ଆସୁଛି ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ, ମାଲିକ ସଂଘଙ୍କ ହାତରେ ରହିବ ଜମିର ମାଲିକାନା

ଆପାର୍ଟମେଣ୍ଟ ମାଲିକଙ୍କ ଅଧିକାରରେ ରହିବ କମନ୍ ଏରିଆ, ଦୂର ହେବ ବିଲଡର ଓ ଆପାର୍ଟମେଣ୍ଟ ମାଲିକଙ୍କ ଝିନ୍‌ଝଟ୍‌ ।

RERA

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନକୁ ଗ୍ରୀନ ସିଗନାଲ । ବର୍ଷେ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନର ବାଟ ଫିଟୁଛି । ଆପାର୍ଟମେଣ୍ଟ ମାଲିକାନା ନିୟମ ଓ ରେରା ଆଇନ ମଧ୍ୟରେ ଥିବା ବିରୋଧାଭାସକୁ ଦୂର କରିବାକୁ ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି । ଏହା କ୍ୟାବିନେଟର ଅନୁମୋଦନ ଲାଭ କରିବା ପରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନର ବାଟ ଖୋଲିଛି । ନୂଆ ନିୟମ ଅନୁସାରେ ଆପାର୍ଟମେଣ୍ଟର କମନ୍ ଏରିଆ ଯଥା- ପାର୍କିଂ, ସୁଇମିଂ ପୁଲ, ପାର୍କ, କମ୍ୟୁନିଟି ହଲର ମାଲିକାନା ଆଲଟି ଆସୋସିଏସନ ପାଖରେ ରହିବ ।

ଆପାର୍ଟମେଣ୍ଟ ମାଲିକ ସଂଘକୁ ଜମି ଅଧିକାର ହସ୍ତାନ୍ତର କରାଯିବ । ବୁକିଂ ସମୟରୁ ହିଁ ଆଲଟି ଆସୋସିଏସନ ଗଠନ କରି ଏସବୁ ପ୍ରକ୍ରିୟା କରାଯାଇପାରିବ। ଏହା ସ୍ପଷ୍ଟ ହେବା ପରେ ବହୁ ଦିନ ଧରି ପଡ଼ି ରହିଥିବା ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିଛି ।

ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରି କରିବା ପରେ କମନ୍ ଏରିଆ ବିଲଡର୍ ମାଲିକାନାରେ ରହୁଥିଲା । ଏଥିପାଇଁ ଆପାର୍ଟମେଣ୍ଟ ସୋସାଇଟି ସହ ବିଲ୍‌ଡରଙ୍କ ବିବାଦ ଲାଗି ରହିଥିଲା । ଏହି କାରଣରୁ ବହୁ ଦିନ ଧରି ନୂଆ ତଥା ପୁରୁଣା ଆପାର୍ଟମେଣ୍ଟ କିଣାବିକା ହୋଇପାରୁନଥିଲା । ମାମଲା ହାଇକୋର୍ଟକୁ ମଧ୍ୟ ଯାଇଥିଲା । ରାଜ୍ୟ ସରକାର କୋର୍ଟରେ ଦର୍ଶାଇଥିଲେ ଯେ, ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ ଆଣିବାକୁ ଯାଉଛନ୍ତି । ସେଇ ନୂଆ ନିୟମ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଆଇନରେ ପରିଣତ ହେଲେ ଉଭୟ ବିଲଡର୍ ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥ ରକ୍ଷା କରିବ ବୋଲି କୁହାଯାଉଛି ।

ଆଲଟି ଆସୋସିଏସନ ପାଇଁ ପ୍ରସ୍ତୁତ ହେବ ବାଇ ଲ । ପ୍ରମୋଟରଙ୍କ ଉତ୍ତରଦାୟିତ୍ୱ ଓ ଆପାର୍ଟମେଣ୍ଟ ମାଲିକଙ୍କ ଅଧିକାର ତଥା ଦାୟିତ୍ୱ ଏଥିରେ ଉଲ୍ଲେଖ ରହିବ । ରେରା ଅଧୀନରେ ଏସବୁ ରହିବ, ଯାହାର ମନିଟରିଂ ରେରା ହିଁ କରିବ । ଯଦି କାହାର କିଛି ଆପତ୍ତି ଥିବ, ସେ ରେରା ପାଖରେ ଅଭିଯୋଗ କରିପାରିବ । ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ ରେରା ।