ପୁରୀରେ ପଡ଼ିଥିଲା ମୂଳ ଦୂଆ, ଏବେ ଗୋଟିଏ ବି ସିନେମା ହଲ ନାହିଁ...

ଲକ୍ଷ୍ମୀ ଟକିଜିର ମାଲିକ କହିଛନ୍ତି ସରକାର ଯଦି ସହଯୋଗ ଯୋଗାଇଦେବେ ତେବେ ପୁଣି ଫିଲ୍ମ ହଲ କରିବା ପାଇଁ ଆମେ ପ୍ରସ୍ତୁତ । ଏପଟେ ଆଦର୍ଶ ଆଚରଣ ବିଧି ହଟିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

Puri Cinema Hall

ସୀତାବିବାହରୁ ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଯାତ୍ରା । ୮୮ ବର୍ଷର ସ୍ମୃତି । ଏହି ଦିନକୁ ସ୍ମରଣୀୟ କରିବାକୁ ଆଗେଇ ଆସିଛନ୍ତି କିଛି ସିନେପ୍ରେମୀ । ପୁରୀର ଅନୁପୂର୍ଣ୍ଣା ରଙ୍ଗମଞ୍ଚରେ ପାଳନ କରାଯାଇଛି ସ୍ୱତନ୍ତ୍ର ଉତ୍ସବ । କିନ୍ତୁ ବିଡମ୍ବନା ସୀତାବିବାହ ରିଲିଜ୍ ହୋଇଥିବା ଲକ୍ଷ୍ମୀ ଟକିଜ୍ ୨୦୧୯ ଫନୀ ବାତ୍ୟାରେ ନଷ୍ଟ ହୋଇଯାଇଛି ।

ଏହା ପୂର୍ବରୁ ଅନ୍ୟ ସମସ୍ୟା ପାଇଁ ଜନତା ହଲ ବନ୍ଦ ହୋଇଯାଇଥିଲା । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମାଟିରେ ମିଶିଗଲା ଶ୍ରୀ କୃଷ୍ଣ ସିନେମା ହଲ। ଏବେ ପୁଣି ପୁରୀରେ ସିନେମା ହଲ ହେଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । 

କେବଳ ସିନେ ପ୍ରେମୀ ନୁହଁନ୍ତି, କଳାକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ପୁରୀରେ ସିନେମା ହଲ ନଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ନୂତନ ସିନେମା ହଲ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଏକ ଥଏଟର ଓ ସିନେମା ହଲ ନିର୍ମାଣ ହୋଇପାରନ୍ତା ବୋଲି ଦାବି ହୋଇଛି ।

ଲକ୍ଷ୍ମୀ ଟକିଜର ମାଲିକ କହିଛନ୍ତି ସରକାର ଯଦି ସହଯୋଗ ଯୋଗାଇଦେବେ ତେବେ ପୁଣି ଫିଲ୍ମ ହଲ କରିବା ପାଇଁ ଆମେ ପ୍ରସ୍ତୁତ । ଏପଟେ ଆଦର୍ଶ ଆଚରଣ ବିଧି ହଟିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ତେବେ ଶ୍ରୀକ୍ଷେତ୍ର ପୁରୀରେ ଏବେ ନିର୍ବାଚନୀ ମାହୋଲ ବି ଖୁବ୍‌ ଗରମ । ଏହାରି ଭିତରେ ପୁରୀ ଲୋକଙ୍କ ପାଇଁ ଏକ ସିନେମା ହଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡିର ପୁରୀ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି । ସମର୍ଥକଙ୍କ ଗହଣରେ ସୁନୀଲ ମହାନ୍ତି ମଲଟି ସ୍କ୍ରିନ୍ ସିନେମା ହଲ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ଦିନ ଥିଲା ପୁରୀ ସହରରେ ୫-୫ଟି ସିନେମା ହଲ୍ ଥିଲା । ହେଲେ ଆଜିର ଦିନରେ ଗୋଟିଏ ମଧ୍ୟ ନାହିଁ । ପ୍ରଥମ ଓଡ଼ିଆ ସିନେମା ରିଲିଜ୍ ହୋଇଥିବା ଲକ୍ଷ୍ମୀ ଟକିଜ୍ ଏବେ ବିଲୁପ୍ତପ୍ରାୟ । ମହାବାତ୍ୟା ଏବଂ ଫନି ବାତ୍ୟା ମାଡ଼ରେ ବାରମ୍ବାର ଆଘାତ ପାଇଥିବା ଐତିହାସିକ ଲକ୍ଷ୍ମୀ ଟକିଜ୍ ଅଣ୍ଟା ସଳଖି ଠିଆ ହୋଇପାରୁନି । ତେବେ ଏହାର ପୁନଃରୁର୍ଦ୍ଧାର ପାଇଁ ସାଧାରଣ ଜନତା ଦାବି କରୁଥିବା ବେଳେ ନିର୍ବାଚନୀ ମାହୋଲର ଏହି ପ୍ରତିଶ୍ରୁତି ସାଧାରଣ ଜନତାଙ୍କ ଆହୁରି ଆମୋଦିତ କରୁଛି ।