଳନାରେ  ଅଧିକ ସମତାବାଦୀ ଥିଲା । ଯେତେବେଳେ ରୋମାନମାନେ ଏଠାରେ ପହଞ୍ଚିଥିବେ ସେତେବେଳେ ମହିଳାଙ୍କର ଏପରି ପ୍ରଭାବଶାଳୀ ଭୂମିକା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ତେବେ କିଛି ଲୋକ ଏହା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି ।   

ଏହି ଲୋକମାନଙ୍କର ଧାରଣା ଯେ, ରୋମାନମାନେ ବ୍ରିଟିଶ ମହିଳାଙ୍କ ସ୍ୱାଧୀନତାକୁ କିଛି ବଢେଇ ଚଢେଇ କହୁଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏତେ ବର୍ଷ ପରେ ଆଜି ବି ବ୍ରିଟେନରେ ସର୍ବୋଚ୍ଚ ପଦ ଅର୍ଥାତ ରାଷ୍ଟ୍ରମୁଖ୍ୟର ମାନ୍ୟତା ବ୍ରିଟେନର ମହାରାଣୀଙ୍କୁ ଦିଆଯାଏ । ଯଦିଓ ବ୍ରିଟେନର ରାଷ୍ଟ୍ରମୁଖ ବ୍ରିଟେନର ରାଜା ଅଟନ୍ତି କିନ୍ତୁ ରାଣୀଙ୍କୁ ବେଶି ମର୍ଯ୍ୟଦା ମିଳିଥାଏ ।  

 

 

OTV is now on Whatsapp

Join and get latest news update delivered to you via whatsapp

Join Now