Advertisment

ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ବି ଛାଡ଼ିଲେନି ମାଫିଆ, ବିକି ଦେଲେ ଅନୁମତିଠାରୁ ଅଧିକ ପଥର

ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଖଣିକୁ ବି ଛାଡ଼ିଲେନି ମାଫିଆ। ଚୁକ୍ତି ଖିଲାପ କରି ପଥର ତାଡ଼ି ବିକି ଦେଇଥିବା ୧୯ ଜଣ ଖଣି ଲିଜଧାରୀଙ୍କୁ କଡ଼ା ଜୋରିମାନା ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଅଦ୍ୟତନ ହୋଇଛି
undefined

Mines

Advertisment

ମାଫିଆ କୋରି ଖାଇଗଲେ ମହାପ୍ରଭୁଙ୍କ ମୂଲ୍ୟବାନ ଖଣି । ଯେତିକି ଉତ୍ତୋଳନ ଅନୁମତି ନେଇଛନ୍ତି । ତାଠୁ ଢ଼ର ଗୁଣା ପଥର ତାଡ଼ି ବିକି ଦେଇଛନ୍ତି । ଏଭଳି ମହାଲୁଟ୍ ଧରିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେଉଁଥିରେ ୧୫ଦିନ ଭିତରେ ରୟାଲିଟି ସହ ଆନୁସଙ୍ଗିକ ଦେୟ ଓ ଫାଇନ୍ ଜମା କରିବାକୁ ରହିଛି କଡ଼ା ନିର୍ଦ୍ଦେଶ ।

Advertisment

ସେମିତି ଜଣେ ଲିଜଧାରୀ ଖୋର୍ଦ୍ଧା ଗୁରୁଜଙ୍ଗର ଦେବେନ୍ଦ୍ର ନାଥ ଜେନା, ତାଙ୍କୁ ୨୦୨୨-୨୩ ମସିହାରେ ୩୦, ୦୦୦ କ୍ୟୁବିକ ମିଟରର ପଥର ଖନନ ପାଇଁ ଅନୁମତି ଥିଲା। ହେଲେ ସେ ତାଠୁ ଢେର ଅଧିକ ପରିମାଣର ଅର୍ଥାତ୍ ୧୨ ଲକ୍ଷ ୨୮ ହଜାର ୫୭ କ୍ୟୁବିକ ମିଟର ଖଣିଜ ଉତ୍ତୋଳନ କରିଥିବା ଅଭିଯୋଗ ଆସିଛି । ତେଣୁ ରୟାଲିଟି ଓ ପେନାଲଟି ବାବଦକୁ ମିଶାଇ ମୋଟ୍ ୧ କୋଟି ୮୪ ଲକ୍ଷ ଟଙ୍କା ଦାଖଲ କରିବା ପାଇଁ ତାଙ୍କୁ ଚିଠି ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଖାଲି ଦେବେନ୍ଦ୍ର ନୁହଁନ୍ତି ତାଙ୍କ ଭଳି ଖୋର୍ଦ୍ଧା ଜିଲ୍ଲାର କାଇପଦର, ତାପଙ୍ଗ, ଶଙ୍ଖାରି, ତାଳଛୁଆ, ହାତିଆ, ଦକ୍ଷିଣଘର ଓ ଗୋଲାପୁଟ ଆଦି ସ୍ଥାନରେ ଖଣି ଲିଜ୍ ପାଇଥିବା ଆହୁରି ୧୮ଜଣ ଲିଜଧାରୀଙ୍କୁ ବି ବେଆଇନ୍ ଖନନ ସ୍ଥଳରେ ଡ୍ରୋନ୍ ଦ୍ବାରା ଆକଳନ କରାଯାଇ ଜରିମାନା ନୋଟିସ୍ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ସେପଟେ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ ପାଇ ପୁରୀ ଆସିଥିଲେ ଖଣି ଲିଜ୍‌ଧାରୀ ଦେବେନ୍ଦ୍ର ଜେନା । ବେଆଇନ୍ ଖନନକୁ ସେ ସିଧାସଳଖ ଖଣ୍ଡନ କରିଛନ୍ତି।

