ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ।

Subhadra Yojana

ଅକ୍ଟୋବର ୯ରେ ଆସିବ ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । ସୂଚନା ଅନୁସାରେ ୧୭ ତାରିଖ ଦିନ ସୁଭଦ୍ରା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଥିଲା । ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ ବହୁ ହିତାଧିକାରୀ ପ୍ରଥମ ସୁଭଦ୍ରା କିସ୍ତି ଅପେକ୍ଷାରେ ରହିଛନ୍ତି ।

ସେପଟେ ସୁଭ୍ରଦା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେପ୍ଟେମ୍ବର ୨୫ରେ କହିଥିଲେ ଯେ, ଆଗକୁ ଆସୁଛି ମହିଳାମାନଙ୍କ ଉତ୍ସବ। ସେ ପର୍ବ ଅବସରରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏଥିସହ ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ସେ କହିଥିଲେ ।

ଅନ୍ୟପକ୍ଷରେ ସପ୍ତାହକ ଭିତରେ ୧ କୋଟି ଛୁଇଁବ ‘ସୁଭଦ୍ରା’ ଆବେଦନ ସଂଖ୍ୟା । ଏଯାଏଁ ୯୨ ଲକ୍ଷ ଆବେଦନ କରିସାରିଲେଣି । E-KYC ପାଇଁ ଟିକେ ସମୟ ଲାଗୁଛି । ତେବେ ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଛନ୍ତି।