Advertisment

Corruption: ସ୍ତ୍ରୀ କଥାରେ ଦିଅଁ ଖଣ୍ଡିଆର ବିଶେଷତ୍ୱ, ଏମିତି କଲେ ସମାଜରେ ଆପେ ଆପେ କମିଯିବ ଦୁର୍ନୀତି

ସରକାରୀ ବାବୁ କାହିଁକି ଲାଞ୍ଚ ଗ୍ରହଣ କରନ୍ତି। କେଉଁ ପରିସ୍ଥିତିରେ ପଡ଼ି ଲାଞ୍ଚୁଆ ହେଉଛନ୍ତି। ବାବୁ ଲାଞ୍ଚ ନେବାର ପ୍ରଚ୍ଛଦ ପଟରେ କିଏ? ଲାଞ୍ଚ ନେବା ପାଇଁ କିଏ ଚାପ ପକାନ୍ତି ନା ଲୋଭରେ ପଡ଼ି ଲାଞ୍ଚ ନିଅନ୍ତି। ସ୍ୱାମୀ ଲାଞ୍ଚୁଆ ପଛରେ ସ୍ତ୍ରୀର ହାତ ଥାଏ କି? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଲାଞ୍ଚୁଆ ଅଫିସର ଯଦି ଗିରଫ ହେଉଛନ୍ତି, ତାଙ୍କୁ ସହଯୋଗ କରି ଆସୁଥିବା ଓ ଲାଞ୍ଚ ନେବା ପାଇଁ ପ୍ରବର୍ତ୍ତାଉଥିବା ନାରୀଟିଏ କାହିଁକି ଗିରଫ ହେବେ ନାହିଁ? ଏହି ପ୍ରସଙ୍ଗକୁ ନେଇ ଏଥର ମୋ ଲେଖନୀର ବିଷୟବସ୍ତୁ ହେଉଛି ସ୍ତ୍ରୀ କଥାରେ ଦିଅଁ ଖଣ୍ଡିଆ।

author-image
Niranjan Reddy
ଅଦ୍ୟତନ ହୋଇଛି
Ways To Reduce Corruption

Ways To Reduce Corruption

ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ। ସେ ମାଆ ହୋଇପାରନ୍ତି, ଭଗ୍ନୀ ହୋଇ ପାରନ୍ତି ,ପତ୍ନୀ ହୋଇ ପାରନ୍ତି ନତୁବା ଦୁହିତା ବି ହୋଇ ପାରନ୍ତି। ଏ କଥାକୁ ଅଧିକାଂଶ ଗ୍ରହଣ କରନ୍ତି ଏବଂ କରିବା ଉଚିତ୍ ବି। ଫଳରେ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ଥିବା ଭେଦଭାବ କମ୍ ହୋଇ ପାରିବ। ସଫଳ ପୁରୁଷ ପଛରେ ଜଣେ ନାରୀର ଭୂମିକା କଥା କୁହାଯାଉଥିବା ବେଳେ, ସ୍ତ୍ରୀ କଥାରେ ଦିଅଁ ଖଣ୍ଡିଆ କଥାଟି ପୁଣି ତାହେଲେ କାହିଁକି କୁହାଯାଉଛି?

Advertisment

ଏହି ଲୋକ କଥାଟି ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ। ପରିବାରରେ କୌଣସି ଏକ ନିଷ୍ପତ୍ତି ନେଲାବେଳେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯଦି ମନୋମାଳିନ୍ୟ ହୁଏ, ଠିକ୍ ସେହି ସମୟରେ ସ୍ୱାମୀ ମହାଶୟ ସ୍ତ୍ରୀଙ୍କ କଥାକୁ ଗ୍ରହଣ ନକରି କିମ୍ବା ତାଙ୍କ କଥାକୁ ଏଡ଼ାଇ ଦେଇ କହିଥାଏ, ସ୍ତ୍ରୀ କଥାରେ ଦିଅଁ ଖଣ୍ଡିଆ। କିନ୍ତୁ ଏଇ ଢଗଟି କୋଉଠୁ ଆସିଲା, କେଉଁ ଘଟଣାକୁ ନେଇ ଏହାର ଅବତାରଣା କରାଯାଇଛି, ତାହା ହୁଏତ ଅନେକ ବନ୍ଧୁ ଜାଣିଥିବେ। ତଥାପି କାହିଁକି କୁହାଯାଏ କହୁଛି।

