କାନ୍ଦି କାନ୍ଦି ସ୍ବାମୀର ଜୀବନ ମାଗୁଛି ସ୍ତ୍ରୀ

ଆଖିରେ ଆଖିଏ ଲୁହ... ଛାତିରେ ଛାତିଏ କୋହ... ସବୁ କଷ୍ଟକୁ ହୃଦୟ ଭିତରେ ଚାପି ରଖି ସ୍ୱାମୀର ଜୀବନ ପାଇଁ ସଂଘର୍ଷ କରୁଛି ଏ ସ୍ତ୍ରୀ । ନିଜ ପତ୍ନୀ ଧର୍ମ ପାଳନ କରୁଛି । ତା’ ସିନ୍ଦୂରକୁ ସାଇତି ରଖିବାକୁ ଚେଷ୍ଟା କରୁଛି । ସ୍ୱାମୀର ଜୀବନ ପାଇଁ ହାତ ଯୋଡ଼ି କରୁଛି ଗୁହାରୀ ।

helpless women

ବ୍ରେନ୍ ଷ୍ଟ୍ରୋକ୍ ପରେ ହସ୍ପିଟାଲ ବେଡ୍‌ରେ ଶୋଇଯାଇଛି ସ୍ୱାମୀ । BSKY କାର୍ଡରେ ରାଜ୍ୟ ସରକାର ଦେଉଥିବା ୫ ଲକ୍ଷ ଟଙ୍କା ଶେଷ ହୋଇଗଲାଣି । ବନ୍ଧୁବାନ୍ଧବ ନିକଟରୁ ମାଗିଯାଚି ଟଙ୍କା ଆଣି ସ୍ୱାମୀ ପାଇଁ ଖର୍ଚ୍ଚ ହୋଇସାରିଲାଣି । ଆଉ ଘରେ ଯାହା ଗହଣାଥିଲା ସେ ସବୁକୁ ବି ବିକି ବନ୍ଧାରଖି ଟଙ୍କା ଖର୍ଚ୍ଚ ସରିଛି । ହେଲେ ଡାକ୍ତର କହୁଛନ୍ତି ସ୍ୱାମୀ ଭଲ ହେବାକୁ ହେଲେ ଆହୁରି ଆବଶ୍ୟକ ରହିଛି ଅର୍ଥ । ହସ୍ପିଟାଲ ବିଲ୍‌ ସାଙ୍ଗକୁ ମେଡିସିନ୍‌ ଖର୍ଚ୍ଚ ଯେମିତି ଏ ଗରିବ ପରିବାରକୁ ଆଉଟୁପାଉଟୁ କରିପକାଉଛି ।

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ କୁଳବ୍ରାହ୍ମଣ ସାହିଲୋ ଗାଁରେ ମନୋରଞ୍ଜନ ମହାରଣାଙ୍କ ଘର । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ପରିବାର ଚଳାନ୍ତି ମନୋରଞ୍ଜନ । ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ହଠାତ୍ ମନୋରଞ୍ଜନଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ ପ୍ରଥମେ କଟକର SCB ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ସପ୍ତାହରୁ ଅଧିକ ଦିନ ଅସୁସ୍ଥ ଥିବା ମନୋରଞ୍ଜନଙ୍କ ଏହାରି ଭିତରେ ସରିଛି ଦୁଇଟି ସର୍ଜରୀ ।

ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେବା ପରେ ବି ଏଯାଏଁ ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି ମନୋରଞ୍ଜନ । ଡାକ୍ତର କହିଛନ୍ତି ଚିକିତ୍ସା ପାଇଁ ଆହୁରୀ ଟଙ୍କା ଆବଶ୍ୟକ । ଆଗକୁ ଅପରେସନ୍‌ ହେବ । କିନ୍ତୁ ଦିନକୁ ଦିଓଳା ଖାଇବାକୁ ସଂଘର୍ଷ କରୁଥିବା ଏ ମଣିଷର ପରିବାରରେ ଏବେ ଆଉ ଟଙ୍କା ଯୋଗାଡ଼ କରିବା ସମ୍ଭବପର ନୁହେଁ । ତେଣୁ ପରିବାର ଆପଣଙ୍କ ସହାୟତା ଲୋଡିଛି ।

ଆପଣ ଯଦି ମନୋରଞ୍ଜନଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥା’ନ୍ତି, ତେବେ A/C ନମ୍ବର ଲେଖିରଖନ୍ତୁ.... 20402312244 IFSC କୋଡ୍‌... SBIN0007187 । ସେହିପରି ଫୋନ୍‌ ପେ’ ଓ ଗୁଗଲ ପେ’ ନମ୍ବର ୭୬୮୪୮୭୯୬୨୨ରେ ମଧ୍ୟ ମନୋରଞ୍ଜନଙ୍କୁ ସାହାଯ୍ୟ କରିପାରିବେ । ଆପଣଙ୍କ ମାତ୍ର ଏକ ଟଙ୍କା ଗୋଟିଏ ପରିବରକୁ ବଞ୍ଚାଇ ଦେଇପାରେ ।