‘ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନଥିଲେ ସୁଭଦ୍ରା ଆବେଦନ ବିଚାରାଧୀନ’

୧ ଟଙ୍କା ପଠାଯିବା ପରେ ଏସଏମଏସ୍ ଜରିଆରେ ଅବଗତ କରାଯାଉଛି । ଆକାଉଣ୍ଟକୁ ୧ ଟଙ୍କା ପ୍ରଦାନ କରାଯିବା ଏକ ନିରନ୍ତର ପ୍ରକ୍ରିୟା, ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି, ସେମାନଙ୍କ ଆବେଦନ ବିଚାରାଧୀନ ରହିଥିବା ଦର୍ଶାଯାଇଛି।

Subhadra Yojana

ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନଥିଲେ ସୁଭଦ୍ରା ଆବେଦନ ବିଚାରାଧୀନ । ଏନେଇ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କରିଛି ସୂଚନା ଓ ଲୋକସଂପର୍କ ବିଭାଗ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ କିସ୍ତି ଦିଆଯିବ। ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ପଠାଯାଇଛି । ବ୍ୟାଙ୍କ ଖାତା ସଚଳ ଅଛି ନା ନାହିଁ,

ସ୍ବଚ୍ଛତା ଅନୁଧ୍ୟାନ ପାଇଁ ଟଙ୍କାଟିଏ ଲେଖାଏଁ ପଠାଯାଇଛି ।

୧ ଟଙ୍କା ପଠାଯିବା ପରେ ଏସଏମଏସ୍ ଜରିଆରେ ଅବଗତ କରାଯାଉଛି । ଆକାଉଣ୍ଟକୁ ୧ ଟଙ୍କା ପ୍ରଦାନ କରାଯିବା ଏକ ନିରନ୍ତର ପ୍ରକ୍ରିୟା, ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି, ସେମାନଙ୍କ ଆବେଦନ ବିଚାରାଧୀନ ରହିଥିବା ଦର୍ଶାଯାଇଛି। ଆବେଦନ ଫର୍ମ ଯାଞ୍ଚ ପରେ ବ୍ୟାଙ୍କ ଖାତାକୁ ୧ ଟଙ୍କା ପ୍ରଦାନ କରାଯିବ, ଯାହା ଫଳରେ ସୁଭଦ୍ରା ଟଙ୍କା ପ୍ରଦାନ ପ୍ରକ୍ରିୟାର ସ୍ବଚ୍ଛତା ସୁନିଶ୍ଚିତ ହୋଇପାରିବ ବୋଲି ଦର୍ଶାଇଛି ସୂଚନା ଓ ଲୋକ ସଂପର୍କ ବିଭାଗ ।

ସେପଟେ ସୁଭଦ୍ରାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ସୁପର୍ କ୍ରେଜ୍ ରହିଥିବା ବେଳେ, ଅନ୍ୟପଟେ ମାତିଛନ୍ତି ସାଇବର୍ ଠକ। ନିମାପଡ଼ା ଦହିଜଙ୍ଗ ଗ୍ରାମର ଜଣେ ହିତାଧିକାରୀଙ୍କୁଠାରୁ ୧୨ ହଜାର ଠକେଇ ହୋଇଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ମହିଳାଙ୍କୁ ସତର୍କ ଏବଂ ସାବଧାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏଥିପାଇଁ କୌଣସି କଲ୍ କିମ୍ବା ଲିଙ୍କ୍ ଯିବନି।କି ଓଟିପି ଦେବାକୁ ପଡିବନି ।

ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଆବେଦନ ପାଇଁ ନେଟୱର୍କ ସମସ୍ୟା ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଗଜପତିର ମୋହନା ବ୍ଲକ୍ ମଳାସପଦର ଅଞ୍ଚଳରେ ନେଟୱର୍କ ନଥିବାରୁ ସକାଳ ହେଲେ ଗାଁଠୁ ୬ କିଲୋମିଟର ଦୂରକୁ ଯାଇ ଆବେଦନ କରିବାକୁ ପଡୁଛି । ଏବେ ବି ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ଆବେଦନ କରିପାରିନାହାନ୍ତି । ବିଜୁଳି ଓ ନେଟୱର୍କ ସମସ୍ୟା ଯୋଗୁଁ କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରେ ବି ସମାନ ସମସ୍ୟା ଦେଖିବାକୁ ମିଳିଛି । ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ୟା ଥିଲେ ବି ମାର୍ଚ୍ଚ ୮ ଯାଏଁ ସମସ୍ତ ମହିଳାଙ୍କୁ ସାମିଲ କରି ସୁଭଦ୍ରା ଟଙ୍କା ଦିଆଯିବ ।