ଆପଣ କହିବେ କେମିତି ଓ କେଉଁ ଉଦାହରଣ? କୋଟି ଓଡ଼ିଆଙ୍କ ମଉଡମଣି, ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ହେଉଛନ୍ତି ଶ୍ରେଷ୍ଠ ଉଦାହରଣ। ଯିଏ ସୃଷ୍ଟିର ସ୍ରଷ୍ଟା, ଯିଏ ବିଶ୍ଵର ବିଶ୍ୱାସ, ନିଃସ୍ଵର ନିଃଶ୍ୱାସ, ଯିଏ ଭାଗ୍ୟର ବିଧାତା, ଯିଏ ଧରଣୀର ଧାରକ, ଯିଏ ବ୍ରହ୍ମାଣ୍ଡର ବୈଚିତ୍ର, ଯାହା ପାଇଁ ଛପନ ଭୋଗ ରନ୍ଧା ହୁଏ, ଯାହା ପାଇଁ ଷାଠିଏ ପଉଟି ଭୋଗ ଲାଗିହୁଏ ସେମାନେ ଖଣ୍ଡିଆ ହେଲେ କେମିତି?

Advertisment

ଦୁଇ ଭାଇଙ୍କର ଅସଂପୂର୍ଣ୍ଣ ଅଧା ହାତ ଅଛି, ହେଲେ ଗୋଡ ଆଦୌ ନାହିଁ। ଆଖି ଅଛି ହେଲେ ପଲକ ନାହିଁ। କିନ୍ତୁ ଭଉଣୀ ସୁଭଦ୍ରାଙ୍କ ହାତ ନାହିଁକି ଗୋଡ ନାହିଁ। ଆଖିରେ ପଲକ ମଧ୍ୟ ନାହିଁ। ତାଙ୍କୁ କିଏ ସେ ଅଧା ଖଣ୍ଡିଆ କରି ଗଢ଼ିଥିଲା? ସେମାନଙ୍କର ଏ ଅଧା ଖଣ୍ଡିଆ ଶରୀର ପାଇଁ ଦାୟୀ କିଏ? ସମସ୍ତେ ଉତ୍ତର ଦେବେ ବା ଅଙ୍ଗୁଳି ନିର୍ଦ୍ଦେଶ କରିବେ ମାତା ଗୁଣ୍ଡିଚା ରାଣୀଙ୍କୁ। ଯିଏ ନିଜ ମନ୍ଦିର ନିଜେ ଗଢିଛନ୍ତି, ଯିଏ ନିଜ ଶରୀରକୁ ନିଜେ ଗଢ଼ିଛନ୍ତି ତଥାପି ଇତିହାସ ଦୋଷ ଦେଇ ଚାଲିଛି ରାଣୀ ଗୁଣ୍ଡିଚାଙ୍କୁ। ସେଥିପାଇଁ ଓଡ଼ିଶାର ଘରେ ଘରେ ଏହି ଲୋକବାଣୀ ସ୍ତ୍ରୀ କଥାରେ ଦିଅଁ ଖଣ୍ଡିଆ ବୋଲି ମଧ୍ୟ ପ୍ରଚାର ହେଉଛି।

