Advertisment

ଫିଟନେସ୍ କି ରେଜିଷ୍ଟ୍ରେସନ ନଥାଇ ଗଡୁଥିବା ଗାଡ଼ି ସାବଧାନ

ତୁରନ୍ତ ଆକ୍ସନ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶନାମା । ରାଜ୍ୟବାପୀ ଘୂରି ବୁଲିବ ଏନଫୋର୍ସମେଣ୍ଟ ଟିମ୍ ।

undefined

Vehicle Fitness

Advertisment

ଫିଟନେସ୍ ନଥିବା ଗାଡ଼ି ସାବଧାନ  । ବିନା ଫିଟନେସ୍ କି ରେଜିଷ୍ଟ୍ରେସନରେ ଗଡୁଥିଲେ, ହେବ କଡ଼ା ଆକ୍ସନ । ଗାଡ଼ି ସିଜ୍ ହେବ, ମାଲିକଙ୍କ ନାଁରେ ମାମଲା ବି ହେବ । ରାଜ୍ୟ ପରିବହନ ବିଭାଗର ଏ କଡ଼ା ନିଷ୍ପତ୍ତି ସାଙ୍ଗକୁ ବିଭାଗୀୟ ମନ୍ତ୍ରୀ ବିଭୁତି ଜେନାଙ୍କ ଚେତାବନୀ ପରେ ଏବେ ଚାରିଆଡ଼େ ଛନକା। ଏମିତିକି ଏନେଇ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ କରିବାକୁ ସବୁ ଆରଟିଓ ମାନଙ୍କୁ ବି ନିର୍ଦ୍ଦେଶନାମା ଜାରି ହେଲାଣି।

Advertisment

କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ଏବଂ ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବାଧ୍ୟତାମୂଳକ। ଏହା ନଥିଲେ ଗାଡ଼ି ରାସ୍ତାରେ ଚାଲିବା ଧର୍ତ୍ତବ୍ୟ ଅପରାଧ । ନିୟମ ଉଲ୍ଲଂଘନକାରୀ ଏଭଳି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବା ନିୟମ ନାହିଁ। ଯାହା ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତି କ୍ଷତିପୂରଣ ପାଇପାରୁ ନାହାନ୍ତି। ତେଣୁ ସଡ଼କ ସୁରକ୍ଷା ଦୃଷ୍ଟିରୁ ଏଭଳି ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

କେବଳ ଯେ, ବାଣଜ୍ୟିକ ଓ ଘରୋଇ ଗାଡ଼ିମାନଙ୍କ କ୍ଷେତ୍ରରେ ଏ ନିୟମ ଲାଗୁ ହେବ ତା ନୁହେଁ। ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏ ନିୟମ ଉଲ୍ଲଂଘନ ହେବା ଧରାପଡ଼ିଲେ, ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବି ମାମଲା ରୁଜୁ ହେବ। ଏଣେ ସହର ହେଉ କି ଗାଁ ଗହଳିରେ ଟାଲୁଥିବା ଯାନବାହାନ ହେଉ ଅବା ଖଣି ଖାଦାନ ଅଞ୍ଚଳରେ ଟ୍ରକ୍। ସବୁଠି କାହାର ନମ୍ବର ପ୍ଲେଟ୍ ଠିକରେ ଦିଶୁନି, ତ କାହାର ଫିଟନେସ୍ ବି ନାହିଁ। ଯାହାକି ଜନଜୀବନ ପାଇଁ ବଡ଼ ବିପଦ ବୋଲି କହିଲେଣି ସାଧାରଣ ଜନତା। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବି କହିଲେଣି ସରକାରଙ୍କ କଡ଼ା ନିୟମ ସ୍ବାଗତ ଯୋଗ୍ୟ ପଦକ୍ଷେପ।

Advertisment

ସେପଟେ ଟ୍ରାନସପୋର୍ଟ ବିଭାଗର କଡ଼ା ନିର୍ଦ୍ଦେଶନାମା ପରେ ସଜାଗ ହୋଇଛି ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ । ଏସଟିଏର ସିନିୟର ଏନଫୋର୍ସମେଣ୍ଟ ଅଧିକାରୀ ଲାଲମୋହନ ସେଠୀ କହିଛନ୍ତି ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦକ୍ଷ ଅଫିସରଙ୍କୁ ନେଇ ସ୍ପଶାଲ୍ ଟିମ୍ ଗଠନ ହୋଇଛି । ଆସନ୍ତା ୨୯ ତାରିଖରୁ ଏମାନେ ଅତର୍କିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟର ଯାନ ଆଇନ୍ ଉଲ୍ଲଙ୍ଘନକାରୀ ଗାଡିକୁ ସିଜ୍ କରିବା ସହ ମାମଲା ରୁଜୁ କରିବେ।

ଏମିତିକି ବେଆଇନ ଫିଟନେସ୍ ସାର୍ଟିଫିକେଟ ପ୍ରଦାନରେ କେଉଁଠି ଆରଟିଓ କର୍ମଚାରୀଙ୍କ ତ୍ରୁଟି ପରିଲକ୍ଷିତ ହେଲେ ସେମାନଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଫିଟନେସ୍ ନଥାଇ ଚାଲୁଥିବା ଗାଡ଼ି, ଓଭର ଲୋଡିଂ ଓ ଅଧିକା ଭଡ଼ା ନେଉଥିବା ଗାଡ଼ିଙ୍କ ବିରୋଧରେ ତୁରନ୍ତ ଆକ୍ସନ ହେବ। ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଗାଡ଼ି ଗୁଡିକ ଉପରେ କଡା ନଜର ରଖାଯିବ।

Advertisment

ସବୁଠୁ ବଡ଼ କଥା ହେଲା ଫିଟନେସ୍ ଓ ରେଜିଷ୍ଟ୍ରେସନ ନଥାଇ ଚାଲୁଥିବା ଗାଡ଼ି ଗୁଡ଼ିକର ତାଲିକା କରି ଆରଟିଓମାନେ ବିଭିନ୍ନ ଟୋଲ୍ ଗେଟ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଯଦ୍ୱାରା ସଂପୃକ୍ତ ଗାଡ଼ିଗୁଡ଼ିକ ଟୋଲ ଗେଟ୍ ଦେଇ ଗଲାବେଳେ ସହଜରେ ଧରା ପଡ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