Advertisment

ମନ୍ତ୍ରୀଙ୍କ ଆଗରେ ଦୁଃଖ ବଖାଣିଥିଲା କୁନି ଝିଅ ସୋନାଲି, ବର୍ଷକ ପରେ ବି ଫଳ ଶୂନ !

ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା।

Koraput

Koraput

Advertisment

ଗତବର୍ଷ ସ୍ୱାଧୀନତା ଦିବସ ଯାଇ, ଏବର୍ଷ ସ୍ୱାଧୀନତା ଦିବସ ଆସିଲା। ହେଲେ ବର୍ଷକ ଭିତରେ 'ସମସ୍ୟା'ରୁ ସ୍ୱାଧୀନତା ପାଇପାରିଲାନି ଉପାନ୍ତ ଗାଁ ପଦୁଗୁଡ଼ା। ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଆଗରେ ସେଦିନ ଦୋରଟି ଓଠରେ କହିଥିବା ସେଇ ଦି'ପଦ କଥା, ଆଜି ବି ନା ପଦୁଗୁଡ଼ା ଭୁଲିଛି, ନା ଭୁଲିଛି.. କୁନିଝିଅ ସୋନାଲି।

Advertisment

ହଁ... ଏବେବି ଏଠି ପାଣି ସୁବିଧା ନାହିଁ, ଭଲ ରାସ୍ତାଟିଏ ନାହିଁ । ଲୋକଙ୍କ କଷ୍ଟ ଯାହାକୁ ସେୟା। କୋରାପୁଟ ଦଶମନ୍ତପୁର ବ୍ଲକ ପଦୁଗୁଡ଼ାରେ ଏମିତି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି । ଗତବର୍ଷ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିନୟ ମାଧ୍ୟମରେ ସମସ୍ୟା ବଖାଣିଥିଲା କୁନିଝିଅ ସୋନାଲି। ମଞ୍ଚରେ ଥିଲେ ତତ୍କାଳୀନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେତେବେଳର ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ଏବଂ ତତ୍କାଳୀନ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବ୍ଦଲ ଅଖତର।

ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିଲା । ପଦୁଗୁଡ଼ା ଗାଁର କାଦୁଆ ରାସ୍ତାରେ ଜିଲ୍ଲା ପ୍ରଶାସନର ପାଦ ପଡ଼ିଥିଲା । ଆଉ ଏହାକୁ ପୋଷ୍ୟ ଗ୍ରାମ କରିଥିଲେ ସ୍ଥାନୀୟ ବିଧାୟକ। ହେଲେ ବିଡ଼ମ୍ବନା.. ଚିରାଚରିତ ଢଙ୍ଗରେ ଚହଲା ପାଣି ଶାନ୍ତ ପଡ଼ିଯାଇଥିଲା ମାତ୍ର ଅଳ୍ପ କିଛି ଦିନ ଭିତରେ। ସ୍ଥିତି ସେବେ ଯାହା ଥିଲା, ଆଜି ବି ସେୟା। ରାସ୍ତା କହିଲେ ଖାଲଖମା, ପଥୁରିଆ, ବର୍ଷା ଦିନେ ପଙ୍କ କାଦୁଅ। ପ୍ରାୟ ୯୦ ପରିବାର ରହୁଥିବା ସେହି ଗାଁ ଭାଗ୍ୟରେ ପକ୍କା ସଡ଼କ ତ ଦୂରର କଥା, ସବୁଦିନିଆ ପାଦଚଲା ରାସ୍ତାଟିଏ ବି ଯେ କେବେ ଜୁଟିବ, ତାହା ବିଧାତାକୁ ଜଣା।

Advertisment

ଖାଲି ରାସ୍ତା କାହିଁକି, ସୋନାଲି ଉଠାଇଥିବା ପାଣି ସମସ୍ୟା ବି, ଏଯାଏଁ ସମାଧାନ ହୋଇପାରିନି। ଅଭିଯୋଗ ହୁଏ, ୬ ମାସ ତଳେ ସାହି ସାହିରେ ପାଣି ପାଇପ ଲଗାଇ ଠିକାଦାର ମାଲେମାଲ ହୋଇଯାଇଛି। ହେଲେ ତାହା ଲୋକଙ୍କ କାମରେ ଆସୁନି। ଝରଣା ପାଣି ସଂଗ୍ରହ ପାଇଁ ୨ଟି ଟ୍ୟାପ୍ ଲାଗିଥିବା ବେଳେ, ଅଧିକାଂଶ ଲୋକ ମୂରାନ ନଦୀରେ ଚୁଆ ଖୋଳି ପାଣି ଆଣୁଥିବା ଦେଖିବାକୁ ମିଳିଛି।

ସେପଟେ ଘରେ ମିଟର ବସିଛି, ହେଲେ ବିଜୁଳି ନାହିଁ। ସ୍କୁଲ କୋଠା କଥା ନକହିବା ଭଲ । ଛାତରୁ ବର୍ଷାପାଣି ଗଳୁଥିବାରୁ ବାରଣ୍ଡାରେ ପାଠପଢ଼ା ଚାଲିଛି।

Advertisment

ଆଉ କେତେ ସ୍ୱାଧୀନତା ଦିବସ ଗଲେ ସମସ୍ୟା ଘେରରୁ ମୁକୁଳିବ ପଦୁଗୁଡ଼ା ? ଦୋରଟି ଓଠରେ ଆଉ କେତେ ଦୁଃଖ ବଖାଣିବ କୁନିଝିଅ ସୋନାଲି ? କେବେ ଚେତିବ ପ୍ରଶାସନ, କେବେ ରଖିବ ପ୍ରତିଶ୍ରୁତି ? ପଦୁଗୁଡ଼ାରେ କେବେ ପଡ଼ିବ ବିକାଶର ପାଦ ? ଦଶମନ୍ତପୁର ବିଡିଓ କହିଛନ୍ତି-ପ୍ରଥମେ ଆଦର୍ଶ ଆଚରଣ ବିଧି ଏବଂ ପରେ ବର୍ଷାଋତୁ ପାଇଁ କାମ ଅଟକିଥିଲା । ଅଳ୍ପ କିଛିଦିନ ପରେ ଏହା ପୁଣି ଆରମ୍ଭ ହେବ ।

Independence Day Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