ଦାଦନ ଖଟିବାକୁ ଯାଇଥିଲା ଝିଅ, ହେଲେ ଦୁର୍ଘଟଣା ପରେ...

ଘର ଦୁଆରେ ବସି ବାହୁନି ବାହୁନି ଆଖିରୁ ଲୁହ ଗଡ଼ାଉଛନ୍ତି ମା’ । ବୁଢ଼ା ବାପାଟା ବି ନିଃସହାୟ । ଦୁର୍ଘଟଣାର ଶିକାର ହୋଇ ଘରେ ବସି କାନ୍ଦୁଛନ୍ତି ୨୪ ବର୍ଷୀୟ ଝିଅ କୁନିରାଣୀ ।

Special Story

ଝିଅ ହୋଇ ନିଜ କାନ୍ଧରେ ପରିବାରର ବୋଝ ଉଠାଉଥିଲା । ବାପା-ମା’ଙ୍କ ମୁହଁରେ ଦୁଇଓଳି ଦୁଇମୁଠା ଦାନା ଦେବାକୁ ଦାଦନ ଖଟୁଥିଲା । ହେଲେ ତାଲିମଲନାଡ଼ୁରେ କାମ ସାରି ବଜାରକୁ ଯିବାବେଳେ ଦୁର୍ଘଟଣା ସାରିଦେଲା ସବୁକିଛି । କୁନିରାଣୀଙ୍କ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗିଗଲା । ଛାତି ଓ ପେଟରେ ଗଭୀର ଆଘାତ ଲାଗିଲା । ସରକାରୀ ମେଡିକାଲରେ ଗୋଟିଏ ମାସ ଚିକିତ୍ସା ହେବା ପରେ ପରିବାରର ନିବେଦନ କ୍ରମେ ଘରକୁ ଫେରାଇ ଆଣିଲା ପ୍ରଶାସନ । ହେଲେ କୁନିଙ୍କ ଏଇ ଅବସ୍ଥା ପରେ ଏ ଗରିବ ପରିବାରଟା ଯେମିତି ଅଧାବାଟରେ ଅଟକିଯାଇଛି ।

ଘର ଦୁଆରେ ବସି ବାହୁନି ବାହୁନି ଆଖିରୁ ଲୁହ ଗଡ଼ାଉଛନ୍ତି ମା’ । ବୁଢ଼ା ବାପାଟା ବି ନିଃସହାୟ । ଦୁର୍ଘଟଣାର ଶିକାର ହୋଇ ଘରେ ବସି କାନ୍ଦୁଛନ୍ତି ୨୪ ବର୍ଷୀୟ ଝିଅ କୁନିରାଣୀ । ଧାମନଗର ବ୍ଲକ ଭଟ୍ଟସାହି ପଞ୍ଚାୟତ ଫଳପୁର ଗାଁର ଅଲେଖ ଜେନାଙ୍କ ଝିଅ କୁନିରାଣୀ ଜେନା । ତାମିଲନାଡୁ କାଞ୍ଚିପୁରମ ଜିଲ୍ଲାର ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ ସେ କାମ କରୁଥିଲେ । ସେଥିରୁ ଯାହା ଦରମା ପାଉଥିଲେ କଷ୍ଟେ ମଷ୍ଟେ ପରିବାର ଚଳିଯାଉଥିଲା । ହେଲେ ଦୁର୍ଘଟଣା ପରେ ସବୁ କିଛି ଯେମିତି ଶେଷ ହୋଇଯାଇଛି । ଏ ଗରିବ ପରିବାରକୁ ଖାଲି ଦେଇଯାଇଛି ଲୁହ ।

ଅପରେସନ ପରେ କୁନି କଥା କହିପାରୁନାହାନ୍ତି । ବିଛଣାରେ ପଡି ରହିଛନ୍ତି । ଜିଲ୍ଲାପାଳ ଓ CDMO କୁନିଙ୍କୁ ଖୁବଶୀଘ୍ର ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ବାପା-ମା’ଙ୍କ ମନ ଜମା ବୁଝୁନି । ଏପରି ସମୟରେ କିପରି କୁନି ଶୀଘ୍ର ସୁସ୍ଥ ହେବେ ଓ ଗରିବ ପରିବାର କିଭଳି ଚଳିବ ସେ ନେଇ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।