Advertisment

କାମ କରୁନି ଅକ୍ସିଜେନ୍ ପ୍ଲାଣ୍ଟ,ଅବ୍ୟବସ୍ଥାରେ ଚାଲିଛି ରାଜ୍ୟର ଦୁଇ ମୁଖ୍ୟ ଚିକିତ୍ସାଳୟ

ରାଜ୍ୟର ବଡ଼ ବଡ଼ ମେଡିକାଲ୍ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚାଲିଛି ଅବ୍ୟବସ୍ଥାରେ । କେଉଁଠି ଅକ୍ସିଜେନ୍ ପ୍ଲାଣ୍ଟ ଭଳି ଜରୁରୀ ସେବା ବର୍ଷାଧିକ କାଳ ଅଚଳ ପଡ଼ିଛି, ତ ଆଉ କେଉଁଠି ବହୁ ସଂଖ୍ୟକ ଏସି ହଡ଼ପ କରିଥିବା ନେଇ ଖୋଦ୍ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହିଭଳି ଅଭିଯୋଗ ଆସିଛି କୋରାପୁଟ ଓ ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ ।

ଅଦ୍ୟତନ ହୋଇଛି
medical problem

medical problem

Advertisment

କାମ କରୁନି ମେଡିକାଲର ଫୁସଫୁସ୍। ପ୍ରାୟ ଦୁଇ ବର୍ଷ ହେବ ଅଚଳ ପଡ଼ିଛି ଦୁଇ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ। କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅବ୍ୟବସ୍ଥା । କୋଭିଡ୍ ସମୟରେ ସ୍ଥାପିତ ହୋଇଥିବା ପ୍ରାଣ ରକ୍ଷାକାରୀ ଅକ୍ସିଜେନ୍ ପ୍ଲାଣ୍ଟର ବିକଳ ଚିତ୍ର ସାମାନାକୁ ଆସିଛି । ହସ୍ପିଟାଲର ଫ୍ୟାନ ଗୁଡ଼ିକରେ ପକ୍ଷୀ ବସା କଲେଣି, କେଉଁଠି ଅଳନ୍ଦୁ ଭର୍ତ୍ତି, ତ ଆଉ କେଉଁ ଲାଇଟ୍ ଝୁଲିଲାଣି। ଏବେ କେବଳ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ଥିବା ବେଳେ, ଅଧିକାଂଶ ସମୟରେ ବାହାରୁ ଅକ୍ସିଜେନ୍ ସିଲିଣ୍ଡର୍ ଆଣି ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

Advertisment

୨୦୨୧ରେ ଏହାକୁ ପ୍ରତିଷ୍ଠା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ମାତ୍ର ୬-୭ ମାସ ପରେ ଏହା ଅଚଳ ହୋଇଗଲା । ଏନେଇ ବାରମ୍ବାର ଉପରକୁ ଲିଖିତ ଭାବେ ଜଣାଇଲେ ବି ମରାମତି ହେଲାନି ବୋଲି ସ୍ବୀକାର କରିଛନ୍ତି ମେଡିକାଲ୍ କଲେଜ ଅଧୀକ୍ଷକ।

କୋରାପୁଟରୁ ଯିବା ନୟାଗଡ଼କୁ। ଏଠି ବଡ଼ ଗଡ଼ବଡ଼ିର ଅଭିଯୋଗ। କେବଳ ବେଡ୍ କି ପାଣି ସମସ୍ୟା ନୁହେଁ, ୬୦ରୁ ଅଧିକ ଏସି ଗାଏବ ଭଳି ସାଂଘାତିକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଅଭିଯୋଗ ଅନୁସାରେ, କିଛି ମାସ ତଳେ ହସ୍ପିଟାଲ ନୂଆ ବିଲ୍ଡିଂକୁ ସ୍ଥାନାନ୍ତର ହୋଇଥିଲା ଏବଂ ସେଠାରେ ନୂଆ ଏସି ଲାଗିଥିଲା । ହେଲେ ଏପଟେ ପୁରୁଣା ମେଡିସିନ୍ ୱାର୍ଡ ଓ ଆଖପାଖ ରୁମରେ ଲାଗିଥିବା ବହୁ ସଂଖ୍ୟକ ଏସି, ଏଲଇଡି ଲାଇଟ୍, ଷ୍ଟିଲ ଚେୟାର୍ ଇତ୍ୟାଦି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। କିଛି ମେଡିକାଲ୍ କର୍ମଚାରୀ ଏହାକୁ ବାହାରେ ବିକି ଦେଇଥିବା କିମ୍ବା ନିଜ ଘରେ ଲଗାଇଥିବା ଅଭିଯୋଗ ହୋଇଥିବା ବେଳେ, ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ବି ଦାବି ଉଠିଛି।

Advertisment

ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ, ନୟାଗଡ଼ ମେଡିକାଲ୍ କର୍ତ୍ତୃପକ୍ଷ ଥାନାରେ ଏନେଇ ଅଭିଯୋଗ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିଡିଏମ୍ଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