ଗ୍ରୀଷ୍ମର ପ୍ରଭାବରେ ଖରା ତାତି ବଢ଼ିବାରେ ଲାଗିଛି। ନଦୀ, କୂଅ ସବୁ ଶୁଖିଲା ପଡିଛି। ଗାଁ ଗାଁରେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗଂଜାମ ଗାଲେରିରୁ ଦେଖିବା ଜଳକଷ୍ଟର ଚିତ୍ର ।
ଗାଁରେ ବସିଛି ପାଣି ଟାଙ୍କି,ପ୍ରତି ସାହିରେ ଷ୍ଟାଣ୍ଡ ପୋଷ୍ଟ ରହିଛି, ହେଲେ ସେଥିରେ ପାଣି ଆସୁନି। ହାତରେ ଗରା ମାଠିଆ ଧରି ପାଣି ପାଇଁ ନଦୀକୁ ଯାଉଛନ୍ତି ମହିଳା । ଏ ଚିତ୍ର ହେଉଛି ଗଂଜାମ ଭଂଜନଗର ବ୍ଲକ ଗାଲେରି ଗାଁର । ଦଣ୍ଡଯାତ୍ରା ପାଇଁ ପ୍ରସିଦ୍ଧ ଏହି ଗାଁ ରେ ଏବେ ଜଳକଷ୍ଟ ଉତ୍କଟ ହୋଇ ପଡିଛି । ପିଇବାକୁ ମିଳୁନି ପାଣି ମୁନ୍ଦାଏ । ଦିନେ କି ଦୁଇଦିନ ନୁଁହ ପ୍ରାୟ ପନ୍ଦର ଦିନ ହେବ ଏଭଳି ସମସ୍ୟା ଦେଖାଦେଇଛି ଏହି ଗାଁରେ ।
ପୂର୍ବରୁ ଗାଁକୁ ପାନୀୟ ଜଳ ଯୋଗାଣ ଵ୍ୟଵସ୍ଥା କରିବା ସହ ଗାଁରେ ଷ୍ଟାଣ୍ଡପୋଷ୍ଟ ବସିଥିଲା। ହେଲେ ଏଥିରେ ଏବେ ପାଣି ଆସୁନାହିଁ । ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପରିବାର ଏହି ଗାଁରେ ରହୁଛନ୍ତି। ପାଣି ପାଇଁ ପର୍ଯ୍ୟାପ୍ତ ନଳକୂପ ନାହିଁ। ଯେତିକି ନଳକୂପ ଅଛି ସେଥିରେ ଭଲ ପାଣି ଆସୁନି। ପାଣି ଟିକିଏ ପାଇଁ ଡ଼ହଳବିକଳ ପରିସ୍ଥିତି ସୃଷ୍ଟି ହୋଇଛି । ଡହଡହ ଖରାରେ ଲୋକେ ପାଣି ପାଇଁ ବୁଲୁଛନ୍ତି। ଚୁଆ ଖୋଳି ଲୋକଙ୍କୁ ପାଣି ସଂଗ୍ରହ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି।
ସକାଳୁ ଉଠିଲେ ଲୋକଙ୍କୁ ପାଣିଚିନ୍ତା । ମହିଳା ମାନେ ହାତରେ ଗରା ମାଠିଆ ଧରି ଗାଁ ନଦୀକୁ ଯାଉଛନ୍ତି । ନଦୀର ଶୁଖିଲା ବାଲିରେ ଚୁଆ କରି ସେଠାରୁ ପାଣିକୁ ମୁନ୍ଦେ ମୁନ୍ଦେ କରି ସଂଗ୍ରହ କରୁଛନ୍ତି । ସକାଳ ୯ ଟା ହୋଇଗଲେ ନଦୀର ବାଲି ତାତି ଯାଉଥିବାରୁ ତରବରିଆ ଭାବେ ମହିଳା ମାନେ ପାଣିଧରି ଘରକୁ ଫେରୁଛନ୍ତି । ଏଠାରେ ହିଁ ଗାଧୁଆ ପାଧୁଆ ସାରି ପିଇବା ପାଣି ଧରି ଘରକୁ ନେଇ ଆସୁଛନ୍ତି ।
ଗାଁରେ ହେବ ମେରୁ ଯାତ୍ରା। ଘରକୁ ଆସିଲେଣି ସମ୍ପର୍କୀୟ। ହେଲେ ପାଣି ନଥିବାରୁ ବଢିଛି ଚିନ୍ତା । ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଜଳପ୍ରକଳ୍ପରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ଜଳଯୋଗାଣ ବନ୍ଦ ହୋଇ ପଡ଼ିଥିବା କଥା କହିଛନ୍ତି । ଏ ସମ୍ପର୍କରେ ଭଂଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି ଓ ଟ୍ରାନ୍ସଫର୍ମର ବସାଇବା ପାଇଁ ବିଦ୍ୟୁତ ବିଭାଗ ସହିତ କଥା ହୋଇଥିବା ସୂଚନା ଦେଇଛନ୍ତି ।