ଏବେ ଯିବା ମହାଭାରତ ଭଳି ପୌରାଣିକ କଥାବସ୍ତୁକୁ। ପାଣ୍ଡବ ଓ କୌରବ ମାନଙ୍କ ମଧ୍ୟରେ ମହାଭାରତ ଭଳି ୧୮ ଦିନିଆ ଯୁଦ୍ଧ ହୋଇଥିଲା। କେଉଁ କେଉଁ କାରଣ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା? ଏହି ଯୁଦ୍ଧର ପ୍ରଚ୍ଛଦ ପଟ୍ଟରେ କିଏ? ଯଦି ଏହି ଭଳି କିଛି ପ୍ରଶ୍ନ କରାଯାଏ, ତାହା ହେଲେ ନାନା ଲୋକଙ୍କ ଅନେକ ଉତ୍ତର ଆସିବ। ସେହି ଉତ୍ତର ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଧାରାବାହିକ ମହାଭାରତରେ ହୋଇଥିବା ଉପସ୍ଥାପନା ଅନୁଯାୟୀ, ଏହି ଗୋଟିଏ ଉତ୍ତର ନିଶ୍ଚିତ ଆସିବ ଯେ ମହାଭାରତ ଯୁଦ୍ଧ ପାଇଁ ଦ୍ରୌପଦୀ ମଧ୍ୟ ଦାୟୀ। ପାଞ୍ଚାଳୀ ଦ୍ରୌପଦୀ ପ୍ରତିଶୋଧ ମୂଳକ ଭାବେ ଦୁର୍ଯ୍ୟୋଧନଙ୍କୁ ତାଛଲ୍ୟ କରି ଗୋଟେ ଅନ୍ଧର ପୁଅ ଅନ୍ଧ ହୋଇଥାଏ ବୋଲି କହିଥିଲେ। ଏହି ଗୋଟିଏ କଥା ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା। ଯୁଦ୍ଧର ଇଏ ବି ଗୋଟିଏ କାରଣ ବୋଲି ଅନେକ ଯୁକ୍ତି ବାଢ଼ନ୍ତି। ଦ୍ରୌପଦୀ ଏମିତି କହିଛନ୍ତି କି ନାହିଁ, ତାହା ଏକ ବିରାଟ ବିତର୍କ।

ଏବେ ଯିବା ଆଉ ଏକ ଭାରତୀୟ ପୌରାଣିକ କଥାବସ୍ତୁ ରାମାୟଣକୁ। ନିଜ ପୁଅ ଭରତଙ୍କୁ ଅଯୋଧ୍ୟାର ରାଜ ସିଂହାସନରେ ବସାଇବା ସହ ମର୍ଯ୍ୟାଦା ପୁରୁଷ ଦଶରଥ ନନ୍ଦନ ରାମଙ୍କ ବନବାସ ପଛରେ ମାତା କୈକେୟୀଙ୍କ ହାତ ରହିଛି। ରାମ ବନବାସ ଯିବା ପରେ ଦୁଃଖରେ ଝୁରି ଝୁରି ଦଶରଥଙ୍କ ମୃତ୍ୟୁ ହୋଇଥିଲା। ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ କୈକେୟୀ ଆଉ ଏକ ମହତ୍ ଉଦ୍ଦେଶ୍ୟ ନେଇ ରାମଙ୍କ ବନବାସ ପାଇଁ ତ୍ରିବାର୍ ସତ୍ୟ କରିଥିବା ସ୍ୱାମୀ ଦଶରଥଙ୍କୁ ବର ମାଗିଥିଲେ ତାହା ଅନେକଙ୍କୁ ଅଜଣା ଥିବ। କିନ୍ତୁ ସ୍ତ୍ରୀ କଥାରେ ପଡି ସ୍ୱାମୀ ଦଶରଥ ଦୁଇ ପୁଅ ଏବଂ ବୋହୂଙ୍କୁ ୧୪ ବର୍ଷ ପାଇଁ ବନବାସକୁ ପଠାଇଥିଲେ ବୋଲି ଲୋକେ ଆଜି ଧେଣ୍ଡୁରା ପିଟୁଛନ୍ତି।

ସ୍ତ୍ରୀ କଥା ଶୁଣି ସ୍ୱାମୀମାନେ ହଇରାଣ ହରକତ ଓ ଲଜ୍ଜିତ ହୋଇଥିବା ବର୍ଣ୍ଣନା ଭାରତୀୟ ପୌରାଣିକ ଶାସ୍ତ୍ରରେ ଅନେକ ଉଦାହରଣ ରହିଛି।

