ପ୍ରତ୍ୟେକ ଦିନ ସ୍ୱାମୀ ମଦ ପିଇ ଘରକୁ ଆସନ୍ତି । ଆଉ ପତ୍ନୀଙ୍କ ସହ ମାର୍ପିଟ୍ କରନ୍ତି । ଏଭଳି ନିୟମିତ ଚାଲେ । ଶେଷରେ ଅତିଷ୍ଟ ହୋଇ ଏକ ବିରାଟ ପଦକ୍ଷେପ ନେଲେ ପତ୍ନୀ । ସ୍ୱାମୀ ମଦ ପିଇ ଘରକୁ ଫେରିଲା ବେଳକୁ ପତ୍ନୀ ବି ମାତାଲ ହୋଇ ବସିଲେ । ହାତରେ ବୋତଲ ପାଖରେ ଚାଖଣା ରଖିଲେ । ଯିଏ ବି ଦେଖିବ ସଙ୍ଗେ ସଙ୍ଗେ ଜାଣିବ ଯେ, ମହିଳା ଜଣକ ମଦ୍ୟପାନ କରିଚନ୍ତି । ପତ୍ନୀଙ୍କୁ ମାତାଲ ଅବସ୍ଥାରେ ଦେଖି ସ୍ୱାମୀ ପଡ଼ିଗଲେ ପୁରା ଚିନ୍ତାରେ । ଏମିତି ଲଗାତର କିଛିଦିନ ପର୍ଯ୍ୟନ୍ତ ଚାଲିଲା । ସ୍ୱମୀ କ’ଣ କରିବେ ତାହା ଚିନ୍ତା କରିପାରିଲେ ନାହିଁ । ସବୁଦିନ ସେ ମଦ୍ୟପାନ କରି ଘରକୁ ଆସିଲା ବେଳକୁ ସ୍ତ୍ରୀ ମଧ୍ୟ ମଦ ପିଇ ଟୁଲ ଅବସ୍ଥାରେ ଥାନ୍ତି ।
Also Read
ସାହି ପଡ଼ିଶା ମଧ୍ୟ ଏନେଇ ଜାଣିବା ପରେ, ଉଭୟ ସ୍ୱାମୀ ସ୍ତ୍ରୀ ମଦୁଆ ବୋଲି ଚର୍ଚ୍ଚା ଚାଲିଲା । ସ୍ୱାମୀ ଯଦି ପତ୍ନୀଙ୍କ ମଦ୍ୟପାନକୁ ନେଇ କିଛି କୁହନ୍ତି ତେବେ ପତ୍ନୀ ମଧ୍ୟ ନିଶାଗ୍ରସ୍ତ ଅବସ୍ଥାରେ ଯୁକ୍ତି କରନ୍ତି । ଘରେ ଦିନକୁ ଦିନ ଅଶାନ୍ତି ବଢ଼ିବାରେ ଲାଗିଲା । ନିଜେ ସ୍ୱାମୀ ସବୁବେଳେ ମଦ୍ୟପାନ କରି ଘରକୁ ଆସୁଥିବାରୁ ପତ୍ନୀଙ୍କୁ ମଧ୍ୟ ସେ ବେଶି କିଛି କହିପାରୁ ନଥିଲେ । ମଦ୍ୟପାନ କର ନାହିଁ ବୋଲି ଜୋର ଦେଇପାରୁ ନଥିଲେ । ପତ୍ନୀ ମଦ ପିଇ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ସାହି ପଡ଼ିଶାଙ୍କ ସହ ଝଗଡ଼ା ମଧ୍ୟ କରୁଥିଲେ ।
ଏମିତି କିଛି ଦିନ ଚାଲିବା ପରେ ସ୍ୱାମୀ ଏକ ଉପାୟ ପାଞ୍ଚିଲେ । କେମିତି ପତ୍ନୀଙ୍କ ମଦ ଛଡ଼ାଇବେ ସେଥିପାଇଁ ନେଲେ ପଦକ୍ଷେପ । ପତ୍ନୀଙ୍କୁ ନେଇ ଜଣେ ମହିଳା ମନସ୍ତତ୍ୱବିତ୍ ବା ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ଜଣକ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ନାନା ପ୍ରଶ୍ନ ପଚାରିଲେ । ସେମାନଙ୍କ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ସେମାନଙ୍କ ରୁଚି ବାବଦରେ ପ୍ରଶ୍ନ ପଚାରି, ସେମାନଙ୍କ ଜୀବନ ଶୈଳିକୁ ଭଲ ଭାବେ ତର୍ଜମା କଲେ ।
ଆଉ ଶେଷରେ ଡାକ୍ତର ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମଦ୍ୟପାନ ଛାଡ଼ିବାକୁ ପଡ଼ିବ । ନଚେତ୍ ଘରେ ଶାନ୍ତି ଫେରିବନି । ସବୁଦିନ ଏଭଳି ଯୁକ୍ତି ତର୍କ ଲାଗି ରହିବ । ତେବେ ଡାକ୍ତରଙ୍କ ଏଭଳି କଥା ଶୁଣିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ମଦ୍ୟପାନ ଛାଡ଼ିବା ପାଇଁ ରାଜି ହେଲେ । ଆଉ କେବେ ବି ମଦ୍ୟପାନ କରିବେ ନାହିଁ ବୋଲି ନିପତ୍ତି ନେଲେ ।
ତେବେ ପୁରା କାହାଣୀ ଭିତରେ ଗୋଟିଏ ବଡ଼ ଟ୍ୱିଷ୍ଟ ରହିଛି । ଆଉ ତାହା ହେଲା, ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସ ଛଡ଼ାଇବା ପାଇଁ ପତ୍ନୀ କରୁଥିଲେ ମଦ୍ୟପର ନାଟକ । ପତ୍ନୀ କେବେ ବି ମଦ୍ୟପାନ କରିନଥିଲେ । କିନ୍ତୁ ସ୍ୱାମୀଙ୍କ ମଦ୍ୟପାନ ରୋକିବା ପାଇଁ ମଦ ପିଇ ନିଶାରେ ଥିବା ଭଳି ନାଟକ କରୁଥିଲେ । ଆଉ ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା, ସ୍ୱାମୀ ମଦ ପିବା ଛାଡ଼ି ଦିଅନ୍ତୁ । ଯାହାକି ଏବେ ପୁରଣ ହୋଇଛି । ଏବେ ପୁରା ପରିବାର ଖୁସିରେ ଦିନ କାଟୁଛି । ତେବେ ଏହି ଘଟଣା ଉତ୍ତର ପ୍ରଦେଶ ଆଗ୍ରାରୁ ସାମ୍ନାକୁ ଆସିଛି ।