Advertisment

ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ; ଆକାଶମାର୍ଗରେ ଆସିବ ଜରୁରୀ ଔଷଧ

ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ?

author-image
Manoranjan Behera
ଅଦ୍ୟତନ ହୋଇଛି
Health Service

Health Service

ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଅଧ୍ୟାୟ। ଡ୍ରୋନ ଯୋଗେ ସେବା ଯୋଗାଇବ ଏମ୍ସ ଭୁବନେଶ୍ୱର। ବିପର୍ଯ୍ୟୟ ଓ ଜରୁରୀ ସ୍ଥିତିରେ ଅପହଞ୍ଚ ଇଲାକାରେ ଡ୍ରୋନ ପହଞ୍ଚାଇବ ସ୍ୱାସ୍ଥ୍ୟସେବା। ଏଥିପାଇଁ ଆଜି ଏମ୍ସ ଭୁବନେଶ୍ବରରୁ ଡ୍ରୋନ ପରିଚାଳିତ ସ୍ୱାସ୍ଥ୍ୟସେବାର ଟ୍ରାଏଲ ରନ୍ ହୋଇଥିଲା। ଏମ୍ସଠାରୁ ପ୍ରାୟ ୮୦ କିଲୋମିଟର ଦୂର, ଅର୍ଥାତ୍ ଆକାଶ ମାର୍ଗରେ ୫୫ କିଲୋମିଟର ଦୂରରେ ଅବସ୍ଥିତ ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟରେ ଏହି ଡ୍ରୋନ୍ ଏକ ବ୍ଲଡ୍ ସାମ୍ପଲ ପହଞ୍ଚାଇଥିଲା। ଆଉ ଠିକ୍ ସେତିକି ସମୟ ଭିତରେ ଏମ୍ସକୁ ଫେରି ଆସିଥିଲା ।

Advertisment

ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି, ଆଜି ଡ୍ରୋନ୍ ସ୍ୱାସ୍ଥ୍ୟସେବାର ସଫଳ ପରୀକ୍ଷଣ ହୋଇଛି। ଜାନୁଆରୀ ୨୫ରୁ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହେବ। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ପାହାଡ଼ିଆ ଅଞ୍ଚଳ ଓ ଟ୍ରାଫିକ୍ ସମସ୍ୟା ଦେଖାଦେଉଥିବା ସ୍ଥାନକୁ ଏ ଡ୍ରୋନ୍ ସ୍ୱାସ୍ଥ୍ୟସେବା ପହଞ୍ଚାଇବ।

ଏବେ ମନରେ ପ୍ରଶ୍ନ ଆସୁଥିବ, ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ? ଡ୍ରୋନ୍ ଅପରେଟରଙ୍କ କହିବା ଅନୁସାରେ, ଏହା ୧୨ କିଲୋଗ୍ରାମ ଓଜନର ଏକ ଭର୍ଟିକାଲ ଟେକ୍ ଅଫ୍ ଆଣ୍ଡ ଲ୍ୟାଣ୍ଡିଂ ଡ୍ରୋନ୍। ଯାହାକି ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ଗତି କରିପାରିବ। ଥରକେ ୨ରୁ ୫ କିଲୋଗ୍ରାମ ସାମଗ୍ରୀ ପରିବହନ କରି ୧୦୦ କିଲୋମିଟର ଦୂର ଯାଏଁ ଯାଇପାରିବ। ସାଟେଲାଇଟ୍ ଜିପିଏସ୍ଦ୍ୱା ରା ପରିଚାଳିତ ଏହି ଡ୍ରୋନ୍‌କୁ ଲାଇଭ୍ ଟ୍ରାକ୍ କରାଯାଇପାରିବ। ତେବେ ବିମାନ ଚଳାଚଳ କରୁଥିବା ଅଞ୍ଚଳରେ ଏହାର ଉଡ଼ାଣ ଲାଗି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ATCର ଅନୁମତି ଆବଶ୍ୟକ।

Advertisment

ଆଶା, ଏମ୍ସ ଭୁବନେଶ୍ୱରର ଏ ଡ୍ରୋନ୍ ସ୍ୱାସ୍ଥ୍ୟସେବା, ଜରୁରୀ ସ୍ଥିତିରେ ଉପାନ୍ତ ତଥା ଅପହଞ୍ଚ ଇଲାକା ଲାଗି ପାଲଟିବ ଏକ ଅମୋଘ ଅସ୍ତ୍ର।

Drone Bhubaneswar AIIMS Health Service
Advertisment
Advertisment