5T ସ୍କୁଲ ଛାତରୁ ଖସିଲା ସିଲିଂ ! ଅଳ୍ପକେ ବର୍ତ୍ତିଲେ ଶିକ୍ଷକ-ଶିକ୍ଷୟିତ୍ରୀ

ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଅଘଟଣ । ଷ୍ଟାଫ୍ କମନ ରୁମ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିଲା ସିଲିଂ ।

5T School

ସରକାର ପିଲାଙ୍କ ପାଠ ପଢ଼ା ପାଇଁ ପାଣି ଭଳି ଟଙ୍କା ଖଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ପ୍ରତ୍ୟେକ ବଜେଟ୍‌ରେ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଆଗତ କରାଯାଉଛି । ହେଲେ ବାସ୍ତବରେ ଏହି ଟଙ୍କା ଖର୍ଚ୍ଚ ହେଉଛି କେଉଁଠି ? ତାହା ସାଧାରଣ ଲୋକଙ୍କ ଆଖିରେ ପଡ଼ୁନି । ଏକଥା ଆମେ କହୁ ନାହୁଁ ବରଂ ସରକାରୀ ସ୍କୁଲ ଏବଂ ନୂଆ କରି 5T ଅଧିନରେ ଆସୁଥିବା ସ୍କୁଲର ଅବସ୍ଥା ଦେଖିଲେ ଆପଣ ବି ସମାନ କଥା ଦୋହରାଇବେ । ଏତେ ଟଙ୍କା ଯାଉଛି କୁଆଡ଼େ । ଖର୍ଚ୍ଚ ହେଉଛି କେଉଁଠି ?

କାରଣ ବାରମ୍ବାର ତଥା ବିଭିନ୍ନ ସମୟରେ 5T ସ୍କୁଲକୁ ନେଇ ଯେଉଁଭଳି ଖବର ସାମ୍ନାକୁ ଆସୁଛି । ସେଥିରୁ ଏଭଳି ଆଶଙ୍କା ଆସିବା ସ୍ୱାଭାବିକ କଥା । କାରଣ ନାଁକୁ ମାତ୍ର 5T ସ୍କୁଲ । ଏତେ ନିମ୍ନମାନର କାମ ହେଉଛି ଯେ, ନୂଆ କରି ତିଆରି ହେଉଥିବା କାନ୍ଥ ଭୁଶୁଡ଼ି ପଡ଼ୁଛି ।

ଠିକ୍‌ ଏମିତି ଏକ 5T ସ୍କୁଲ କଥା ଏବେ ସାମ୍ନାକୁ ଆସିଛି । ଯେଉଁ ସାର୍‌ ମାଡାମ୍‌ କମନ ରୁମ୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଖସିପଡ଼ିଲା ଛାତର ପ୍ଲାଷ୍ଟର । ଆଉ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏଭଳି ଅଘଟଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଢେଙ୍କିକୋଟସ୍ଥିତ 5T ଅଧିନରେ ଥିବା ସରକାରୀ ହାଇସ୍କୁଲ ସତ୍ୟ ନାରାୟଣ ବିଦ୍ୟାପୀଠରେ । ଏହି ସ୍କୁଲର କମନ ରୁମରେ ଅଚାନକ ପ୍ଲାଷ୍ଟର ଖସି ପଡିଥିଲା ।

ଅପରାହ୍ନ ପ୍ରାୟ ଗୋଟାଏ ପରେ ୯ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ସରିବା ପରେ ପିଲାଙ୍କ ଖାତାକୁ ନେଇ କମନ ରୁମରେ ପହଞ୍ଚିଥିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଟେବୁଲ ଉପରେ ଖାତା ସଜାଉ ଥିବା ସମୟରେ ହଠାତ ଛାତର କିଛି ପ୍ଲାଷ୍ଟର ପ୍ରଥମେ ଟେବୁଲ ଉପରେ ଖସି ପଡ଼ିଥିଲା । ପ୍ଲାଷ୍ଟର ଖସିବା ଦେଖି ଶିକ୍ଷକ ଓ ଶିକ୍ଷୟିତ୍ରୀ ସଙ୍ଗେ ସଙ୍ଗେ ବସିଥିବା ସ୍ଥାନରୁ ଉଠି ଆସିଥିଲେ । ତାପରେ ପ୍ରାୟ ଅଧାରୁ ଅଧିକା ଛାତର ପ୍ଲାଷ୍ଟର ଖସି ପଡ଼ିଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏହି ସ୍କୁଲଟି ୧୯୭୧ ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ଏବେ ୩୦୦ରୁ ଅଧିକ  ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।