• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହେଲା ପାଣିର ଗାର । ଯେଉଁଥିପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଆସି ରାଜଧାନୀରେ ଧାରଣା ଦେଲେଣି । ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି ଶିକ୍ଷକ ତାତି ।ସେପଟେ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହିଲେ ପାଠ ପଢ଼ା ସହ ଆଡମିଶନ୍ ବି ପ୍ରଭାବିତ ହୋଇପାରେ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଶିକ୍ଷକମାନେ ଧୈର୍ଯ୍ୟ ଧରନ୍ତୁ ।

ସରକାରୀ ଆଦେଶକୁ ମାନୁନି ଗଣଶିକ୍ଷା ବିଭାଗ । ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଭଣ୍ଡାଉଛି ବିଭାଗ । ତେଜିଲା ଶିକ୍ଷକ ଆନ୍ଦୋଳନ । ରାଜଧାନୀର ରାଜା ରାସ୍ତାରେ ପୁଣି ଗୁରୁ ଗର୍ଜନ । ସରକାରକୁ ୨୪ ନିର୍ବାଚନରେ ଗାଦିଚ୍ୟୁତ କରିବାକୁ ଚେତାବନୀ । ଉତ୍କଳ ଦିବସରୁ ସରକାର ବିରୋଧୀ ନାରା ଦେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛି ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ । ଆଉ ଆଜି ସଙ୍ଘ ନିଜ ଶକ୍ତି ପ୍ରଦର୍ଶନ କରିଛି । ନିୟମିତ ବିଜ୍ଞପ୍ତି ପ୍ରକାଶ ନପାଇବା ଯାଏ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛି ।

୧୫ ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଘୋଷଣା ହେଲା ଯେ, ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା । ମାତ୍ର ପାଞ୍ଚ ମାସରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଗଣଶିକ୍ଷା ବିଭାଗରୁ ଏପ୍ରଥା ଉଠି ପାରିନି । ଆର୍ଥିକ ସମସ୍ୟା ଦେଖାଇ ସରକାର ୨୦୦୪ ରୁ ଚୁକ୍ତିଭିତ୍ତିକ ପ୍ରଥା ଆରମ୍ଭ କଲେ । ପ୍ରଥମେ ଶିକ୍ଷା ବିଭାଗରେ ଏହା ଲାଗୁ ହେଲା । ୨୦୧୩ରେ ସରକାର କଣ୍ଟ୍ରାକଚୁଆଲ ରୁଲ୍ ଆଣିଲେ। ଏହାପରେ ଅଧିକାଂଶ ବିଭାଗରେ ୨୦୧୩-୧୪ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଆରମ୍ଭ ହୋଇଥିଲା ।

ଏବେ ସବୁ ବିଭାଗରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହୋଇଛି । ମାତ୍ର ଗଣଶିକ୍ଷା ବିଭାଗରେ ଯେହେତୁ ପ୍ରଥା ୨୦୦୪ରୁ ଆରମ୍ଭ ହୋଇଛି ଏବଂ ପ୍ରାୟ ୩୫ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ସେଥିଲାଗି ଏହାକୁ ଲାଗୁ କରିବାକୁ ଅକଳରେ ପଡ଼ିଛି ବିଭାଗ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ବିରୋଧୀ । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ଆଲୋଚନା ଜାରି ଅଛି, ଶିକ୍ଷକମାନେ ଅପେକ୍ଷା କରନ୍ତୁ ।

ଗୋଟିଏ ପଟେ ନୂଆ ଶିକ୍ଷାବର୍ଷ ଆରମ୍ଭ ଅନ୍ୟପଟେ ଶିକ୍ଷକ ଆନ୍ଦୋଳନ । ଦାବି ପୂରଣ ଦିଗରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।