ଡେଙ୍ଗୁ ଡର ! ୧୬ ଜିଲ୍ଲା ମାଡ଼ିଲାଣି, ୧୭୫ ଆକ୍ରାନ୍ତ ଚିହ୍ନଟ...

କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।

Dengue

ବର୍ଷା ଋତୁ ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ୧୬ ଜିଲ୍ଲାରେ ମାଡ଼ିଲାଣି । ଆଉ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟତଃ ସ୍ମାର୍ଟସିଟି ଭୁବନେଶ୍ୱରର ସ୍ଥିତି ସଙ୍ଗୀନ । ରାଜଧାନୀ ପାଲଟି ଯାଇଛି ଡେଙ୍ଗୁ ହଟ୍‌ସ୍ପଟ । ଖୋର୍ଦ୍ଧା ଜିଲ୍ଲାରେ ୯୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୮୦ରୁ ଅଧିକ ପଜିଟିଭ ମାମଲା କେବଳ ଭୁବନେଶ୍ବରରୁ ଆସିଛି । 

ସାଲିଆ ସାହି ବସ୍ତି ପାଲଟିଛି ଡେଙ୍ଗୁ ଅନ୍ତୁଡ଼ିଶାଳ। କେବଳ ଏ ଅଞ୍ଚଳରୁ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି ୨୦ ଜଣ। ପ୍ରଶାସନ ପକ୍ଷରୁ ପରିମଳ ନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଲାଣି ଅସନ୍ତୋଷ। ସେହିଭଳି କ୍ୟାପିଟାଲ ହସ୍ପିଟାଲକୁ ଏବେ ପ୍ରତିଦିନ ୪-୫ ଜଣ ଡେଙ୍ଗୁ ରୋଗୀ ଆସୁଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । 

ସେପଟେ ଡେଙ୍ଗୁ ମୁକାବିଲା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଡେଙ୍ଗୁ ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସବୁ ଜିଲ୍ଲାକୁ ଜାରି ହୋଇଛି ଏସ୍ଓପି । ଡେଙ୍ଗୁ ଚିକିତ୍ସା ଲାଗି ଡେଡିକେଟେଡ୍ ବେଡ୍ ସମେତ ପର୍ଯ୍ୟାପ୍ତ ଔଷଧ, ରକ୍ତ, ପ୍ଲାଟିଲେଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୪୦ଟି ସେଣ୍ଟିନେଲ ସାଇଟରେ ଏଲିସା ପଦ୍ଧତିରେ ଡେଙ୍ଗୁ ଟେଷ୍ଟ କରାଯିବା ସହ ଟେଷ୍ଟିଂ ବଢ଼ାଯାଇଛି । 

ଡେଙ୍ଗୁ, ମ୍ୟାଲେରିଆ ସମେତ ବର୍ଷା ଋତୁରେ ଦେଖାଦେଉଥିବା ବିଭିନ୍ନ ଭେକ୍ଟରବାହକ ରୋଗ ମୁକାବିଲା ପାଇଁ ଦେଶବ୍ୟାପୀ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏଥିରେ ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ୨୨ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।