Lower Indra Dam
ପାଣି...ପାଣି...ଆଉ ପାଣି । ଯୁଆଡ଼େ ଆଖି ବୁଲାଇଲେ ଜଳାର୍ଣ୍ଣବ ସ୍ଥିତି । ଘର ଭିତରେ ପାଣିର ସୁଅ । ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି । କେଉଁଠି ଆଣ୍ଠୁଏ ଉଚ୍ଚରେ ପାଣି ବହୁଛି ତ ଆଉ କେଉଁଠି ପାଦେ ପାଦେ ବୁଡ଼ିଛି ରାସ୍ତାଘାଟ । ଏଇ ଦୁଃଖ ଦେଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଡ୍ୟାମ୍ ପାଣି ମାଡ଼ି ଆସିବାରୁ ଜଳବନ୍ଦୀ ହୋଇଛି ନୂଆପଡ଼ା ଜିଲ୍ଲା କୋନାବିରା ଗାଁ ।
ଜଳଘେରରେ ରହିଛନ୍ତି ୧୫ଟି ପରିବାର । ଦୁର୍ଦ୍ଦଶା ଓ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଲୋକ ଅଭିଯୋଗ କରିଛନ୍ତି, ପ୍ରକଳ୍ପ ପାଇଁ ଆବଶ୍ୟକ ବିସ୍ଥାପନ କ୍ଷତିପୂରଣ ମିଳି ନଥିବାରୁ ଗାଁ ଛାଡି ନାହାନ୍ତି । ସେହିପରି କୋମନା ଥାନା ପେଣ୍ଡରାବନ ଗାଁକୁ ବି ବୁଡାଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବଢି ପାଣି ।
ପୂରା ଗାଁରେ ସଙ୍ଗୀନ ସ୍ଥିତି । ଚାରିଆଡ଼େ ଜମିଛି ପାଣି । ଏମିତି ଅବସ୍ଥା ଯେ ଶ୍ମଶାନକୁ ମରଶରୀର ନେବାକୁ ବି ରାସ୍ତା ନାହିଁ । ବାଧ୍ୟ ହୋଇ ଲୋକ ଭେଳାରେ ମଣାଶିକୁ ନେଇଥିଲେ ମୃତଦେହ । ରଶି ଯୋଗେ ଭେଳାକୁ ଟାଣି ଟାଣି ଆଣିଥିଲେ । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଲୋକ ।
ଜଳବନ୍ଦୀ ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଓ ଥଇଥାନ ଅଧିକାରୀ । ସେ କହିଛନ୍ତି, କୋନାବିରା ଗାଁର ସମସ୍ତଙ୍କୁ କ୍ଷତିପୂରଣ ଦିଆଯାଇଛି । ପେଣ୍ଡରାବନରେ ଶ୍ମଶାନ ଜମି ଦେବାକୁ ସରକାରଙ୍କୁ ଅବଗତ କରାଯାଇଛି । ଅଧିକ ବର୍ଷା ହେଲେ କିମ୍ବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଣି ଛାଡିଲେ ତଳି ଅଞ୍ଚଳରେ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ବଢୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727966319.jpg)