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲାର ବହୁ ସ୍ଥାନରେ ପଥର ଖାଦାନ ରହିଛି । ଯେଉଁଠୁ ଶ୍ରୀମନ୍ଦିର ପାଇଁ ମରାମତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ବ୍ୟବହାର ପାଇଁ ପଥର ଆସିଥାଏ । ବାକି ଅନ୍ୟ ଖଣି ଲିଜ୍ ଆକାରରେ ଦିଆଯାଇ ସେ ବାବଦରେ ରୟାଲିଟି ଅର୍ଥ ପ୍ରଶାସନ ପାଖକୁ ଆସିଥାଏ । ସେସବୁ ଖଣିରୁ କେତେ ପରିମାଣର ଖନନ ହେବ ତାହା ବି ଚୁକ୍ତିପତ୍ରରେ ଉଲ୍ଲେଖ ଥାଏ। ହେଲେ ଲିଜଧାରୀ ସେ ନିୟମକୁ ଫୁ କରି ମନଇଚ୍ଛା ଖଣି ଖୋଳି କୋଟି କୋଟି ଟଙ୍କା ଲାଭବାନ ହେଉଥିବାର ସଂଗୀନ ଅଭିଯୋଗ ଆସିବା ପରେ ସେମାନଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ।

୧୭ଟି ନିର୍ମାଣ ପଥର ଖଣି ଓ ୨ଟି ମାଙ୍କଡ଼ା ପଥର ଖଣି ଲିଜଧାରୀଙ୍କୁ ଓଡ଼ିଶା ଲଘୁ ଖଣିଜ ଆଇନ୍-୨୦୧୬ ଆଧାରରେ ଜରିମାନା ଦାଖଲ ସହ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ କେମିତି ଠାକୁରଙ୍କ ସଂପତ୍ତି ଜାଣି ବି କୋରି ଖାଇଗଲେ ଖଣି ମାଫିଆ ? ଶ୍ରୀମନ୍ଦିର ପ୍ରଶାସନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏକଥା ଜାଣିଥିଲେ ନା ଜାଣି ଅଜଣା ଥିଲେ ? ଏ ପ୍ରଶ୍ନ କରିଛନ୍ତି ଆଇନଜୀବୀ ଓ ସେବାୟତ । ତାସହ ଅଭିଯୋଗ କରିଛନ୍ତି ବର୍ଷ ବର୍ଷ ଧରି ଖଣି ଲିଜଧାରୀଙ୍କ ସହ ମଧୁଚନ୍ଦ୍ରିକା କରି ଏ ମହାଲୁଟ୍‌ରେ ସାମିଲ ଅଫିସରମାନଙ୍କୁ ଧରି ଆଗେ ଦଣ୍ଡିତ କରାଯାଉ।

Advertisment

ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି- ବେଆଇନ ଖଣି ଖନନ ଅଭିଯୋଗ ଉପରେ ଉପ-ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲେ ଆକ୍ସନ ହେବ। ତେଣେ ଗତ ପରିଚାଳନା ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଥିଲେ- ଠାକୁରଙ୍କ ଖଣି ଚୋରି ରୋକିବାକୁ ରାଜ୍ୟ ସରକାର ନୂଆ ନିୟମ କରିଛନ୍ତି। ଏଣିକି ଖଣି ଓ ଇସ୍ପାତ ବିଭାଗ ଜଗନ୍ନାଥଙ୍କ ନାଁରେ ଥିବା ଖଣି ସବୁର ଦାୟିତ୍ବ ନେବ । ଏବେ ଦେଖିବାର କଥା ଠାକୁରଙ୍କ ଖଣି ଚୋରି ରୋକିବାରେ ଶ୍ରୀମନ୍ଦିର ପ୍ରଶାସନକ ଏ କଡ଼ା ଆଭିମୁଖ୍ୟ କେତେ ଫଳପ୍ରଦ ହେଉଛି।

Srimandir Rungta Mines Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