ଶୀତ ଲେଉଟିଗଲାଣି ଖରା ଆରମ୍ଭ ହୋଇଗଲାଣି । ଏହାସହ ଆରମ୍ଭ ହୋଇଗଲାଣି ପାଣି ଚିନ୍ତା । ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇପାରୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଦିନ ଗଡୁଛି ହେଲେ କାମ ଯେଉଁଠି ସେଇଠି ଅଟକି ରହିଛି । ମନ୍ଥର ଗତିରେ ଚାଲିଛି ଉପାନ୍ତ ଅଞ୍ଚଳ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ । ମାଲକାନଗିରିରେ ଅଧାରେ ଅଟକିଛି ୧୦ରୁ ଅଧିକ ପ୍ରକଳ୍ପ ।
ମନ୍ଥର ଗତି କାର୍ଯ୍ୟ ପାଇଁ ଶେଷ ହୋଇପାରୁନି ପ୍ରକଳ୍ପ କାର୍ଯ୍ୟ । ଅବଧି ପୂରିବା ପରେ ମଧ୍ୟ ପ୍ରକଳ୍ପ କାମ ଶେଷ ହେଉନଥିବାରୁ କୁହୁଳୁଛି ଜନ ଅସନ୍ତୋଷ । ୨୦୨୧ ଯାଇ ୨୦୨୩ ହେଲାଣି କାର୍ଯ୍ୟ ଶେଷର ଅବଧିକୁ ମଧ୍ୟ ୨ ବର୍ଷ ବିତିଲାଣି ହେଲେ ଶେଷ ହୋଇପାରୁନି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ମାରିଓ୍ୱାଡାର ମେଗା ପାନୀୟ ଜଳ ପ୍ରକଳ୍ପ । । ଟାର୍ଗେଟ୍ ପରେ ଟାର୍ଗେଟ୍ ଗଡୁଛି ହେଲେ କାମ ସେମିତି ଆଣ୍ଠେଇଛି ।
Also Read
ଏହି ପ୍ରକଳ୍ପ ୬୦ ପ୍ରତିଶତ ବି ଶେଷ ହୋଇନି । ଏଥିପାଇଁ ମୋଟ ୧୨୨ କୋଟି ମଞ୍ଜୁର ହୋଇଥିବାବେଳେ ଖର୍ଚ୍ଚ ହୋଇଛି ମାତ୍ର ୭୦ କୋଟି ଟଙ୍କା । ପ୍ରକଳ୍ପ ନିର୍ମାଣ କେବେ ସରିବ ଆଉ କେବେ ଲୋକ ପାଣି ପାଇବେ ତାହା କାହାକୁ ବି ଜଣାନାହିଁ । କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ ଜିଲ୍ଲାରେ ନିର୍ମାଣାଧୀନ ୧୦ଟି ପ୍ରକଳ୍ପର ସ୍ଥିତି ପ୍ରାୟ ସମାନ ।
ଆଗକୁ ଖରାଦିନେ ଆସୁଥିବାବେଳେ ଏଥର ବି ଲୋକ ଜଳ ସଂକଟରେ ଘାଣ୍ଟିହେବେ ବୋଲି ଏବେଠୁ ଜଳଜଳ ଦେଖାଗଲାଣି । ସେପଟେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଟାର୍ଗେଟ୍ ସମୟରେ କାମ ଶେଷ କରିବାକୁ ଠିକାଦାରଙ୍କୁ ତାଗିଦ କରାଯାଇଛି । ଉପାନ୍ତ ଜିଲ୍ଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ବି ସମାନ ଅବସ୍ଥା । ଦଶମନ୍ତପୁର ଏବଂ ନାରାୟଣ ପାଟଣା ମେଗା ପାନୀୟ ଜଳ ପ୍ରକଳ୍ପ କାମ କଛପ ଗତିରେ ଚାଲିଛି ।
ଅଧିକ ପଢ଼ନ୍ତୁ: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ ବ୍ୟବସାୟୀ, ଗୁଳିକରି ଚମ୍ପଟ ମାରିଲେ ଦୁର୍ବୃତ୍ତ
୭୭ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ପ୍ରକଳ୍ପ ୨୦୨୨ରେ ଆରମ୍ଭ ହୋଇ ୨୦୨୪ ଜାନୁଆରୀରେ ଶେଷହେବାର ଥିଲା । କିନ୍ତୁ ଅବଧିକୁ ବର୍ଷେ ବିତିଯାଇଥିଲେ ବି ମାତ୍ର ୫୦ ପ୍ରତିଶତ କାମ ଶେଷ ହୋଇଛି । ଅପରପକ୍ଷରେ ପ୍ରକଳ୍ପ କାର୍ଯ୍ୟକାରୀ ନହେଉଣୁ ନିମ୍ନମାନର କାମ ହୋଇଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳିଲାଣି । କେଉଁଠି ପାଇପ୍ ଉଠିଗଲାଣି ତ କେଉଁଠି ଷ୍ଟାଣ୍ଡ୍ ନଷ୍ଟ ହୋଇଗଲାଣି । ଏନେଇ ସ୍ଥାନୀୟ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଯନ୍ତ୍ରୀ କହିଛନ୍ତି ଖୁବଶୀଘ୍ର କାମ ଶେଷ କରାଯିବ । ତେବେ ଦେଖିବାକୁ ବାକିରହିଲା କେବେ କାମ ସରିବା ସହ ଦୂରହେବ ଲୋକଙ୍କ ଜଳକଷ୍ଟ ।