ଏବେ ଯିବା ମୂଳ ପ୍ରସଙ୍ଗ ସରକାରୀ ଚାକିରୀ କରୁଥିବା ସ୍ୱାମୀମାନେ ଲାଞ୍ଚୁଆ ହେବା ପଛରେ ସ୍ତ୍ରୀ ମାନଙ୍କ ହାତ ଥାଏ କି? ଏହି କଥା ଆପଣ ଯାହାକୁ ପଚାରିବେ ସମସ୍ତେ ସମର୍ଥନ କରିବେ ଏବଂ ସେହି ଗୋଟିଏ କଥା କହିବେ, ସ୍ତ୍ରୀ କଥାରେ ପଡ଼ି ସରକାରୀ ଚାକିରିଆ ସ୍ୱାମୀ ଲାଞ୍ଚ ନେଉଛି। ସ୍ୱାମୀ କଥା ସ୍ତ୍ରୀକୁ କିଛି ଅଛପା ନଥାଏ। ସକାଳୁ ଶୋଇବା ଶେଜରୁ ଉଠି ପୁଣି ରାତି ଶୋଇବା ପର୍ଯ୍ୟନ୍ତ ସ୍ୱାମୀଙ୍କୁ କେତେବେଳେ କ'ଣ ଦରକାର ଥାଏ ସେ କଥା ସ୍ତ୍ରୀକୁ ଭଲ ଭାବରେ ଜଣାଥାଏ। ଆଉ କିଛି ଜଣା ଥାଉ କି ନଥାଉ ସ୍ଵାମୀଙ୍କ ମାସିକ ଦରମା କେତେ, ତାହା ସ୍ତ୍ରୀକୁ ଖୁବ୍ ଭଲ ଭାବରେ ଜଣାଥିବ। ସ୍ୱାମୀ କାହା ପାଖକୁ ଯାଆନ୍ତି,କେଉଁ ଖଟିରେ ବସନ୍ତି, କେଉଁ ସାଙ୍ଗ ଘରକୁ ଯାଆନ୍ତି ତାହା ମଧ୍ୟ ସ୍ତ୍ରୀମାନେ ପାଦେ ପାଦେ ଜଗି ଥାଆନ୍ତି। ସ୍ୱାମୀ ଯେବେ ମଦ ପିଇ ଘରକୁ ଆସେ ସେତେବେଳେ ତ ଘର ବିଜୁଳି ଏବଂ ଘଡଘଡିର ଶବ୍ଦରେ ପ୍ରକମ୍ପିତ ହୁଏ।

ସ୍ୱାମୀ ଯଦି ଅନ୍ୟ ନାରୀମାନଙ୍କ ସହ ରାସଲୀଳା କରିବା ଯଦି ସ୍ତ୍ରୀ ଦେଖି ଦିଏ କି ନାକରେ ବାସ୍ନା ବାଜିଯାଏ, ତାହା ହେଲେ ବାଦଲ ଫାଟିଯିବ, ଭୂମିକମ୍ପ ଆସିବ, ତାପରେ ପରେ ସୁନାମୀ ଆସି ସବୁ ଶେଷ କରିଦେବ। କିନ୍ତୁ ସ୍ୱାମୀମାନେ ଲାଞ୍ଚ ନନେଲେ ସାଧାରଣ ଲୋକଙ୍କ କାମ କରନ୍ତି ନାହିଁ ବୋଲି ଏ କଥା କଣ ସ୍ତ୍ରୀମାନେ ଜାଣି ପାରନ୍ତି ନାହିଁ? ଦରମାରେ ହାତ ନମାରି ଘରକୁ ନାମୀ ଦାମୀ ଜିନିଷ ଆସୁଛି ତାହା କଣ ସ୍ତ୍ରୀ ମାନେ ଜାଣି ପାରନ୍ତି ନାହିଁ? ଟଙ୍କାଟିଏ ଖର୍ଚ୍ଚ ନକରି ପରିବାର ସହ ଉଡାଜାହାଜରେ ଉଡ଼ି ଦେଶ ବିଦେଶ ବୁଲିବା, ବଡ ବଡ ହୋଟେଲରେ ଖାଇ ପିଇ ଦିନ ବିତାଇବା ମଉଜ ମସ୍ତି କରିବା ପଛରେ କିଏ ଖର୍ଚ୍ଚ କରୁଛି ତାହା କ'ଣ ସ୍ତ୍ରୀମାନେ ଜାଣିପାରୁ ନାହାଁନ୍ତି।

