Jual Oram Missing
ଗତ ଶନିବାର ରାତିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଏକ ରହସ୍ୟମୟ ଘଟଣା ଘଟିଥିଲା, ଯାହା ରେଲୱେ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିର ନିଦ ହଜାଇ ଦେଇଥିଲା । ଦିଲ୍ଲୀରୁ ଗୋଡ଼ୱାନା ଏକ୍ସପ୍ରେସରେ ଜବଲପୁର ଯାଉଥିବା ଜୁଏଲ ଓରାମ୍ ହଠାତ୍ ରାତାରାତି ଟ୍ରେନରୁ କୁଆଡେ ଉଭାନ ହୋଇଯାଇଥିଲେ । ଟ୍ରେନରୁ କେମିତି ଗାଏବ ହେଲେ ? କିଏ ନେଲା ? କିଏ ଅପହରଣ କଲା କି ? ଏମିତି ଆଶଙ୍କା କରାଯାଇ ଆରମ୍ଭ ହୋଇଗଲା ସର୍ଚ୍ଚ ଅପରେସନ । ଶେଷରେ ସକାଳୁ ଓରାମ ଆଉ ଏକ ଟ୍ରେନରେ ଆହତ ଅବସ୍ଥାରେ ମିଳିଥିଲେ ।
ଜୁଏଲ ଓରାମଙ୍କ ସହ କ'ଣ ଘଟିଥିଲା ?
ଗତ ଶନିବାର (୩ ତାରିଖ) ରାତିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ଗୋଣ୍ଡୱାନା ଏକ୍ସପ୍ରେସରେ ଜବଲପୁର ଯିବାକୁ ଚଢ଼ିଥିଲେ । ରାତି ୧୧ଟାରେ ତାଙ୍କୁ ଶେଷ ଥର ନିଜ ବର୍ଥରେ ଦେଖାଯାଇଥିଲା । ଅଧା ବାଟରୁ ହଠାତ୍ ସେ ବର୍ଥରୁ କୁଆଡେ ଗାଏବ ହୋଇଯାଇଥିଲେ । ରବିବାର ସକାଳୁ ଦାମୋହ ଷ୍ଟେସନ ପାଖରେ ତାଙ୍କ ସିଟ୍ ଖାଲିଥିବା ଦେଖିବାକୁ ମିଳିଥିଲା ।
ଏହାପରେ ରେଲୱେ ବିଭାଗ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଦୀର୍ଘ ୩ ଘଣ୍ଟାର ଖୋଜାଖୋଜି ପରେ ଶେଷରେ ସକାଳ ପ୍ରାୟ ୬ଟା ୫୫ରେ ୧୬୨ କିଲୋମିଟର ଦୂର ମଧ୍ୟପ୍ରଦେଶର ସିରୋହା ଷ୍ଟେସନରେ ସମ୍ପର୍କ କ୍ରାନ୍ତ ଏକ୍ସପ୍ରେସରେ ବସିଥିବାର ଦେଖିବାକୁ ମିଳିଥିଲେ ଜୁଏଲ ଓରାମ । ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା ।
ସୂତ୍ର ମୁତାବକ, କେନ୍ଦ୍ରମନ୍ତ୍ରୀ ସକାଳ ୩ଟା ୪୫ରେ ଦାମୋହ ଷ୍ଟେସନରେ ଓହ୍ଲାଇଥିଲେ । ଏହି ସମୟରେ ତାଙ୍କ ସୁଗାର ଲେବୁଲ କମ୍ ହୋଇଯାଇଥିଲା । ଏତିକି ବେଳେ ଟ୍ରେନ ଛାଡି ଦେଇଦେବାରୁ ସେ ତରବରିଆ ଭାବେ ଚଢ଼ିବାକୁ ଚେଷ୍ଟା କରିଥିଲେ । ଏଥିରେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ଆଘାତ ଲାଗିଥିଲା । ସେହି ସମୟରେ ଅନ୍ୟ ଏକ ପ୍ଲାଟଫର୍ମରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଆସିଥିଲା ଏବଂ ସେ ବସି ଯାଇଥିଲେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ
ଏବେ ଏହି ଗାଏବ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ ଓରାମ । ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଚାରିତ ଖବରକୁ ଗୁଜବ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ''ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସତ୍ୟ ଖବର ଉପରେ ବିଶ୍ବାସ କରନ୍ତୁ । ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛି । ମୁଁ ପୂରା ଫିଟ୍ ଅଛି, କର୍ତ୍ତବ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।''
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746532765.jpg)