Advertisment

ପଞ୍ଚଭୂତରେ ବିଲୀନ ଅଭିନେତା ପିଣ୍ଟୁ ନନ୍ଦ, ସରକାରଙ୍କ ଉପରେ ବର୍ଷିଲେ ଭାଇ ଓ ବରିଷ୍ଠ କଳାକାର

ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ହେଲା ଅନ୍ତିମ ସତ୍କାର । ଜଣେ ଓଡ଼ିଆ କଳାକାରଙ୍କୁ ସରକାରଙ୍କ ଅଣଦେଖା ନେଇ ବିଭିନ୍ନ ବର୍ଗର ନିନ୍ଦା ।

ଅଦ୍ୟତନ ହୋଇଛି
Pintu Nanda

Pintu Nanda

Advertisment

ଚିର ନିଦ୍ରାରେ ଶୋଇଥିବା ସାଥୀକୁ ଶେଷ ଦର୍ଶନ କରୁଥିଲେ । ଲୋତକ ଭରା ନୟନରେ ଗଭୀର ଶ୍ରଦ୍ଧାଞ୍ଜଳି ବି ଦେଉଥିଲେ । ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥୀବ ଶରୀର ଆଜି ତାଙ୍କ ଭୁବନେଶ୍ୱର ପଟିଆ ବାସଭବନରରୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିବା ବେଳକୁ ସେଠି ଥିଲା ଲୋକରଣ୍ୟ ପରିବେଶ ।ଓଲିଉଡର ବହୁ କଳାକାର, ପ୍ରଶଂସକ ଓ ବନ୍ଧୁ ପରିଜନ ସମସ୍ତଙ୍କ ଆଖି ଲୁହରେ ଭିଜୁଥିଲା, ଅବେଳରେ ପିଣ୍ଟୁଙ୍କ ଅବର୍ତ୍ତମାନ ବିଶ୍ୱାସ ଲାଗୁନଥିଲା ।

Advertisment

ପୁରୀ ସ୍ୱର୍ଗଦ୍ୱାରରେ ବି ପିଣ୍ଟୁଙ୍କୁ ଅନ୍ତିମ ବିଦାୟ ଦେବାକୁ ବିଭିନ୍ନ କଳାକାର ସଂଘ, ସାଂସ୍କୃତିକ ଅନୁଷ୍ଠାନ ଓ ସିନେ ପ୍ରେମୀ ପହଞ୍ଚିଥିଲେ । ପିଣ୍ଟୁଙ୍କ ବଡ଼ ପୁଅ ସାଇ ନନ୍ଦ ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇ ଯାଇଥିଲେ ଆଲବମ୍‌ରୁ ଚଳଚିତ୍ର ଜଗତ ଯାଏଁ ନିଖୁଣ ଅଭିନୟର ଅଭୂଲା ଛାପ ଛାଡ଼ି ଯାଇଥିବା ପିଣ୍ଟୁ ନନ୍ଦ ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଭିନେତା ପିଣ୍ଟୁ ନନ୍ଦ ଆଖି ବୁଜିବା ଘଟଣାକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ, 5T ବ୍ୟବସ୍ଥା ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିଣ୍ଟୁଙ୍କ ବଡ଼ ଭାଇ ଅଭିରାମ । କହିଛନ୍ତି ରାଜ୍ୟର ଜଣେ କଳାକାରକୁ ବଞ୍ଚାଇ ପାରିନଥିବା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦିଅନ୍ତୁ । ତାସହ ଅଭିଯୋଗ କରିଛନ୍ତି ଯେ, ଏବେ ଯେଉଁ ରାଜ୍ୟ ସରକାର ଶୋକ ପ୍ରକାଶ କରୁଛନ୍ତି, ମାସେ ଧରି ପିଣ୍ଟୁଙ୍କ ଚିକିତ୍ସା ଚାଲିଥିବାବେଳେ କିନ୍ତୁ କିଛି କଲେନି । ହକି ପାଇଁ ବାହାରୁ କଳାକାର ଆଣି ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ରାଜ୍ୟର ଜଣେ କଳାକାରକୁ ବଞ୍ଚାଇ ପାରୁ ନାହାନ୍ତି । 5T ନାଁରେ କେବଳ ଡିଣ୍ଡିମ ପିଟା ଚାଲିଛି । ଓଲିଉର ଅନେକ ବରିଷ୍ଠ କଳାକାର ବି ପିଣ୍ଟୁଙ୍କ ଭାଇଙ୍କୁ ସମର୍ଥନ କରି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।

Advertisment

ସେପଟେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଆଜି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପିଣ୍ଟୁଙ୍କ ଭଳି ଜଣେ କଳାକାରଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ତେବେ ଭବିଷ୍ୟତରେ ଏଭଳି ଘଟଣାରେ ସରକାରଙ୍କ ପକ୍ଷରୁ କଣ ବ୍ୟବସ୍ଥା ହୋଇପାରିବ ତାହା ବିଚାର କରାଯିବ ବୋଲି କହିଛନ୍ତି ।

ଲିଭର ସିରୋସିସରେ ଆକ୍ରାନ୍ତ ପିଣ୍ଟୁ ନନ୍ଦ ଯକୃତ ପ୍ରତିରୋପଣ ପାଇଁ ଗତ ୭ ତାରିଖରେ ଦିଲ୍ଲୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍-ILBSରେ ଭର୍ତ୍ତି ହୋଇଥିଲେ । ତେବେ ଦିଲ୍ଲୀରେ ପରିବାରରୁ କୌଣସି ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ନକରିବାରୁ ଏବଂ ଅନ୍ୟ ଡୋନରଙ୍କଠାରୁ ଯକୃତ ପ୍ରତିରୋପଣର ନିୟମ ନଥିବାରୁ ହାଇଦ୍ରାବାଦକୁ ନିଆଯାଇଥିଲା । ସେଠାରେ ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ଓ ଚିକିତ୍ସା ବାବଦକୁ ଦରକାର ପଡୁଥିଲା ୩୫ ଲକ୍ଷ ଟଙ୍କା। କିନ୍ତୁ ୧୭ ଦିନର ଅପେକ୍ଷା ପରେ ଏବଂ ସହାୟତା ପାଇଁ ନିବେଦନ ସତ୍ତ୍ବେ କେହି ଡୋନର୍ ନମିଳିବାରୁ ବୁଧବାର ରାତି ୧୧ଟା ୨୫ ମିନିଟରେ ଆଖି ବୁଜିଦେଲେ ପିଣ୍ଟୁ।

Advertisment

Pintu Nanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