ସାଲ୍ୟୁଟ୍ ଲଲାଟ ସାର୍, ନିଜ ଟଙ୍କାରେ ସ୍କୁଲକୁ କରିଦେଲେ ସ୍ବର୍ଗ !

ଶିକ୍ଷକ ଲଲାଟ ଚନ୍ଦ୍ର ବେହେରା ୨୦୨୨ରେ ବିଦ୍ୟାଳୟରେ ଯୋଗ ଦେବା ପରେ ବଦଳି ଯାଇଛି ସ୍କୁଲର ରୂପ ଓ ଶିକ୍ଷା ବ୍ୟବସ୍ଥା ।

Unique Teacher

ଭଳିକି ଭଳି ସୁନ୍ଦର ସୁନ୍ଦର ଫୁଲ... ସୁନ୍ଦର ଘାସ ଗାଲିଚା ସାଙ୍ଗକୁ ମହମହ ବାସୁଛି ତୁଳସୀର ବାସ୍ନା । ବଗିଚାରେ ବସିବା ପାଇଁ ସିମେଣ୍ଟ ଚେୟାର ବି ପଡ଼ିଛି । ଆଉ ଏମିତି ରହିଛି ଅନେକ ବ୍ୟବସ୍ଥା । ଏ ସବୁଜିମା ପରିବେଶ କୌଣସି ସହରର ଶିଶୁ ଉଦ୍ୟାନର ଦୃଶ୍ୟ ନୁହେଁ । ଏହି ସୁନ୍ଦର ମନୋରମ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ଗୋପ ବ୍ଲକ ସିରେଇ ଗାଁ ପ୍ରାଥମିକ ବିଦ୍ୟାଳୟର । ଏହାକୁ କୌଣସି ସରକାରୀ ଅନୁଦାନରେ ନୁହେଁ ବରଂ ଜଣେ ସହକାରୀ ଶିକ୍ଷକ ନିଜସ୍ୱ ଖର୍ଚ୍ଚରେ ଏହି ସ୍କୁଲକୁ ଗଢ଼ି ତୋଳିଛନ୍ତି । ତାଙ୍କର ଦୃଢ଼ ସଂକଳ୍ପ ଓ ନିଜସ୍ୱ ଉଦ୍ୟମରେ ସ୍କୁଲକୁ କରିଛନ୍ତି ଏଭଳି ପରିବର୍ତ୍ତନ ।

ଦୁଇ ବର୍ଷ ତଳେ ପାଣି କାଦୁଅ ଘେରରେ ଥିବା ଏହି ବିଦ୍ୟାଳୟ ଯେମିତି ନୂଆ ଜୀବନ ପାଇଛି । ୬୦ ବର୍ଷ ପରେ ଏହି ବିଦ୍ୟାଳୟର ଜଣେ ଛାତ୍ରୀ ବୃତ୍ତି ପାଇଛନ୍ତି । ଶିକ୍ଷକ ଲଲାଟ ଚନ୍ଦ୍ର ବେହେରା ୨୦୨୨ରେ ବିଦ୍ୟାଳୟରେ ଯୋଗ ଦେବା ପରେ ବଦଳି ଯାଇଛି ସ୍କୁଲର ରୂପ ଓ ଶିକ୍ଷା ବ୍ୟବସ୍ଥା । ସ୍କୁଲରେ ଉନ୍ନତି ଆଣି ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କର ଦୃଢ଼ ଇଛାଶକ୍ତି ଓ ଦୃଢ଼ ସଂକଳ୍ପ ତାଙ୍କୁ ଆଜି ସ୍ୱତନ୍ତ୍ର ପରିଚୟ ଦେଇଛି ।

ବିଦ୍ୟାଳୟ ପରିସରରେ ରହିଛି ସୁନ୍ଦର ବଗିଚା, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରହିଛି ଏକ ମଞ୍ଚ । ଛାତ୍ରଛାତ୍ରୀଙ୍କ ପିଇବା ପାଇଁ ଆକୁଆ ଗାର୍ଡ ସହ ପିଲାଙ୍କ ପାଠପଢ଼ାକୁ ଆହୁରି ସହଜ କରିବାକୁ ଶ୍ରେଣୀ ଗୃହର କାନ୍ଥରେ ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ଲଗାଇ ନୂଆ ରୂପ ଦିଆଯାଇଛି । ଏସବୁ ଯେମିତି ଲଲାଟ ସାରଙ୍କ ପାଇଁ ଦୈନନ୍ଦିନ ନିଶା ପାଲଟିଛି । ଆଉ ସରଙ୍କ ଏହି ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବ । ସତରେ ଲଲାଟ ସାର୍‌ଙ୍କ ଏହି ଉଦ୍ୟମ ଆଜି ତାଙ୍କୁ ନୂଆ ପରିଚୟ ଦେଇଛି । ଆଉ ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ ।