ଘଟିବ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ! ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର

ସାତ୍ତ୍ବିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ ! ରତ୍ନଭଣ୍ଡାର ଭିତରେ ସଭିଏଁ ମାନିବେ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ।

Ratna Bhandar

ଆଉ ଖାଲି ରାତିକ ଅପେକ୍ଷା । ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟାଇ, ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ମହାପ୍ରଭୁଙ୍କ ମହଣ ମହଣ ଦୁର୍ମୂଲ୍ୟ ଅଳଙ୍କାର ଥିବା ଏହି ରହସ୍ୟମୟ ଭଣ୍ଡାରଘରକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ଲାଗି ରହିଥିବା ବେଳେ, ଅପେକ୍ଷା ରହିଛି ରାଜ୍ୟ ସରକାରଙ୍କ ପକ୍ଷରୁ SOP ଅନୁମୋଦନକୁ । ରତ୍ନଭଣ୍ଡାରରେ ପ୍ରବେଶ, ଅଳଙ୍କାର ଗଣତି ମଣତି ଓ ଭଣ୍ଡାରଘର ମରାମତି ପାଇଁ କେଉଁସବୁ ବିଧିବ୍ୟବସ୍ଥା ପାଳନ ହେବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ଆସନ୍ତୁ ନଜର ପକାଇବା କିଛି ସମ୍ଭାବ୍ୟ SOP ଉପରେ ।

ସାତ୍ତ୍ବିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ ! ରତ୍ନଭଣ୍ଡାର ଭିତରେ ସଭିଏଁ ମାନିବେ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା । ସ୍ନେକ୍ ହେଲ୍ପଲାଇନ, ଡାକ୍ତର ଓ ତାଲା ଭଙ୍ଗାଳିଙ୍କ ନେବେ ସହୟତା ! କିଛି ଏଭଳି ରହିବ କି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର୍ ବା SOP ?

ରତ୍ନଭଣ୍ଡାର ତଦାରଖ କମିଟି ଦ୍ବାରା ପ୍ରସ୍ତାବିତ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ସୁପାରିଶ SOP ଏବେବି ରାଜ୍ୟ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏପଟେ ରାତି ପାହିଲେ ଭଣ୍ଡାର ଖୋଲିବ ଓ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଆଶା ବାନ୍ଧିଛନ୍ତି ଅଗଣିତ ଜଗନ୍ନାଥ ପ୍ରେମୀ । ଏସବୁ ଭିତରେ ଅନୁମାନ କରାଯାଉଛି, ୨୦୧୮ ମସିହା ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁସବୁ ନିୟମ ପାଳନ କରାଯାଇଥିଲା, ସେଥିରୁ ଅଧିକାଂଶ ଏଥର ବି ପୁନରାବୃତ୍ତି ହୋଇପାରେ। ଯଦି ସେଭଳି ହୁଏ, ତେବେ କିଛି ଏଭଳି ରହିପାରେ ସମ୍ଭାବ୍ୟ SOP...

