ରତ୍ନଭଣ୍ଡାର ରହସ୍ୟ ସହ ଯାଞ୍ଚ ପାଇଁ ହେବ କି ଲେଜର୍ ସ୍କାନିଂ ଓ ଏଣ୍ଡୋସ୍କୋପି ? 

ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ସଂଶୋଧିତ SOP ? ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି ସପକ୍ଷରେ ମତ ରଖିଲେ ବିଶେଷଜ୍ଞ  । ମରାମତି ଆଗରୁ ରତ୍ନ ଗଣତି-ମଣତି ସାରିବାକୁ ସେବାୟତଙ୍କ ଦାବି ।

Ratna Bhandar

ରତ୍ନଭଣ୍ଡାର ଖୋଲାଯିବା ପରେ ବି ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଥମୁନି। କାରଣ ଭିତର ଭଣ୍ଡାରରୁ ରତ୍ନ ସ୍ଥାନାନ୍ତରକୁ ୩ ଦିନ ବିତିଥିଲେ ବି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ କେବେ ଲେଜର ସ୍କାନିଂ ଏବଂ GPRS ହେବ, ଏଥିପାଇଁ ନୂଆ SOP କେବେ ଆସିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କେହି କେହି କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ବି ଏଣ୍ଡୋସ୍କୋପି ଉପରେ ଜୋର ଦେଇଛନ୍ତି । ତେବେ ରତ୍ନଭଣ୍ଡାରର ସ୍ଥାୟିତ୍ବ ସହ ଭଣ୍ଡାରରୁ ବାହାରିଥିବା ରତ୍ନ-ଅଳଙ୍କାର ସବୁର ଚିହ୍ନଟ, ଗଣତି-ମଣତି କାମ ବି ଶୀଘ୍ର ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ନୂଆ ଏସ୍ଓପି ? କିଭଳି ଖୋଲିବ ଜନଶ୍ରୁତିରେ ଥିବା ଗୁପ୍ତ ଭଣ୍ଡାର ଓ ସୁଡ଼ଙ୍ଗ ରହସ୍ୟ ? ମରାମତି ପାଇଁ ଆଗ ଏଏସ୍ଆଇକୁ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ ନା ସୁଡ଼ଙ୍ଗର ରହସ୍ୟ ଉନ୍ମୋଚନ ପରେ କରାଯିବ ? ଏସଓପିରେ ଲେଜର ସ୍କାନିଂ ଏବଂ ଜିପିଆରଏସ୍ ଅନ୍ତର୍ଭୁକ୍ତ ନଥିବାରୁ ଏଥିପାଇଁ ପୁଣି ଏକ ସଂଶୋଧିତ ଏସଓପି ଆସିବ ବୋଲି କୁହାଯାଉଛି। ହେଲେ ତାହା କେବେ ହେବ ? ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ପ୍ରଥମେ ଲେଜର ସ୍କାନିଂ ଓ ଜିପିଆରଏସ୍ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କାର୍ଯ୍ୟ ସରିଲା ପରେ ଯଦି ବାସ୍ତବରେ ସେଭଳି କିଛି ଗୁପ୍ତ କୋଠରୀର ସନ୍ଧାନ ମିଳେ, ତାହେଲେ ସେ ଭିତରେ କଣ ରତ୍ନ ଅଳଙ୍କାର ଅଛି, ତାର ଯାଞ୍ଚ ସହ ସଂରକ୍ଷଣ ବି ଜରୁରୀ। ତେଣୁ ସେଇ ଅନୁସାରେ ପରବର୍ତ୍ତୀ ସମୟରେ ଏଏସ୍ଆଇକୁ ମରାମତି ପାଇଁ ଦିଆଯିବା ଦରକାର। 

ସେହିପରି ଅନ୍ୟତମ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସରକାର ଏନେଇ ଏସଓପି ଆଣି, ଦରକାର ପଡ଼ିଲେ କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ଢାଞ୍ଚାଗତ ଦୁର୍ବଳତା ଓ ଅନ୍ୟ ରହସ୍ୟ ଉନ୍ମୋଚନ ପାଇଁ ଏଣ୍ଡୋସ୍କୋପି ଉପରେ ଜୋର୍ ଦେଇଛନ୍ତି। ଅପରପକ୍ଷେ ବିଶେଷଜ୍ଞଙ୍କର ବି ମତ ଲେଜର ସ୍କାନିଂ ଏବଂ ଏଣ୍ଡୋସ୍କୋପି ଜରିଆରେ ବହୁ ପୁରାତନ ମନ୍ଦିର ଏବଂ ମନୁମେଣ୍ଟ ଭିତରେ ଥିବା ଢାଞ୍ଚାଗତ ଦୋଷ ଦୁର୍ବଳତା ଏବଂ ଭିତରର ରହସ୍ୟ ସଂପର୍କରେ ଜାଣିବାରେ କୌଣସି ଅସୁବିଧା ହେବନି।

ସେପଟେ ସେବାୟତଙ୍କ ଦାବି ରତ୍ନଭଣ୍ଡାରର ସ୍ଥାୟିତ୍ବ ସହ ଭଣ୍ଡାର ଘରୁ ବାହାରିଥିବା ରତ୍ନ ଅଳଙ୍କାରର ବି ଯଥାଶୀଘ୍ର ଗଣତି ମଣତି ଓ ଆବଶ୍ୟକସ୍ଥଳେ ମରାମତିର ଯଥେଷ୍ଟ ଆବଶ୍ୟକତା ରହିଛି। ତେଣୁ ଭଣ୍ଡାର ମରାମତି କାମରେ ବିଳମ୍ବର ସମ୍ଭାବନା ଥିବାରୁ ସେ କାମ ଆଗ କରାଯାଉ। ସେହିପରି ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଆଲମିରା ଆଦିକ ସଂରକ୍ଷଣ କରାଯାଇ ମ୍ୟୁଜିୟମରେ ରଖାଯିବାକୁ ବାଦି ଉଠିଛି। ସେପଟେ ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏଏସ୍ଆଇ ଖୁବ୍ଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ କରି ମରାମତି କରିବ। ଏବଂ ତା ପରେ ହିଁ ଗଣତି-ମଣତି ହେବ।