/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721477050.jpg)
Traditional Festival
କଥାରେ ଅଛି ବିଶ୍ୱାସେ ମିଳନ୍ତି ହରି । ବିଶ୍ୱାସରେ ଦୁନିଆ ଚାଲିଛି । ଆମେ କହୁଛୁ ଭିନ୍ନ ଏକ ପରମ୍ପରା ବିଷୟରେ । ଯେଉଁଠି ବିଶ୍ୱାସ ରହିଛି ଯେ ପୂଜର୍ଚ୍ଚନା କରିବା ଦ୍ୱାରା ଭଲ ଚାଷ ହୋଇଥାଏ ଏବଂ ମରୁଡିରୁ ରକ୍ଷା ମିଳିଥାଏ । ମରୁଡିରୁ ରକ୍ଷା କରିବା ପାଇଁ କେଉଁ ଆଦିମକାଳରୁ ପାଳିତ ହେଉଛି ‘ଆଷାଢ କେନା ମଣ୍ଡେଇଯାତ୍ରା’ ।
ବାହୁଡାଯାତ୍ରା ପରେ ପ୍ରଥମ ଶୁକ୍ରବାର ପାଳିତ ହୁଏ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରାଠାରେ ‘ଆଷାଢ କେନା ମଣ୍ଡେଇଯାତ୍ରା’ । କେଉଁ ଆବାହମାନ କାଳରୁ ଆଦିବାସୀ ପରମ୍ପରାରେ ପାଳିତ ହେଉଛି ଏହି ଯାତ୍ରା । ଏହି ଯାତ୍ରା ଦେଖିବା ପାଇଁ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ ।
ଆଦିବାସୀଙ୍କ ଆଦି ପରମ୍ପରାରେ ପାଳିତ ହେଉଛି କେନା ମଣ୍ଡେଇଯାତ୍ରା । ବାହୁଡା ଯାତ୍ରା ପରର ପ୍ରଥମ ଶୁକ୍ରବାର ପାଳିତ ହୋଇଥାଏ ଏହି ଯାତ୍ରା । ପାରମ୍ପରିକ ଆଦିବାସୀ ବାଦ୍ୟର ତାଳେତାଳେ ସାମିଲ ହୁଅନ୍ତି ଆଦିବାସୀଙ୍କ ପୂଜିତ ଦେବଦେବୀ । ଏଠାରେ ଦେବଦେବୀଙ୍କ ପ୍ରତୀକ ଭାବରେ ଲାଠିକୁ ପୂଜା କରାଯାଇଥାଏ । ଏହି ଯାତ୍ରାରେ ଆଗରୁ ନିମନ୍ତ୍ରଣ ପାଇଥିବା ଅନେକ ଦେବଦେବୀ କୋକସରା ବ୍ଲକ ଟେମରା ଠାରେ ଏକତ୍ରୀତ ହୋଇଥାନ୍ତି ।
ବିଶ୍ୱାସ ରହିଛି ଯେ, ଏହି ଯାତ୍ରା ପାଳନ କଲେ ଗାଁକୁ ସଂପୂର୍ଣ ମରୁଡିରୁ ରକ୍ଷା କରାଯାଇପାରିବ । ଆଜି ପର୍ଯ୍ୟନ୍ତ କଳାହାଣ୍ଡିରେ ମରୁଡି ହେଉଥିଲେ ମଧ୍ୟ ଏଠାରେ ମରୁଡି ହୁଏ ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏହା ସହିତ ଗାଁର ପୂଜକ,ଗୌନ୍ତିଆ ସମେତ ବିଶିଷ୍ଟ ବ୍ୟକ୍ତି କଣ୍ଟା ଦୋଳିରେ ଝୁଲିଥାନ୍ତି । ଏହା ସହିତ ମାନସିକ ପୂର୍ଣ୍ଣ ପାଇଁ ଏଠାରେ ହଜାର ହଜାର ବୋଦା ଓ ପାରା ବଳି ପରମ୍ପରା ମଧ୍ୟ ରହିଛି ।
ଆଦିବାସୀଙ୍କ ସମସ୍ତ ଜାନିଯାତ୍ରା ମାଟି ମା’ ସହ ଜଡ଼ିତ । ଆଷାଢ କେନା ମଣ୍ଡେଇ ଯାତ୍ରା ପରେ ଗାଁରେ ଚାଷ ଜମିରେ ଘାସବଛା ,ଧାନରୁଆ କାର୍ଯ୍ୟ ଆରମ୍ଭ ହୁଏ । ବିଶ୍ୱାସ ଅଛି, ଦେବୀଙ୍କୁ ପୂଜାର୍ଚ୍ଚନା ପରେ ଏହି କାର୍ଯ୍ୟ ଆରମ୍ଭ କଲେ ମରୁଡିରୁ ରକ୍ଷା କରିଥାନ୍ତି ଦେବୀ । ଏହା ସହିତ ଏହି ଯାତ୍ରାରେ ଏକ ଦେଶୀହାଟ ବସିଥାଏ । ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ମିଳିଥାଏ ।
#ବାଜୁଛି_ବାଜା_ନାଚୁଛନ୍ତି_ଦେବାଦେବୀ
ବାଜୁଛି ପାରମ୍ପରିକ ବାଜା, ନାଚୁଛନ୍ତି ଆଦିବାସୀଙ୍କ ଦେବାଦେବୀ.. ଚାଲିଛି ଭଲ ବର୍ଷା ହେବା ପାଇଁ ପୂଜାର୍ଚ୍ଚନା । ଏ ଯାତ୍ରା ସଫଳ ହେଲେ ହୁଏନି ଅକାଳ ମରୁଡ଼ି ।..#Traditional#Rituals#Tribal#Mandei#Dharmagarh#Kalahandi#Odisha#OTVpic.twitter.com/3D6njNVjac— ଓଟିଭି (@otvkhabar) July 20, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)