Sarala Spinning Mill
୨୬ ବର୍ଷ ଧରି ବନ୍ଦ ପଡ଼ିଥିବା ତିର୍ତ୍ତୋଲ ଶାରଳା ସୂତାକଳ ନୂଆ ରୂପରେ ହେବ କାର୍ଯ୍ୟକ୍ଷମ । ସେଠାରେ ଟେକ୍ସଟାଇଲ କ୍ଲଷ୍ଟର ପ୍ରତିଷ୍ଠା କରିବେ ରାଜ୍ୟ ସରକାର। ଘର ପାଖରେ ଲୋକଙ୍କ ହାତକୁ କାମ ମିଳିବ। ବିଗତ ଦିନରେ କେବଳ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଯାଇଥିବା ଶାରଳା ସୂତାକଳର ପୁନର୍ବିନ୍ୟାସ ପାଇଁ ଶିଳ୍ପମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ ପରେ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି।
ତିର୍ତ୍ତୋଲବାସୀଙ୍କ ମୁହଁରେ ଫୁଟିଛି ହସ। ପୂରଣ ହେବାକୁ ଯାଉଛି ଦୀର୍ଘବର୍ଷର ଦାବି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନାଉସିରାଠାରେ ଅଶି ଦଶକରେ ପ୍ରତିଷ୍ଠା କରାଯାଇଥିବା ଶାରଳା ସୂତାକଳ ପୁଣିଥରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ୧୯୯୯ ମହାବାତ୍ୟାରେ କ୍ଷତିଗ୍ରସ୍ତ ହେବା ପରେ ବନ୍ଦ ହୋଇଯାଇଥିଲା ସୁତାକଳ। ପ୍ରାୟ ଦେଢ ହଜାର କର୍ମଚାରୀ କାମ ହରାଇଥିଲେ। ଅନେକ ଦାଦନ ଯିବାକୁ ବାଧ୍ୟ ହୋଇଥିଲେ। ଇପିଏଫ ଟଙ୍କାକୁ ଅନେଇ ଅନେଇ ଅନେକ ମରିହଜି ଗଲେଣି। ତଥାପି ସୂତାକଳ ଚାଲୁ କରିବାକୁ ସବୁବେଳେ ଲୋକଙ୍କ ଦାବି ହେଉଥିଲା। ମାତ୍ର ଶାରଳା ସୂତାକଳ ପୁନରୁଦ୍ଧାର ପ୍ରସଙ୍ଗ କେବଳ ଏକ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଯାଇଥିଲା। ଯେତେବେଳେ ନିର୍ବାଚନ ଆସୁଥିଲା, ସେତେବେଳେ ନେତା ଏହାକୁ ପୁନରୁଦ୍ଧାର କରିବାକୁ ମିଥ୍ୟା ପ୍ରତିଶୃତି ଦେଇ ଭୁଲିଯାଉଥିଲେ।
ରାଜ୍ୟରେ ସରକାର ବଦଳିବା ପରେ ତିର୍ତ୍ତୋଲବାସୀଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ଶାରଳା ସୂତାକଳ ସ୍ଥାନରେ ଏକ ଆଧୁନିକ ତଥା ଶ୍ରମିକ କୈନ୍ଦ୍ରିକ ବୟନ ଓ ପୋଷାକ ଶିଳ୍ପ ବା ଟେକ୍ସଟାଇଲ କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ମନସ୍ଥ କରିଛନ୍ତି। ଉତ୍କର୍ଷ ଓଡିଶା କନକ୍ଲେଭ-୨୦୨୫ ଆୟୋଜନ ବେଳେ ଶାରଳା ସୂତାକଳ ଜାଗାରେ ପୁଞ୍ଜିନିବେଶ କରିବା ନେଇ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ଶିଳ୍ପସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ।
ଜଗତସିଂହପୁର ଜିଲ୍ଲା ମହୋତ୍ସବ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଖୁବଶ୍ରୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ଗତ ସପ୍ତାହରେ ଇଡକୋ ଅଧିକାରୀ, ଜଗତସିଂହପୁର ଜିଲ୍ଲାପାଳ, ତିର୍ତ୍ତୋଲ ତହସିଲଦାର ପ୍ରମୁଖ ପଦାଧିକାରୀଙ୍କୁ ସାଥିରେ ନେଇ ଭିତ୍ତିଭୂମି ପରଖିଛନ୍ତି। ଶାରଳା ସୂତାକଳ ପରେ ପରେ ରାହାମା ସୂତାକଳ ପୁନରୁଦ୍ଧାର କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753006019.jpg)