• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲଘୁଚାପ ଆସୁଛି ଯାଉଛି, ହେଲେ ସେ ବର୍ଷା ଚାଷକୁ ଅଣ୍ଟୁନି । ରାଜ୍ୟର ୧୧ ଜିଲ୍ଲାରେ ଅନାବୃଷ୍ଟି କାରଣରୁ ଧାନଚାଷର ବିକଳ ସ୍ଥିତି। ଭାଦ୍ରବରେ ବି ବହୁ ବ୍ଲକ୍‌ରେ ରୁଆ ବଛା ହୋଇନି । ଏଭଳି ସ୍ଥିତିରେ ତୈଳବୀଜ ଓ ମକା ଆଦି ଫସଲ କରିବାକୁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରି ଓୟୁଏଟି ପକ୍ଷରୁ ରାଜ୍ୟ କୃଷି ବିଭାଗ ପାଖକୁ ପଠାଯାଇଛି । ତେଣେ ପାଣିପାଗ ବିଭାଗ କହୁଛି ସେପଟେମ୍ବରରେ ଲଘୁଚାପ ବର୍ଷା ନିଅଣ୍ଟିଆ ବର୍ଷା ପରିମାଣ ଭରଣା କରିଦେବ ।

ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି । ଲଘୁଚାପ ଯୋଗୁଁ ଯେଉଁ କିଛି କିଛି ବର୍ଷା ହୋଇଛି, ସେଥିରେ ଖାଲ ଜମି ପାଦେ ପାଦେ ବୁଡ଼ିଛି ସତ, ହେଲେ ଗୋଟେ ବଡ଼ ଖରା ହୋଇଗଲେ ଦିନେ କି ଦୁଇଦିନ ଭିତରେ ସିଏ ବି ଶୁଖିଯିବ ବୋଲି ଚାଷୀଙ୍କ ଆଶଙ୍କା ।

ତେଣେ କେନାଲ ପାଣି ବି ଠିକ୍ ରେ ଆସୁନି । ଏସନ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ୧୧ ହଜାର ୧୭୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ସବୁଠି ସ୍ୱଳ୍ପବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଗଂଜାମ ଜିଲ୍ଲାରେ ବି ଚାଷର ଜଟିଳ ସ୍ଥିତି । ସେପଟେମ୍ବର ପହିଲା ସୁଦ୍ଧା ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଘାଣ୍ଟି ହେଉଛନ୍ତି ଏଠାକାର ଚାଷୀ । ଗଂଜାମ ଓ ପୁରୁଷୋତ୍ତମପୁର ବ୍ଲକରେ ରୁଆ ହୋଇନି, ତଳି ଜଳି ଯାଇଛି । ଜଳସେଚନ ସୁବିଧା ସ୍ୱପ୍ନ ଯୋଗୁଁ ଏବର୍ଷ ଦାନା ବୁଡ଼ିଯିବା ଏକପ୍ରକାର ନିଶ୍ଚିତ ବୋଲି ଚାଷୀ କହିଲେଣି ।

ଶ୍ରାବଣ ସରି ଭାଦ୍ରବ ଚାଲିଛି, ହେଲେ ଏଯାଏଁ ଧାନ ରୁଆ ସରିଲାନି । ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ୧୧ ଜିଲାରେ ଚାଷ ସ୍ଥିତି ସଂଗୀନ । ଅନାବୃଷ୍ଟି ରେଡ୍ ଜୋନ୍‌ରେ ଥିବା ଜିଲ୍ଲା ଗୁଡ଼ିକ ହେଲା ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀର । ୫ତାରିଖ ସୁଦ୍ଧା ସେସବୁ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ଭିତରେ ବର୍ଷା ହୋଇଛି । 

ଦୁଇ ଦିନ ଧରି ଲଘୁଚାପ ପ୍ରଭାବରେ କୋରାପୁଟ ଓ ନବରଙ୍ଗପୁରରେ ସ୍ଥିତି ସାମାନ୍ୟ ସୁଧୁରିଛି । ତେବେ ୪୧ଟି ବ୍ଲକରେ ସ୍ଥିତି ଗମ୍ଭୀର ସ୍ଥିତିରେ ରହିଛି । ସେଥିପାଇଁ ଢିପ ଜମି ଗୁଡ଼ିକରେ ଅଣଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି କୃଷି ବିଶେଷଜ୍ଞ । ଧାନକୁ ଛାଡି ତୈଳବୀଜ ଓ ମକା ଆଦି ଫସଲ କଲେ ଫାଇଦା ହେବ ବୋଲି କହିଛନ୍ତି । ସେଥିପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରି କୃଷି ବିଭାଗ ପାଖକୁ ବି ପଠାଇଛି ଓୟୁଏଟି ।

ଏଣେ ପାଣିପାଗ ବିଭାଗ କହୁଛି- ସକ୍ରିୟ ଲଘୁଚାପ ପ୍ରଭାବରେ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଦକ୍ଷିଣ, ଆଭ୍ୟନ୍ତରୀଣ, ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେଣୁ ସେପଟମ୍ବରରେ ଭଲ ବର୍ଷା ହେଲେ ଚାଷ ପାଇଁ ଉପାଦେୟ ହେବ । ଲଘୁଚାପ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଛି । ବାଲେଶ୍ୱରରେ ସର୍ବାଧିକ ୧୧୭ ମିଲମିଟର ବର୍ଷା ରେକର୍ଡ କରାଯାଇଛି ।

  • Reported by:
  • BIBARTAN PANDA , CHANDAN PAIKRAY , Partha Sarathi nayak , Silu Biswal