- ରତ୍ନଭଣ୍ଡାର ଭିତରକୁ ଶୁଦ୍ଧପୂତ ହୋଇ ଯିବାକୁ ହେବ
- ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କୁ ପ୍ରଥମେ ପୂଜାର୍ଚ୍ଚନା
- ଭଣ୍ଡାର ଭିତରେ ଯାହା ଦେଖିବେ ବାହାରେ ପ୍ରଘଟ ନ କରିବା ପାଇଁ ଶପଥ ନେବେ
- ରତ୍ନଭଣ୍ଡାରର ସମସ୍ତ କମିଟି ସଦସ୍ୟ ସାତ୍ତ୍ବିକ ଆହାର ଭୋଜନ କରୁଛନ୍ତି
- ସମସ୍ତେ ସେବାୟତଙ୍କ ଭଳି ମଠା ଲୁଗା ଗାମୁଛା ପିନ୍ଧି ଭିତରକୁ ଯିବେ
- ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କୁ ଭଲଭାବେ ଯାଞ୍ଚ କରାଯିବ
- ରତ୍ନଭଣ୍ଡାର ଭିତରେ ସାପ ଥିବା କଥା ଜନଶ୍ରୁତି ରହିଛି
- ଏଥିରୁ ରକ୍ଷା ପାଇବା ପାଇଁ ସ୍ନେକ ହେଲପଲାଇନ୍ ସହାୟତା ନିଆଯାଇପାରେ
- ରତ୍ନଭଣ୍ଡାରରେ ଆଲୋକୀକରଣ ଓ ବାୟୁ ସଞ୍ଚାଳନର ସ୍ୱତନ୍ତ୍ର ବ୍ୟବସ୍ଥା ହେବ
- ରତ୍ନଭଣ୍ଡାର ଯିବାକୁ ଥିବା ଟିମ୍‌ର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ
- କୌଣସି ଅଘଟଣର ମୁକାବିଲା ପାଇଁ ଡାକ୍ତରୀ ଟିମ୍ ବାହାରେ ଅପେକ୍ଷା କରିବେ
- ମେଟାଲ୍ ଡିଟେକ୍ଟର, ଅକ୍ସିଜେନ୍ ସିଲିଣ୍ଡର ଓ ସର୍ଚ୍ଚ ଲାଇଟ ଆଦି ସରଞ୍ଜାମ ରହିବ
- ଭଣ୍ଡାର ମେକାପ ରତ୍ନଭଣ୍ଡାରର ବିଭିନ୍ନ ଦ୍ବାର ସମ୍ପର୍କରେ ଅବଗତ ଅଛନ୍ତି
- ତାଲା ନଖୋଲିଲେ ତାକୁ ଭାଙ୍ଗିବା ପାଇଁ ଜଣଙ୍କୁ ସାଙ୍ଗରେ ନିଆଯାଇ ପାରେ
- ଶ୍ରୀମନ୍ଦିର ଭିତରେ ଓ ବାହାରେ ଅଧିକ ଫୋର୍ସ ମୁତୟନ ସହ ସୁରକ୍ଷା କଡ଼ାକଡ଼ି ହେବ

୨୦୧୮ରେ ଭଣ୍ଡାର ଘର ଭିତରକୁ ଗଜପତିଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ଭଣ୍ଡାର ମେକାପ, ଦେଉଳ କରଣ, ତଢ଼ଉ କରଣଙ୍କ ସହ ଏଏସ୍ଆଇର ୩ ଜଣ ପ୍ରତିନିଧି ଏବଂ କୋର୍ କମିଟି ଓ ହାଇକୋର୍ଟଙ୍କ ଜଣେ ଲେଖାଏଁ ପ୍ରତିନିଧିଙ୍କ ସମେତ ମୋଟ ୧୬ ଜଣ ଯାଇଥିଲେ। ହେଲେ ଚାବି ନମିଳିବାରୁ ଭିତର ଭଣ୍ଡାର ଖୋଲିବା ସମ୍ଭବ ହୋଇନଥିଲା । ତେବେ ଏଥର ରତ୍ନଭଣ୍ଡାର ଭିତରକୁ କେଉଁମାନେ ଯିବେ ଏବଂ କେତେଜଣଙ୍କୁ ଅନୁମତି ମିଳିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ ଟ୍ରେଜେରିରୁ ଡୁପ୍ଲିକେଟ୍ ଚାବି ଆସିବା ପରେ, ଆସନ୍ତାକାଲି ଦିନ ୧୦ଟାରେ ଏକ ବୈଠକ କରାଯିବ । ସେଠାରେ ଏଏସ୍ଆଇ କୋର୍ କମିଟି ଓ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ । ସେପଟେ ରତ୍ନ ଅଳଙ୍କାର ଗଣତି ମଣତିଠୁ ଭଣ୍ଡାର ଘରର ଯଥାଶୀଘ୍ର ମରାମତି ଅଧିକ ଜରୁରୀ ବୋଲି ମତ ରଖିଛନ୍ତି ଐତିହ୍ୟ ଗବେଷକ । ତେଣୁ ରତ୍ନଭଣ୍ଡାର ଅଳଙ୍କାର କେଉଁସ୍ଥାନକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ, କିଭଳି ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ରଖାଯିବ ଏବଂ ଭଣ୍ଡାରର ମରାମତି କେବେ ଆରମ୍ଭ ହେବ, SOPରେ ଏହିସବୁ ଦିଗ ସ୍ଥାନ ପାଉଛି କି ନାହିଁ, ତା ଉପରେ ମଧ୍ୟ ନଜର ରହିଛି ।