• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୧୯୯୯ ମସିହା ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା । ୨୪ ବର୍ଷ ବିତିଗଲାଣି, ପ୍ରକୃତିର ସେହି ତାଣ୍ଡବକୁ । ୧୯୯୯ ଅକ୍ଟୋବର ୨୯ରେ  ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲା । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳ । ମହାବାତ୍ୟାରେ ଏରସମାର ଜପା ପଞ୍ଚାୟତରେ ସର୍ବାଧିକ ୨୨୦୦ ଲୋକ ପ୍ରାଣ ହରାଇଥିଲା ।

କେବଳ ଦହିବର ଗାଁରେ ୫୬୦ ଜଣ ଲୋକ ପ୍ରାଣ ହରାଇଥିଲେ । ମହାବାତ୍ୟା କେବଳ ପ୍ରାଣ ନେଇ ନଥିଲା, ଘରଦ୍ୱାର, ରାସ୍ତାଘାଟ ସବୁ କିଛି ଛାରଖାର କରି ଦେଇଥିଲା । ଭୂଗୋଳ ବଦଳାଇ ଦେଇଥିଲା ମହାବାତ୍ୟା । ଭାରତ ମହାସାଗର ଅଞ୍ଚଳରେ ଏହା ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଥିଲା ବୋଲି ଇତିହାସ କହେ ।

ମହାବାତ୍ୟା ସିନା ଚାଲିଗଲା, କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଏମିତି ଅନେକ ଗାଁ ରହିଛି, ଯେଉଁଠି ୧୯୯୯ ମସିହାର ମହାବାତ୍ୟାର ଚିହ୍ନ ଏବେ ବି ରହିଛି ।  ୨୯ ଅକ୍ଟୋବର ୧୯୯୯, ଠିକ୍ ଆଜିର ଦିନରେ ଓଡ଼ିଶା ଉପକୂଳରେ ପ୍ରକୃତି ଉଜାଡ଼ିଥିଲା ଅନେକ କିଛି । ସେଦିନ ବଙ୍ଗୋପସାଗରରୁ ହୁ ହୁ ହୋଇ ମାଡ଼ି ଆସିଥିଲା ପ୍ରଳୟ । 

ଘର ଉଡ଼ାଇଲା, ଗାଁ ବୁଡ଼ାଇଲା, ଲିଭିଗଲା ଚିହ୍ନ ବର୍ଣ୍ଣ । କିଏ ନିଜ ପୁଅକୁ ହରାଇଲେ ତ ଆଉ କିଏ ନିଜ ସମ୍ପୂର୍ଣ୍ଣ ପରିବାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗାଁର କଳ୍ପନା ବେହେରା, ସେଦିନ ସମସ୍ତଙ୍କୁ ହରାଇଛନ୍ତି କଳ୍ପନା । ସ୍ୱାମୀ ଚାଲିଗଲେ, ପୁଅ ଝିଅ, ଶ୍ୱଶୁର, ଜା’ ଆଗ ପଛ ହୋଇ ଚାଲିଗଲେ । ଆଜି ବି ସେ ଦିନର ଛାତିଥରା କଥା କହିଲା ବେଳେ କଳ୍ପନାଙ୍କ ଆଖି ଭିଜି ଯାଉଛି, ପାଟି ଶୁଖି ଯାଉଛି ।    

ଖାଲି କଳ୍ପନା ନୁହଁନ୍ତି, ତାଙ୍କ ଭଳି ଅନେକ ନିଜ ପରିବାରର ପ୍ରିୟଜନଙ୍କୁ ହରାଇଛନ୍ତି ମହାବାତ୍ୟାରେ । ୨୪ ବର୍ଷ ବିତିଗଲାଣି ମହାବାତ୍ୟାକୁ । କିନ୍ତୁ ଆଜି ବି ତା’ ଚିହ୍ନ ସେ ଦିନର କଥାକୁ ମନେ ପକାଇ ଦେଉଛି । ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଉଦୟକଣୀ ଗାଁ, ଦୁଇ ଦୁଇଟି ବଡ଼ ମହାବାତ୍ୟା ଏଠାକାର ଲୋକେ ଦେଖିଛନ୍ତି । ଦିନେ ଏଠି ଘର ଥିଲା, ମନ୍ଦିର ଥିଲା, ଜୀବନ ଜୀବିକା ଏଠୁ ପରିଚାଳିତ ହେଉଥିଲା ।

ହେଲେ ୧୦୦ ବର୍ଷ ତଳେ ମହାବାତ୍ୟା ଉଜାଡ଼ିବାରୁ ସମୁଦ୍ରରୁ କିଛି ବାଟ ପଛକୁ ଘୁଞ୍ଚିଥିଲେ ଗାଁ ଲୋକେ । କିନ୍ତୁ ୯୯ ମହାବାତ୍ୟା ପରେ ପୁଣି ସଂସାର ଭାସିଗଲା । ଏବେ ଖାଲି ଏହି କୂଅ ଅଛି, ମାଟିରେ ଲୋଟୁଥିବା କାନ୍ଥ ଅଛି । ସତେ ଯେମିତି ସେ ଦିନର କଷ୍ଟ ଓ ଆଖିରେ ଦେଖିଛନ୍ତି ମଣିଷର ବ୍ୟଥା ।  ମହାବାତ୍ୟା ପରେ ସମୁଦ୍ର କୂଳରେ ଅନେକ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଛି । କିନ୍ତୁ କିଛି ପରିତ୍ୟକ୍ତ ଓ କିଛି ଭାଙ୍ଗିରୁଜି ଗଲାଣି । ପ୍ରତିବର୍ଷ ଓଡ଼ିଶା ଉପକୂଳରେ ବାତ୍ୟା ଓ ବନ୍ୟା ଆସେ, ସେତେବେଳେ ଏସବୁର ଅବଶ୍ୟକତା ପଡ଼େ । ଯଦି, ବାତ୍ୟା ଆଶ୍ରୟସ୍ଥଳୀ ହି ରହିବନି ତା’ହେଲେ ଲୋକେ ରହିବେ କେଉଁଠି ?

ତେବେ ୯୯ ମହାବାତ୍ୟା ମଣିଷକୁ ଲଢ଼ିବା ଶିଖେଇ ଦେଲା । ଆଗୁଆ ପ୍ରସ୍ତୁତି କେମିତି କରାଯାଏ ତାହା ଶିଖାଇ ଦେଲା ।