ସାମ୍ନାକୁ ଆସିଲା କୁସୁମା କଟେଜ୍‌ର ସତ ! କିଏ କରିଥିଲା, କାହା ଟଙ୍କାରେ...

ସାଧାରଣ ଜନତା ପ୍ରଶ୍ନ ଉଠାଇଥିବା ବେଳେ ଗତକାଲି ପ୍ରେସମିଟ୍ କରି ଏହାର ଜବାବ ରଖିଥିଲା ଯାଜପୁର ପୌରପାଳିକା।

Kusuma Project

ଯାଜପୁରର ବହୁ ଚର୍ଚ୍ଚିତ କୁସୁମା କଟେଜକୁ ହାତକୁ ନେବ ଜିଲ୍ଲା ପ୍ରଶାସନ। ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ‘ପୌର ପାଳିକା ଜମିରେ କଟେଜ୍ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି। ‘ସିଏସ୍ ଆର୍ ପାଣ୍ଠିରେ ନିର୍ମାଣ ହୋଇଥିବା କଥା ମଧ୍ୟ ସ୍ପଷ୍ଟ ହୋଇଛି। ‘ନିର୍ମାଣ ପରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହେବା କଥା, ହେଲେ ଏଥିରେ ବିଳମ୍ବ ହୋଇଛି। ‘ଏବେ ଆମେ ତାକୁ ହାତକୁ ନେବୁ ଏବଂ ପରିଚାଳନା ବ୍ୟବସ୍ଥା କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି। ଆଗକୁ ‘ସାଧାରଣ ଲୋକ ଯେଭଳି ଏହାର ବ୍ୟବହାର କରିପାରିବେ, ସେ ନେଇ ଏସ୍ ଓପି ହେବ’ ଏବଂ ଏହାକୁ ଭଲ ଭାବେ ପରିଚାଳନା କରିବା ବ୍ୟବସ୍ଥା କରିବୁ ବୋଲି ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ କହିଛନ୍ତି।

ଅନ୍ୟପଟେ ଶିଶୁ ଉଦ୍ୟାନ ଭିତରେ କାହା ସ୍ୱାର୍ଥରେ ଓ କାହା ଅନୁମତିରେ ତିଆରି ହୋଇଥିଲା ଏହି ବିଳାସପୂର୍ଣ୍ଣ ବଙ୍ଗଳା ? ଏହା କାହା କାମରେ ଲାଗୁଥିଲା ? ସର୍ବୋପରି କେଉଁ ବିଭାଗ କେତେ ଖର୍ଚ୍ଚ କରିଥିଲା ? ତାକୁ ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇଥିବା ବେଳେ ଗତକାଲି ପ୍ରେସମିଟ୍ କରି ଏହାର ଜବାବ ରଖିଥିଲା ଯାଜପୁର ପୌରପାଳିକା।

କ୍ରୀଡ଼ାର ବିକାଶ ଏବଂ ଖେଳାଳୀଙ୍କ ସୁବିଧା ପାଇଁ କ୍ରୀଡ଼ା ବିଭାଗକୁ କୁସୁମା ଜମିରୁ ୨ ଏକର ୪୧ ଡିସିମିଲ୍ ଜମି ହସ୍ତାନ୍ତର କରାଯାଇଥିଲା ବୋଲି କାଲି ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ କହିଥିଲେ । କ୍ରୀଡ଼ାର ବିକାଶ ପାଇଁ ଏହାର ନିର୍ମାଣ ହୋଇଥିଲା, ଏବଂ ଏହା ଅନ୍ୟ କାମରେ ଲାଗିନି।

ତେବେ ପୌରପାଳିକା ଉପାଧ୍ୟକ୍ଷଙ୍କ ଏହି ବୟାନ ପରେ ଗତକାଲି ଏ ବିବାଦରୁ ଦୂରେଇ ରହିଥିଲା କ୍ରୀଡ଼ା ବିଭାଗ। କ୍ରୀଡା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇ ଦର୍ଶାଯାଇଥିଲା ଯେ, କୁସୁମା ପୋଖରୀ କ୍ୟାମ୍ପସରେ ନିର୍ମିତ କୋଠା ଗୁଡ଼ିକ ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ପାଣ୍ଠି ପ୍ରଦାନ କରାଯାଇନାହିଁ। ଏହି ପ୍ରକଳ୍ପ ସଂପର୍କରେ ବିଭାଗ ପାଖରେ କୌଣସି ସୂଚନା ଉପଲବ୍ଧ ନାହିଁ । ଏହି ପ୍ରକଳ୍ପ ସଂପର୍କରେ ଅଧିକ ତଥ୍ୟ ପାଇଁ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରାଯାଇପାରେ ବୋଲି କ୍ରୀଡ଼ା ବିଭାଗ ଦର୍ଶାଇଛି। ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

ତେବେ କୁସୁମା ବଙ୍ଗଳା କାହାର, କାହା ନିର୍ଦ୍ଦେଶରେ ତିଆରି ହୋଇଥିଲା ପ୍ରକଳ୍ପ? କେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ଯାଜପୁରର କୁସୁମା କଟେଜ୍? କୋଟି କୋଟି ଟଙ୍କାର CSR ଫଣ୍ଡ ଖର୍ଚ୍ଚ ଅନୁମତି କିଏ ଦେଇଥିଲା ? କାହା ନିର୍ଦ୍ଦେଶରେ ଡାଇଭର୍ଟ ହୋଇଥିଲା CSR ପାଣ୍ଠି? କୁସୁମା କଟେଜ୍ କ୍ରୀଡ଼ା ବିଭାଗର ବୋଲି କେମିତି କହିଲା ପୌର ପ୍ରଶାସନ? ପୌର ପ୍ରଶାସନ ଓ କ୍ରୀଡ଼ା ବିଭାଗର କଥାରେ ତାଳମେଳ ରହୁନି କାହିଁକି? କ୍ରୀଡ଼ା ବିଭାଗ ନାଁ ନେଇ ଖସି ଯିବାକୁ ଚେଷ୍ଟା କରୁଛି କି ପୌର ପ୍ରଶାସନ? ତଥ୍ୟରେ ଗ୍ୟାପ୍ ଥିବା କହୁଛନ୍ତି ଜିଲ୍ଲାପାଳ, ସେହି ଗ୍ୟାପ୍ କଣ ଓ କିଏ ରଖୁଛି? ଜିଲ୍ଲାପାଳ କହୁଛନ୍ତି ହାତକୁ ନେବେ କଟେଜ୍, ତେବେ ନେବେ କାହାଠାରୁ? କାହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ଜିଲ୍ଲା ପ୍ରଶାସନ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।