Bali Yatra 2024 Parking System: ବାଲିଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା, କେଉଁପଟେ ଯିବ ଗାଡ଼ି ...

କଟକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Bali Jatra

କଟକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଦିନ ୨ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରାଫିକ୍ କଟକଣା ଅନୁସାରେ, ଭୁବନେଶ୍ୱରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍ ଦେଇ ଖାନନଗର ପଟୁ ଆସୁଥିବା ସମସ୍ତ ତିନି ଚକିଆ ଓ ଚାରି ଚକିଆ ଯାନ ବେଲଭିୟୁ (ଜୁଡିସିଆଲ ଏକାଡ଼େମୀ), ସତୀଚୌରା ଛକ, ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପରିବେ ନାହିଁ ।

ସେମାନେ ବେଲଭିୟୁ ଛକରୁ ସିଡିଏ ୧୧ ଛକ ଦେଇ ବିଜୁପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ଗାଡି ପାର୍କିଂ କରିବେ । ସେଠାରୁ ସେମାନେ ପ୍ରଶାସନ ଯୋଗାଇଥିବା ଗାଡିରେ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଆସିପାରିବେ । ସେହିପରି ଆଠଗଡ଼, ବାଙ୍କି ପଟୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡିଆରେ ଗାଡି ପାର୍କିଂ କରିବେ ।

ସେହିପରି ସତୀ ଚଉରା ଛକରୁ ଦୁଇ ଚକିଆ ଯାନଗୁଡ଼ିକ ସେଲ୍ଟର ଛକ ଓ କନିକା ଛକ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ୱର ଗଡ଼ାର ବାମପଟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ । ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ । ସେହି ଗାଡ଼ିଗୁଡ଼ିକ ଭୁଆସୁଣୀ ପଡ଼ିଆରେ ପାର୍କିଂ ହେବା ନେଇ ବ୍ୟବସ୍ଥା ହୋଇଛି ।

ଭୁଆସୁଆଣୀ ପଡ଼ିଆ ଏବଂ ଚହଟା ପାଖରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ହରିଣ ପାର୍କ ପର୍ଯ୍ୟନ୍ତ ଆସି ବାଲିଯାତ୍ରା ପଡ଼ିଆ ପୂର୍ବରୁ ନିର୍ଦ୍ଧାରିତ କାର୍ତ୍ତିକେଶ୍ୱର ଗଡ଼ା ପାଖ ପାର୍କିଂରେ ଗାଡ଼ି ରଖି ପାରିବେ । ହରିଣ ପାର୍କ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ । ସେଗୁଡ଼ିକ ସେହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ।

ଏହାସହ ମଧୁକୁଞ୍ଜ ପାର୍କ ପାଖରୁ କୌଣସି ଗାଡ଼ି ମଧୁସୂଦନ ପାଠାଗାର ଦେଇ ସିଧା ବାଲିଯାତ୍ରା ପଡିଆ ଆଡ଼କୁ ଆସିପାରିବେ ନାହିଁ । ବିଜୁ ପଟ୍ଟନାୟକ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ଦୟାଶ୍ରମ ରାସ୍ତାରେ ସିଧା ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହିଁ । ସେମାନେ ପାଖରେ ଥିବା ଖ୍ରୀଷ୍ଟିଆନ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ।

ବିଜୁ ପଟ୍ଟନାୟକ ଛକଠାରୁ କେବଳ ଦୁଇ ଚକିଆ ଦୟାଶ୍ରମ ରାସ୍ତାରେ ଯାଇ ବାମ ପଟେ ଥିବାର ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ । କନିକା ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ଚଣ୍ଡୀ ମନ୍ଦିର ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହଁ । ସେହିପରି ଚଣ୍ଡୀ ମନ୍ଦିରଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା କନଭେଣ୍ଟ ସ୍କୁଲ ଛକ ଦେଇ ବାଲିଯାତ୍ରାକୁ ଯାଇପାରିବେ ନାହିଁ ।

ସେମାନେ ବିଜୁ ପଟ୍ଟନାୟକ ଛକ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟିୟାନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ଗାଡି ପାର୍କିଂ କରି ବାଲିଯାତ୍ରାକୁ ଯାଇପାରିବେ । ସମାଜ ଅଫିସ ଛକ ଠାରୁ କୌଣସି ଚିନି ଚକିଆ ଓ ଚାରି ଚକିଆ ଯାନ ନାରି ସେବାସଦନ ଛକ ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ । ନାରୀ ସେବା ସଦନ ଛକ ଏବଂ ଓଡ଼ିଶା ପୋଲିସ ଆସୋସିଏସନ ଛକ ଠାରୁ କୌଣସି ଗାଡ଼ି ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡକୁ ଯାଇପାରିବେ ନାହିଁ ।

ବକ୍ସିବଜାର ଫାୟାର ଷ୍ଟେସନ୍ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ରିଜର୍ଭ ପୋଲିସ ଲାଇନ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ । ସେମାନେ ନାରୀ ସେବା ସଦନ ଛକରୁ ଡାହାଣକୁ ଯାଇ କଳାବିକାଶ କେନ୍ଦ୍ର ଓ ପି.ଏଚ.ଡି ଅଫିସ ଛକ ଦେଇ ଦୟାଶ୍ରମ ସାମ୍ନାରେ ଗାଡି ପାର୍କିଂ କରି ବାଲିଯାତ୍ରାକୁ ଯାଇପାରିବେ । ଯୋବ୍ରା ଓ ମାତାମଠ ପଟୁ ଆସୁଥିବା ସମସ୍ତ ଯାନ ବୋଷ ଇଞ୍ଜିନୟରିଂ କଲେଜ ପାଖ ପଡ଼ିଆ, ମାତାମଠ ପାର୍ଶ୍ୱ ପଡ଼ିଆ କିମ୍ବା ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ବାସଭବନ ପାଖରୁ ଡାହାଣପଟ ଗଡ଼ାରେ ଥିବା ଷ୍ଟାଣ୍ଡଗୁଡ଼ିକରେ ଗାଡ଼ି ପାର୍କିଂ କରି ବାଲିଯାତ୍ରାକୁ ଯାଇ ପାରିବେ ।