ବାହାରେ ଦେଖିବାକୁ କାଜୁ ବଗିଚା ହେଲେ ଭିତରେ ଚାଲୁଛି ପଥର ଖଣି । ଏଭଳି ଦୃଶ୍ୟ ଏବେ ଖୋର୍ଦ୍ଧା କାଜୁ ଉନ୍ନୟନ ନିଗମ ଡିଭିଜନରେ । ଡିଭିଜନର ଅନେକ କାଜୁ ଜଙ୍ଗଲ ଏବେ ବଡ଼ ବଡ଼ ପଥର ଖଣିରେ ପରିଣତ ହେଲାଣି । ଆଶ୍ଚର୍ଯ୍ୟର କଥା କାଜୁ ଜଙ୍ଗଲ ନିଲାମ ହେଲାବେଳେ ମାତ୍ର ୧୦ରୁ ୧୫ ଗୋଟି ଗଛ ଥିବା ଜଙ୍ଗଲକୁ ଲକ୍ଷାଧିକ ଟଙ୍କାରେ ନିଲାମ ହେଉଛି । ସ୍ଥାନୀୟ ସଚେତନ ନାଗରିକଙ୍କ ପ୍ରତିବାଦ ଯୋଗୁ ଉକ୍ତ ନିଲାମ ବାତିଲ କରିଛି ବିଭାଗ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପଥର ମାଫିଆମାନେ କାଜୁ ଜଙ୍ଗଲ ନିଲାମ ଆଣି ତା ଭିତରେ ଖଣି ଖୋଳୁଛନ୍ତି । ଏସବୁ କୁଆଡେ କାଜୁ ନିଗମର ଜାଣତରେ ହେଉଛି । ସେପଟେ ନିଗମ ଅଧିକାରୀଙ୍କ ଉତ୍ତର ଆମେ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ।
Also Read
ଅଧିକ ପଢ଼ନ୍ତୁ: ଆଦିବାସୀଙ୍କ ଉନ୍ନତି ନାଁରେ କେମିତି ୩୪ କୋଟି ଚଳୁ କଲା ରାଜା ଚକ୍ର ? ଗ୍ରାଉଣ୍ଡ ଜିରୋର ତଥ୍ୟ ବଖାଣୁଛି ମହାଲୁଟର ବାସ୍ତବତା
ଲୁଟ୍ ତ ଲୁଟ୍ । ଦିନରେ ବି ଲୁଟ୍ ରାତିରେ ବି ଡବଲ୍ ଲୁଟ୍ । ବାହାରକୁ ଦେଖିଲେ କାଜୁ ଜଙ୍ଗଲ କିନ୍ତୁ ଭିତରେ ଚାଲିଛି ମାଫିଆଙ୍କ ମାଙ୍କଡ଼ା ପଥର ଲୁଟ୍ । କି ଦିନ କି ମାସ, ବର୍ଷ ବର୍ଷ ଧରି ଏମିତି ମାଫିଆଙ୍କ ମନମାନିରେ ଲୁଟ୍ ହେଉଛି ଖଣିଜ । ବାହାରକୁ କାଜୁ ଜଙ୍ଗଲ ଦେଖା ଯାଉଥିବା ଏସବୁ ଅଞ୍ଚଳ ଏବେ ପଥର ମାଫିଆଙ୍କ କବଜାରେ । ଆମେ କହୁଛୁ କାଜୁ ଉନ୍ନୟନ ନିଗମ ଖୋର୍ଦ୍ଧା ଡିଭିଜନର କଥା । ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାକୁ ନେଇ ଖୋର୍ଦ୍ଧା କାଜୁ ଉନ୍ନୟନ ନିଗମ ଡିଭିଜନ ଗଠିତ । ଏହି ଡିଭିଜନରେ ୧୫୫ଟି କାଜୁ ଜଙ୍ଗଲ ରହିଥିବା ବେଳେ ସେଥି ମଧ୍ୟରୁ ମାତ୍ର ୩୦ ଗୋଟି ଜଙ୍ଗଲ ନିଲାମ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏସବୁ କାଜୁ ଜଙ୍ଗଲ ନିଲାମ କରିଦେଇ ନିଗମ ନିଜ ଦାୟିତ୍ବ ସାରିଦେଇଛି । ହେଲେ ସେହି କାଜୁ ଜଙ୍ଗଲକୁ କାଟି ପଥର ମାଫିଆ ମାନେ ବଡ଼ ବଡ଼ ପଥର ଖଣି ଚଳାଉଛନ୍ତି । ଫଳରେ ହଜାର ହଜାର କାଜୁ ଗଛ କଟା ଯାଉଥିବା ବେଳେ ସେସବୁ ଅଞ୍ଚଳରେ ବିରାଟ ବିରାଟ ଖାଲ ସୃଷ୍ଟି ହୋଇଛି ।
ନିକଟରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଗୋଟିଏ କାଜୁ ଜଙ୍ଗଲ ନିଲାମକୁ ବାତିଲ କରିଛି ନିଗମ । ଉକ୍ତ କାଜୁ ଜଙ୍ଗଲରେ ମାତ୍ର ୧୦ ରୁ ୧୫ ଗୋଟି କାଜୁ ଗଛ ଥିବା ବେଳେ ତାକୁ ୩ ଲକ୍ଷ ଟଙ୍କାରେ ନିଲାମ ଦିଆ ଯାଇଥିଲା । ସ୍ଥାନୀୟ ଲୋକେ ଏହା କାଜୁ ଜଙ୍ଗଲ ପାଇଁ ନୁହେଁ ବରଂ ପଥର ଖଣି ପାଇଁ ନିଲାମ ହୋଇଥିବା ଅଭିଯୋଗ ଆଣିବା ପରେ ନିଗମ ସେହି ନିଲାମକୁ ବାତିଲ କରିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, କାଜୁ ଜଙ୍ଗଲ ଭିତରେ ରାତିରେ ପାୱାର ଟିଲର ଲଗାଇ ପଥର ମାଫିଆ ପଥର କାଟି ବିକ୍ରି କରୁଛନ୍ତି । ଏହା ସହିତ ଗଛ କାଟି ଜଙ୍ଗଲ ପଦା କରୁଥିଲେ ମଧ୍ୟ କାଜୁ ନିଗମ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କାହିଁକି ? ବାସ୍ତବିକ ନିଗମ ଅଧିନରେ ଥିବା ଜଙ୍ଗଲ ଗୁଡିକର ସ୍ଥିତି ସମ୍ପର୍କରେ ନିଗମ ଅବଗତ ଅଛି କି ? ସେପଟେ ଖୋର୍ଦ୍ଧା ଡିଭିଜନର ସହ ପରିଚାଳିକା କହିଛନ୍ତି ଆମେ ସମସ୍ତ ବିଷୟ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଛୁ ।