34 Crores Down the Drain: ଆଦିବାସୀଙ୍କ ଉନ୍ନତି ନାଁରେ କେମିତି ୩୪ କୋଟି ଚଳୁ କଲା ରାଜା ଚକ୍ର ? ଗ୍ରାଉଣ୍ଡ ଜିରୋର ତଥ୍ୟ ବଖାଣୁଛି ମହାଲୁଟର ବାସ୍ତବତା

କ୍ରାଇମବ୍ରାଞ୍ଚ ଡିଜିଙ୍କ ଆଖି ତରାଟିଲା ଭଳି ଏ ତଥ୍ୟ ଏଇଥି ପାଇଁ ଶହେ ପ୍ରତିଶତ ଠିକ୍ । କାରଣ ଗ୍ରାଉଣ୍ଡ ଜିରୋରେ ହିଁ ଚିତ୍ର ଗୋଟି ଗୋଟି କରି ବୟାନ କରୁଛି ମହାଲୁଟର ବାସ୍ତବତା । ପାରିପାର୍ଶ୍ବିକ ଉନ୍ନତିର ଏଠି ଚିହ୍ନବର୍ଣ୍ଣ ନାହିଁ ।

୩୪ କୋଟି ଖର୍ଚ୍ଚ, ପିଉଛନ୍ତି ଚୁଆ ପାଣି

ଆଦିବାସୀଙ୍କ ବିକାଶ ନାଁରେ ବିଜେଡି ନେତା ରାଜା ଚକ୍ର କେମିତି କରିଛି ୩୪ କୋଟିର ମହାଲୁଟ୍ ? ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଥ୍ୟ ସହ କେମିତି ଖାପ୍ ଖାଇ ଯାଉଛି ଗ୍ରାଉଣ୍ଡ ଜିରୋର ଚିତ୍ର । ସ୍ପଷ୍ଟ ବୟାନ କରୁଛି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଅଧିନରେ ଥିବା ୧୧ ଗାଁର ବାସ୍ତବ ସ୍ଥିତି । ଏସବୁ ଗାଁର ପାରିପାର୍ଶ୍ବକ ଉନ୍ନତି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜା ଚକ୍ର କଂପାନୀ କାଗଜପତ୍ରରେ ଦର୍ଶା ଯାଇଥିବା ବେଳେ ସେଠିକା ଲୋକେ କିନ୍ତୁ ଏବେ ବି ସେଇ ନାଳ ଓ ଚୂଆ ପାଣି ପିଉଛନ୍ତି, ଭଙ୍ଗା ଖପର ଘରେ ରହୁଛନ୍ତି। ପ୍ରତିବାଦ କଲେ କେମିତି ରାଜା ଧମକାଉଥିଲା ସେ କଥା ବି ବଖାଣିଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ପଦାରେ ବିଜେଡି କନ୍ଦଳ, ଧର୍ମପଦ ଉପାଖ୍ୟାନ ଶୁଣାଇ ଟାର୍ଗେଟ୍ କଲେ ଅଶୋକ ପଣ୍ଡା

କ୍ରାଇମବ୍ରାଞ୍ଚ ଡିଜିଙ୍କ ଆଖି ତରାଟିଲା ଭଳି ଏ ତଥ୍ୟ ଏଇଥି ପାଇଁ ଶହେ ପ୍ରତିଶତ ଠିକ୍ । କାରଣ ଗ୍ରାଉଣ୍ଡ ଜିରୋରେ ହିଁ ଚିତ୍ର ଗୋଟି ଗୋଟି କରି ବୟାନ କରୁଛି ମହାଲୁଟର ବାସ୍ତବତା । ପାରିପାର୍ଶ୍ବିକ ଉନ୍ନତିର ଏଠି ଚିହ୍ନବର୍ଣ୍ଣ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ସେଇ ଝାଟିମାଟିର ଭଙ୍ଗା ଦଦରା ଖପର ଘର । ଚୂଆ ଓ ନାଳରୁ ପିଇବା ପାଣି ସଂଗ୍ରହ, ଖାଁ ଖାଁ ସ୍ବାସ୍ଥ୍ୟକେନ୍ଦ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋ-ଅପରେଟିଭ୍ ସୋସାଇଟି ଗଢ଼ି କେମିତି ରାଜା ଚକ୍ର ଗନ୍ଧମାର୍ଦ୍ଧନ ପାହାଡ଼ ଚାରିପାଖ ଗାଁରେ ପାରିପାର୍ଶିକ ଉନ୍ନତି ନାଁରେ କୋଟି କୋଟି ଟଙ୍କା ଚଳୁ କରିଛି, ଏ ସବୁ ତାର ଜୀବନ୍ତ ପ୍ରମାଣ ।

