ମାସ ମାସ ଧରି ଖତ ଖାଉଛି ଇ-ବସ୍, ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ

ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ।

E-bus

ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି । ପୁରୀ ସମଙ୍ଗ ପାର୍କିଂ ପ୍ଲେସରେ କୋଟି କୋଟି ଟଙ୍କାର ବସ୍ ମଧ୍ୟରୁ କିଛି ରକ୍ଷଣାବେକ୍ଷଣ ଅଭାବରୁ କ୍ଷତିଗ୍ରସ୍ତ ହେଲାଣି ।

ଶ୍ରୀମନ୍ଦିର ପ୍ରଶାସନ ନାଁରେ ବ୍ରାଣ୍ଡିଂ ହୋଇଥିବା ଏତେ ସଂଖ୍ୟାରେ ବସ୍ ରାସ୍ତାରେ ନଗଡ଼ି କାହିଁକି ପଡ଼ି ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ । ଅତ୍ୟାଧୁନିକ, ଆରାମଦାୟକ ଏବଂ ବ୍ୟୟବହୁଳ .. ଗୋଟିଏ କି ଦୁଇଟି ନୁହେଁ, ପୂରା ୩୫ଟି ଶ୍ରୀକ୍ଷେତ୍ର ପୁରୀର ସମଙ୍ଗ ପାର୍କି ସ୍ଥଳରେ ଆଜିକୁ ପ୍ରାୟ ୧୦ ମାସ ହେବ ଏଭଳି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି ଏତେ ସଂଖ୍ୟାରେ ବସ୍ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନାଁରେ ବ୍ରାଣ୍ଡିଂ ହୋଇଥିବା ଶୀତତାପ ନିୟନ୍ତ୍ରିତ ଓ ବ୍ୟାଟେରି ଚାଳିତ ବସଗୁଡ଼ିକର ଆରଟିଓ ରେଜିଷ୍ଟ୍ରେସନ ବି ସରିଛି । ଅପେକ୍ଷା କେବଳ ଜନସାଧାରଣଙ୍କ ସେବାରେ ଲାଗିବାକୁ । ମାସ ମାସ ଧରି ବସ୍‌ଗୁଡ଼ିକ ଏଭଳି ଅବସ୍ଥାରେ ପଡ଼ିଥିଲେ ବି ଏହାକୁ ବ୍ୟବହାର କରାଯାଇ ପାରିନି ।

କୁହାଯାଉଛି, ପୁରୀକୁ ଆସୁଥିବା ସାଧାରଣ ଭକ୍ତଙ୍କୁ ସୁବିଧା ଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ବେଳେ ଏସବୁ ବସ୍ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ବସରେ ଶ୍ରୀମନ୍ଦିର ପ୍ରଶାସନ ଲୋଗୋ ସାଙ୍ଗକୁ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଷ୍ଟିକର ଲାଗିଛି । କିନ୍ତୁ ବିଡ଼ମ୍ବନା, କିଣାଯିବା ପରଠୁ ସାଧାରଣ ଭକ୍ତ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ଓ ସେବାରେ ଲାଗି ପାରିନି ।

ଫଳରେ ଅଚଳ ସ୍ଥିତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଭାଙ୍ଗିରୁଜି ଗଲାଣି କିଛି କିଛି ବସ୍ । ତେଣୁ ବସଗୁଡ଼ିକ କାହିଁକି ଚାଲୁନି, ତାକୁ ନେଇ ତୀବ୍ର ଉଦବେଗ ପ୍ରକାଶ ସହ ଏହାର ତୁରନ୍ତ ଚଳାଚଳ ପାଇଁ ଦାବି କରିଛନ୍ତି ପୁରୀର ସଚେତନ ନାଗରିକ ଓ ବୁଦ୍ଧିଜୀବୀ । ସୂଚନା ଅନୁସାରେ ଏଇ ଗୋଟିଏ ଗୋଟିଏ ବସର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ।

ଅନୁମାନ କରାଯାଉଛି, ୩୫ଟି ବସର ଦାମ୍ ପ୍ରାୟ ୪୦ କୋଟି ହେବ । ୨୫ ସିଟ୍ ବିସିଷ୍ଟ ଏହି ବସରେ ସାଧାରଣ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସୁବିଧା ସାଙ୍ଗକୁ ଦିବ୍ୟାଙ୍ଗମାନଙ୍କ ଲାଗି ସ୍ୱତନ୍ତ୍ର ରାମ୍ପର ସୁବିଧା ମଧ୍ୟ ରହିଛି । ସିସିଟିଭି କ୍ୟାମେରା ସାଙ୍ଗକୁ ସବୁ ପ୍ରକାର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ପରିପୂର୍ଣ୍ଣ ଏ ବସରେ ଯାତ୍ରୀମାନେ କେବଳ ସୁବିଧା ନୁହେଁ, ସୁରକ୍ଷିତ ଯାତ୍ରା ମଧ୍ୟ କରିପାରିବେ ।

ଏତେ ଦିନ ଧରି ବସ୍ ଗୁଡ଼ିକ ପଡ଼ି ରହିବା ପରେ ଆଗକୁ ଆସୁଥିବା କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଲାଗି ବ୍ୟବହାର କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିରର କିଛି ବରିଷ୍ଠ ସେବାୟତ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବସ୍ ପରିଚାଳନା ଲାଗି କିଛି ସାଧନ ନାହିଁ, ତେଣୁ ଏ ବସଗୁଡ଼ିକର ଚଳାଚଳ ଲାଗି ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।