ଏକଥା ଯଦି ସ୍ତ୍ରୀମାନଙ୍କୁ ପଚରା ଯାଏ, ତାହା ହେଲେ ସେମାନେ କହିବେ ସ୍ୱାମୀମାନେ କେଉଁଠି ଚୋରି କରୁଛନ୍ତି, କେଉଁଠି ଧନ୍ଦା କରୁଛନ୍ତି, ଚାରି କାନ୍ଥ ଭିତରେ ଥିବା ସ୍ତ୍ରୀଟି କେମିତି ଜାଣିବ ବୋଲି ଉତ୍ତର ଦେବେ। ଏ କଥା ଜାଣି ଅଜଣା ହୁଅନ୍ତି ସ୍ତ୍ରୀମାନେ। ସ୍ୱାମୀ ମଦ ପିଇ ଘରକୁ ଆସିଲେ ସ୍ତ୍ରୀ ଯେମିତି ବାରଣ କରେ ସେମିତି ଉପହାର ସଦୃଶ ଘରକୁ ନାମୀଦାମୀ ଜିନିଷ ଆସିଲେ ବି ବିରୋଧ କରିବା କଥା। ସ୍ୱାମୀ ପରସ୍ତ୍ରୀ ବା ପରନାରୀ ସହ ସଂପର୍କ ରଖିଲେ ସ୍ତ୍ରୀ ଯେମିତି ଭୂକମ୍ପ ସୃଷ୍ଟି କରେ, ସେମିତି ଦରମା ପାଇବା ପରେ ବି ସାଧାରଣ ଲୋକଙ୍କଠାରୁ ଲାଞ୍ଚ ଗ୍ରହଣ କରିବା, କମିଶନ ଆଣିବା, ସରକାରୀ ଟଙ୍କାକୁ ହେରଫେର କରି ଆତ୍ମସାତ କରିବା କଥାରେ ଘରେ ଭୂକମ୍ପ ସୃଷ୍ଟି ହେବା କଥା।

ଲାଞ୍ଚ ନେବା ବା ସରକାରୀ ଅର୍ଥ ହେରଫେର କରି ଆତ୍ମସାତ କରିବା ବି ଏକ ପ୍ରକାର ପରସ୍ତ୍ରୀ ସହ ଶାରୀରିକ ସଂପର୍କ ଭଳି ସମାନ ବୋଲି ସ୍ତ୍ରୀ ଗ୍ରହଣ କରି ଘରେ ତମ୍ବି ତୋଫାନ କରିବା କଥା। ଲାଞ୍ଚ କି କମିଶନ ନେଲେ ଘରେ ବିରୋଧ କରିବା କଥା। ସ୍ତ୍ରୀ ଯଦି ବିରୋଧ କରେ ତାହା ହେଲେ ସ୍ୱାମୀ ଲାଞ୍ଚ ନେବାକୁ ସାହସ କରିବ ନାହିଁ କି କମିଶନୀ ଖାଇବାକୁ ମନ ବଳାଇବ ନାହିଁ । କିନ୍ତୁ ସ୍ତ୍ରୀ ଏଠି ସ୍ୱାମୀକୁ ସିଧା ସଳଖ ଭାବେ ଲୁଟ କରିବା ପାଇଁ ସମର୍ଥନ, ସାହସ ଦେବା ସହ ସହଯୋଗ ବି କରୁଛି।

