ଗୁହାରି ଶୁଣିଲାନି ବିଏମସି, ପରିସ୍ରା କରି ଭସେଇଦେଲେ ଅଫିସ୍‌ ଚାମ୍ବର

ବାରମ୍ବାର ବିଏମ୍‌ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।

Shocking Protest

ପରିସ୍ରା କରି ପ୍ରତିବାଦ । ଶୁଣିବାକୁ ଅଖାଡୁଆ ଲାଗୁଥିଲେ ବି ବିକ୍ଷୋଭର ଏଭଳି ଭିନ୍ନ ଶୈଳୀ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀରେ । ଦାବି ପୂରଣ ନେଇ ବାରମ୍ବାର ବିଏମ୍‌ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।

ଭୁବନେଶ୍ବର ମ୍ୟୁନିସପାଲ କର୍ପୋରେସନ ଅଫିସ୍ । ଶୁକ୍ରବାର । ସିଟି ଇଞ୍ଜିନିୟର ବିଳାସ କୁମାର ବେହେରାଙ୍କ ଚାମ୍ବରରେ ପଶିଥିଲେ ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା । ନଗର ଯନ୍ତ୍ରୀଙ୍କୁ ଶୁଣାଇଥିଲେ ରାତି ପାହିଲେ ସେମାନେ ସାମ୍ନା କରୁଥିବା ଦୁଃଖ ଓ ଯନ୍ତ୍ରଣାର କାହାଣୀ। ଅଫିସର ଓ ବସ୍ତିବାସିନ୍ଦାଙ୍କ ଭିତରେ ଚାଲିଲା ଯୁକ୍ତି ତର୍କ । ପରେ ପ୍ରତିବାଦ ପୂର୍ବକ ଅଫିସ ଚାମ୍ବର ଭିତରେ ପରିସ୍ରା କରିଦେଲେ କିଛି ବସ୍ତି ବାସିନ୍ଦା । କହିଥିଲେ, ୪ ମାସ ହେଲା ଘରେ ନାଳପାଣି ଭାସୁଛି । ବିଏମସିକୁ ଦୌଡି ଦୌଡି ନୟାନ୍ତ ହେଲୁଣୁ । ଆପଣ ବି ଥରେ ଅନୁଭବ କରନ୍ତୁ ଘରେ ଝାଡା ପରିସ୍ରା ପଶିଲେ କେମିତି ଅନୁଭବ ହୁଏ । କେବଳ ଏତିକି ନୁହେଁ, ତୁରନ୍ତ ଦାବି ପୂରଣ ନ ହେଲେ ଆଗକୁ ଅଫିସରେ ମଳ ତ୍ୟାଗ କରିବାକୁ ଦେଇଥିଲେ ଖୋଲା ଚେତାବନୀ ।

ୱାର୍ଡ ନମ୍ବର ୪୫ର ଶବର ସାହି । ଯୁଆଡେ ଚାହିଁବେ ଭାସୁଛି ନାଳ ନର୍ଦ୍ଦମା ପାଣି । ମଳ ଆଉ ପରିସ୍ରା ଗନ୍ଧରେ ଫାଟିପଡୁଛି ପୂରା ପରିବେଶ । ଘର ବାରଣ୍ଡାରୁ ମୁଖ୍ୟ ରାସ୍ତା ଯାଏଁ, ଦୂଷିତ ଓ ଦୁର୍ଗନ୍ଧମୟ ପରିବେଶ । ତାରି ଭିତରେ ରହୁଛନ୍ତି ପ୍ରାୟ ୨ ଶହ ପରିବାର । ୪ ମାସ ହେଲା ମୁଖ୍ୟ ନଳା ଜାମ୍ । ତେଣୁ ଟିକେ ବର୍ଷା ହେଲେ ଘରେ ପଶିଯାଏ ନାଳ ପାଣି । ସାହି ଦେଇ ଏକ ୬ ଶହ ମିଟର ଇଣ୍ଟରନାଲ୍ ଡ୍ରେନର କାମ ଦୀର୍ଘ ଦିନ ହେଲା ଚାଲିଛି ଯେ ଚାଲିଛି। ବିଏମସି ଅଧିକାରୀଙ୍କ ଏଥିପ୍ରତି ଯେମିତି ନିଘା ନାହିଁ । ମେୟର ତ ସବୁ ଦୋଷ ନିଜ ମୁଣ୍ଡରୁ ଖସାଇ TPCODL ଉପରେ ଲଦି ଦେଇଛନ୍ତି। କହିଛନ୍ତି, ଡ୍ରେନର ସମସ୍ତ କାମ ସରିଛି । ବାକିଥିବା ୧୫ ମିଟର ଅଂଚଳରେ ୨ଟି ବିଦ୍ୟୁତ୍ ଖୁଣ୍ଟ ବାଧକ ସାଜିଛି । ବାରମ୍ବାର TPCODLକୁ ଚିଠି ଲେଖିବା ସତ୍ତ୍ୱେ କୌଣସି ପ୍ରକାର ସହଯୋଗ ନମିଳିବାରୁ ବିଳମ୍ବ ହେଉଛି ଡ୍ରେନ୍ କାମ ।

ପ୍ରଶ୍ନ ଉଠୁଛି, ୪ ମାସ ହେଲା ବାରମ୍ବାର ଅଭିଯୋଗ ପରେ ବି ଶବର ସାହିର ଏ ସମସ୍ୟା ପ୍ରତି କାହିଁକି ଚୁପ୍ ବିଏମସି ? TPCODLକୁ ବାରମ୍ବାର ଚିଠି ଲେଖିବା ବଦଳରେ ଆଲୋଚନା କରି ସମାଧାନର ବାଟ ବାହାର କରିଲେନି କାହିଁକି ? ନା, ବସ୍ତିବାସିନ୍ଦାଙ୍କ ଅଭିଯୋଗ ପ୍ରତି ଆଖି ବୁଜି ଦେଇଥିଲେ ବିଏମସି ଅଧିକାରୀ ? ରାଜଧାନୀରେ ଏଭଳି ଆହୁରି ଅନେକ ଅଂଚଳ ଅଛି କି ଯେଉଁଠି ଶବର ସାହି ଭଳି ସମସ୍ୟା ଭରି ରହିଛି ?