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନାଉପଦା ଗାଁ । ଯାହାକି ରାଜା ଚକ୍ରର ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଅଧୀନରେ ଥିବା ୧୧ଟି ପାରିପାର୍ଶ୍ବିକ ବିକାଶ ହୋଇଥିବା ଗାଁ ତାଲିକାରେ ଅଛି । ହେଲେ ଗାଁକୁ ପଶୁ ପଶୁ ଏଠି ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ଅଛି, ସେଠି ସବୁବେଳେ ତାଲା । ଗାଁ ସାରା ଭଙ୍ଗା ଦଦରା ଖପର ଘରରେ ଭର୍ତ୍ତି । ପିଇବା ପାଣି ମୁନ୍ଦେ ପାଇଁ ଗାଁଠୁ ଦୁଇ କିଲୋମିଟର ଦୂର ଏକ ପରିତ୍ୟକ୍ତ ନାଳ ହିଁ ଭରସା । ଚିତ୍ର ଉଣା ଅଧିକେ ସମାନ ଏହି ବ୍ଲକର ସଲରାପେଣ୍ଠ ଗାଁ ସହ ବାଂଶପାଳ ବ୍ଲକର ତଳ କାଇଁସାରୀ, ଉପର କାଇଁସାରୀ ଓ ଶୁଆକାଟି ଏବଂ କୁମୁଣ୍ଡି ଗାଁରେ । ତେଣୁ ଏଠିକା ଲୋକଙ୍କ ଅଭିଯୋଗ ରାଜା ଚକ୍ର ସେମାନଙ୍କ ଗାଁରେ ବିକାଶ ନାଁରେ ବିନାଶ କରିଛି । ଶହ ଶହ ଲୋକଙ୍କ ହାତରୁ କାମ ଛଡ଼ାଇ ନେଇଛି, ପ୍ରତିବାଦ କଲେ ଧମକ ଦେଇଛି, ଜେଲରେ ବି ପୂରାଇଛି ?

ଗତ ୧୩ ତାରିଖ ଦିନ ବିଜେଡି ନେତା ରାଜା ଚକ୍ରକୁ ବାନ୍ଧିବା ପୂର୍ବରୁ କ୍ରାଇମବ୍ରାଞ୍ଚ ଡିଜି ଖୋଲିଥିଲେ ଆଦିବାସୀଙ୍କ ଉନ୍ନତି ନାଁରେ ୩୪ କୋଟି ଚଳୁର ହିସାବ । ଶୁଆକାଟିରେ ପ୍ରଥମେ ୧୦ରୁ ୧୧ଟି ଗାଁ ଲୋକ ମିଶି ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଗଢ଼ି ଅଞ୍ଚଳର ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାର କେମିତି ସ୍ଥିତି ଓଲଟା ହେଲା ତାର ସୂଚନା ଦେଇଥିଲେ। ତାସହ ୨୦୧୨-୧୩ ପରେ ଆଉ ସଂସ୍ଥାର କେମିତି ଅଡିଟ୍ ହେଲାନି। ବର୍ଷ ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ଯାଏଁ ସୋସାଇଟି ଖାତାରେ ୧୮୫ କୋଟି ଇନକମ୍ ଦର୍ଶାଗଲା, ତାହା ବି ହଡ଼ପ ହେଲା, ସେ ତଥ୍ୟ ବି ଦେଇଥିଲେ।

ଏପଟେ ଶିକ୍ଷା-ସ୍ବାସ୍ଥ୍ୟ ଓ ଗମନାଗମନ ଓ ପାନୀୟ ଜଳ ବାବଦରେ ରାଜା ଚକ୍ର ଯେଉଁ ୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି, ତାହା କେଉଁଠି କରିଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। ତେଣେ ଗିରଫ ହେବା ଦିନ ରାଜା ଚକ୍ର କହିଥିଲା- ନ୍ୟାୟ ପାଳିକା ଉପରେ ତାର ବିଶ୍ବାସ ଅଛି, ସବୁ ତଥ୍ୟ ପଦାକୁ ଆସିବ । ଏବେ ଦେଖିବାର କଥା, ବିଜେଡି ନେତା ରାଜା ଚକ୍ରର ମହାଲୁଟର ଗୁମର ପେଡ଼ି ଖୋଲିଥିବା କ୍ରାଇମବ୍ରାଞ୍ଚ ଆଗକୁ ଗରିବ ଆଦିବାସୀଙ୍କ ନାଁରେ ଠକେଇର ରହସ୍ୟକୁ ଆଉ କେତେ ଭେଦ କରୁଛି ।

ଅଧିକ ପଢ଼ନ୍ତୁ: ପୁରୁଣା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ କେବେ ଖୋଲିବ ବାଟ?