ଦାମିକା ଶାଢ଼ି, ଭରି ଭରି ସୁନା ଅଳଙ୍କାର, ସୌଖୀନ ଗାଡ଼ି, ରାଜପ୍ରାସାଦ ଭଳି ଅଟ୍ଟାଳିକା ପାଇଁ ସ୍ତ୍ରୀ ଦେଖିଥିବା ସ୍ୱପ୍ନ ହିଁ ସ୍ୱାମୀଙ୍କୁ ଲାଞ୍ଚୁଆ କରିଦିଏ। ପୁଅର ଭବିଷ୍ୟତକୁ ଲକ୍ଷ୍ୟ ରଖି ଅମାପ ସମ୍ପତ୍ତି ଠୁଳ କରିବା କ'ଣ ଆବଶ୍ୟକ। ଶାସ୍ତ୍ର କହେ, ପୁଅ ଯଦି ଯୋଗ୍ୟ ହୁଏ ଧନ ସଞ୍ଚିବୁ କାହିଁକି, ପୁଅ ଯଦି ଅଯୋଗ୍ୟ ହୁଏ ଧନ ସଞ୍ଚିବୁ କାହିଁକି। ଝିଅକୁ ଭଲ ଘରେ ବାହା ଦେବି, ଉପହାର ସଦୃଶ୍ୟ ଭରି ଭରି ସୁନା ଗହଣା ଦେବି, ପ୍ଲଟ ଓ ଫ୍ଲାଟ୍ ଦେବି ବୋଲି ଲାଞ୍ଚ ଖାଇ ଚାଲିବ କିନ୍ତୁ ଝିଅର ଦିନ ଭଲରେ କଟିବ ବୋଲି କିଛି ମାନେ ଅଛି? ଯଦି ସ୍ତ୍ରୀଟିଏ ତାଙ୍କ ସ୍ଵାମୀକୁ କହେ ଯେତିକି ପ୍ରାପ୍ତ ସେତିକି ପର୍ଯ୍ୟାପ୍ତ।

ସରକାର ଯେତିକି ଦରମା ଦେଉଛନ୍ତି ସେତିକିରେ ଆମ ପିଲା ଛୁଆ ଖାଇ ପିଇ, ପାଠ ପଢ଼ି, ପ୍ୟାଣ୍ଟ ସାର୍ଟ ପିନ୍ଧି ସାରିବା ପରେ, ବଳକା ଯାହା ହେବ ତାହାକୁ ଭବିଷ୍ୟତ ପାଇଁ ସଞ୍ଚୟ କରିବା। ଅଧର୍ମ ବିତ୍ତ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ। ଏକଥା ଯଦି ସ୍ତ୍ରୀ ସ୍ୱାମୀକୁ ବାରମ୍ବାର କୁହନ୍ତେ ତାହା ହେଲେ ଆଜି ଲାଞ୍ଚୁଆ ସ୍ୱାମୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ ଯିବାକୁ ପଡି ନଥାନ୍ତା, ପୁଅ ଝିଅ ବାହାଘର ଅଧାରୁ ଭାଙ୍ଗି ଯାଇ ନଥାନ୍ତା କି କବାଟ କିଳି କାନ୍ଦିବାକୁ ପଡ଼ି ନଥାନ୍ତା।

ତେଣୁ ସ୍ତ୍ରୀ କଥାରେ ପଡି ଯେଉଁ ସରକାରୀ ବାବୁ ଲାଞ୍ଚ ଗ୍ରହଣ କରନ୍ତି ସେମାନେ ସବୁବେଳେ ଜାଲରେ ପଡି ଛନ୍ଦି ହୋଇଛନ୍ତି। ତେଣୁ କଥାରେ କୁହାଯାଏ ସ୍ତ୍ରୀ କଥାରେ ଦିଅଁ ଖଣ୍ଡିଆ।

ବିଶେଷ ସୂଚନା- ଏହି ଲେଖାଟି କେବଳ ଲାଞ୍ଚୁଆ ଅଫିସର୍ ମାନଙ୍କ ପାଇଁ ଉଦ୍ଦିଷ୍ଟ। ମହିଳାମାନଙ୍କ ଚରିତ୍ର ସଂହାର କରିବା କିମ୍ବା ସେମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବା ଲେଖକଙ୍କ ଉଦ୍ଦେଶ୍ୟ ନୁହେଁ। ସବୁ ମହିଳା ଏମିତି କରନ୍ତି ନାହିଁ। କେବଳ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ଲେଖକଙ୍କ ନିଜସ୍ୱ ମତ।

Woman Corruption
Advertisment
Related Articles
Advertisment