ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ୍, ରାଜ୍ୟ ଦେଖିଲାଣି ୨ ହଜାର କେସ୍

ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି ।

Dengue

ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି । ନୀଳାଦ୍ରି ବିହାରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଘର ଥିବା ବେଳେ ସେଠାରେ ହିଁ ତାଙ୍କ ପତ୍ନୀଙ୍କୁ ଡେଙ୍ଗୁ ହୋଇଥିବା ଜୁଏଲ ଗଣମାଧ୍ୟମକୁ କହିଛନ୍ତି ।

ସେପଟେ ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି । ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ପାଖାପାଖି ରୋଗୀ ଅଛନ୍ତି । ଏହାପଛକୁ ରହିଛନ୍ତି ସୁନ୍ଦରଗଡ଼ ଓ ରାଉରକେଲା ସହର, ବଲାଙ୍ଗୀର ଓ କଟକ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି । ସେପଟେ ଡେଙ୍ଗୁ ପ୍ରତି ଲୋକଙ୍କୁ ସଚେତନ ହେବାକୁ ପଡିବ। ବିଏମସି ସମସ୍ତ ପଦକ୍ଷେପ ନେଉଥିବା କହିଛନ୍ତି ମେୟର ।

ଅନ୍ୟପଟେ ମଙ୍କିପକ୍ସ ପାଇଁ ପୂରା ବିଶ୍ୱରେ ଜରୁରୀ ପରିସ୍ଥିତି । ବିଶ୍ୱରେ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତରେ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନଡ୍ଡା । ଏବେ ସୁଦ୍ଧା ଭାରତରେ କୌଣସି ଏମ୍-ପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇନି ।

ତେବେ ଏୟାରପୋର୍ଟ, ସାମୁଦ୍ରିକ ବନ୍ଦର ଓ ସ୍ଥଳସୀମାରେ ହେଲ୍ଥ ୟୁନିଟକୁ ସଚେତନ କରିବାକୁ, ଟେଷ୍ଟି ଲାବ୍ ପ୍ରସ୍ତୁତ କରିବାକୁ ଏବଂ ସଂକ୍ରମଣ ସ୍ଥିତି ଉପୁଜିଲେ ଚିହ୍ନଟ, ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ଉପରେ କଡ଼ା ନଜର ରଖିଛି ବୋଲି ଏହି ବୈଠକ ପରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନଡ୍ଡା ।

ରୋଗକୁ ବ୍ୟାପିବାରୁ ରୋକିବା ପାଇଁ ଏବଂ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ସରକାର ସବୁ ପ୍ରକାର ଆଗୁଆ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ ପାକିସ୍ତାନରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ଦେଶରେ ଆଲର୍ଟ ରହିଛି । ବିଭିନ୍ନ ବିମାନ ବନ୍ଦରରେ ଆରମ୍ଭ ହୋଇଛି ସ୍କ୍ରିନିଂ । ପାକିସ୍ତାନକୁ ଆସୁଥିବା ଲୋକଙ୍କଠାରେ ମଙ୍କି ପକ୍ସର କୌଣସି ଲକ୍ଷଣ ଅଛି କି ନାହିଁ, ତାକୁ ଗୁରୁତର ସହ ଅନୁଧ୍ୟାନ କରାଯାଉଛି । ସାନିଟାଇଜେସନକୁ ମଧ୍ୟ ବ୍ୟାପକ କରାଯାଇଛି ।