ଜୀବନ ରେଖା ପାଲଟିଛି ଅସ୍ଥାୟୀ ପୋଲ, ନଈ ମଝିରେ ଜଗିଛି ମୃତ୍ୟୁ

ପାଦ ଚିପି ଚିପି ନଦୀ ପାର୍ ହୋଇଥାନ୍ତି ଏଠିକାର ଗରିବ ଲୋକେ । ଅସ୍ଥାୟୀ ପୋଲ ପାଲଟିଛି ଏମାନଙ୍କ ପାଇଁ ଜୀବନ ରେଖା । ଜୀବନ ଜିଇବାକୁ ହେଲେ ଏମିତି ସଂଘର୍ଷ ଏମାନଙ୍କ ପାଇଁ ନିତିଦିନିଆ କଥା ପାଲଟିଛି ।

Unavailability of Bridge

ଅସ୍ଥାୟୀ ପୋଲ ପାଲଟିଛି ଏମାନଙ୍କ ପାଇଁ ଜୀବନ ରେଖା । ପାଦ ଚିପି ଚିପି ନଦୀ ପାର୍‌ ହୋଇଥାନ୍ତି ଏଠିକାର ଗରିବ ଲୋକେ । କହିବାକୁ ନା ଅଛି କଥା... ନା ଶୁଣିବାକୁ ବି କେହି ଅଛନ୍ତି... ଜୀବନ ଜିଇବାକୁ ହେଲେ ଏମିତି ସଂଘର୍ଷ ଏମାନଙ୍କ ପାଇଁ ନିତିଦିନିଆ କଥା ପାଲଟିଛି । ଆଉ ଏ ବାବଦରେ ପ୍ରଶାସନ ଠାରୁ ଆରମ୍ଭ କାରି ନେତାଙ୍କ ନିକଟରେ ଯେତେ ଗୁହାରି କଲେବି କିଛି ବି ସୁଫଳ ମିଳିପାରିନାହିଁ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଏହି ଘଟଣା । ଆଉ ସାଲୁଙ୍କି ନଦୀର ଆରପଟେ ରହିଛି ବୁଢ଼ାଦାନୀ ଗାଁ । କିନ୍ତୁ ସାଲୁଙ୍କି ନଈରେ କୌଣସି ସ୍ଥାୟୀ ପୋଲ ନଥିବାରୁ ଗ୍ରାମବାସୀ ମାନେ ନିଜେ ଏକାଠି ହୋଇ କାଠ ପୋଲ ନିର୍ମାଣ କରି ସେହି ପୋଲ ଉପରେ ଯାତାୟାତ କରୁଛନ୍ତି । ଆଉ ଏବେ ବର୍ଷା ହେବା ଦ୍ୱାରା ନଦୀରେ ପାଣି ବଢ଼ିବାରୁ କାଠ ପୋଲର କିଛି ଅଂଶ ଧୋଇଯାଇଛି । ତେଣୁ କେତେବେଳେ ଅଘଟଣ ଯେ ଘଟିବ କାହାକୁ ଜଣାନାହିଁ ।

ଖାଲି ବୁଢ଼ାଦାନୀ ଗାଁ ନୁହେଁ ଏହା ଉପରେ ଆହୁରି ନିର୍ଭର କରନ୍ତି ୭ରୁ ୮ଟି ଗାଁର ଲୋକେ । ଗ୍ରାମବାସୀମାନେ ବର୍ଷ ବର୍ଷ ଧରି ଏଭଳି କାଠ ପୋଲ ନିର୍ମାଣ କରନ୍ତି ଓ ଯାତାୟାତ କରନ୍ତି । ଏହି କାଠପୋଲକୁ ଏମାନଙ୍କ ଜୀବନ ରେଖା କହିଲେ ହୁଏ ତ ଭୁଲ ହେବନାହିଁ । ତଥାପି ଆଗାମୀ ଦିନରେ ସରକାର ଏମାନଙ୍କୁ ଦୁଃଖ ବୁଝିବେ ବୋଲି ଏବେ ବି ଏମାନେ ଆଶାବାନ୍ଧି ରହିଛନ୍ତି ।

ତେବେ ଦେଖିବାକୁ ବାକି ରହିଲା । କେବେ ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି ? ଆଉ ଗରିବ ଲୋକଙ୍କ ଏ ଜୀବନ ରେଖା ଉପରେ ପ୍ରସାଶନର କେବେ ଦୃଷ୍ଟି ପଡ଼ୁଛି ।