ଦୁଇ ଦିନର ଅବିଶ୍ରାନ୍ତ ବର୍ଷା, ମାଲକାନଗିରିରେ ଜଳପ୍ରଳୟ

ବୁଡିଲା ରାସ୍ତା, ବ୍ରିଜ୍, ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ । କୋରାପୁଟରେ ବି ବର୍ଷା ତାଣ୍ଡବରୁ ବନ୍ୟା ସ୍ଥିତି।

Malkangiri Flood

ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ବେହାଲ ମାଲକାନଗିରି । ଜିଲ୍ଲାର ୬ଟି ଛୋଟବଡ଼ ନଦୀରେ ଭୟଙ୍କର ବନ୍ୟା ସ୍ଥିତି । ଗତକାଲିଠୁ ବର୍ଷା ଓ ବନ୍ୟା କବଳରେ ଧିରେ ଧିରେ ଫସିବା ଆରମ୍ଭ କରିଥିବା ମାଲକାନଗିରିରେ ଆଜି ସ୍ଥିତି ଏକପ୍ରକାର ଅଣାୟତ୍ତ। କାଲିମେଳା ବ୍ଲକ ପୋଟେରୁ ଅଞ୍ଚଳ ଜଳମଗ୍ନ । ଆକାଶମାର୍ଗରୁ ଉତ୍ତୋଳିତ ଭିଡିଓ ହୋଇଥିବା ଭିଡିଓ ଦେଖିଲେ, ଜଣାପଡ଼ିବ ବନ୍ୟାର ଭୟାବହତା । ଆଉ ଛାତି ଥରି ଉଠିବ ।

ପ୍ରାୟ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ। ବାହାରିବାକୁ ବାଟ ନିହିଁ, କି ମୁକୁଳିବାକୁ ଉପାୟ ନାହିଁ । ଏପଟେ ପୋଟୋରୁ ନଦୀ ବି ଧାରଣ କରିଛି ଭୟଙ୍କର ରୂପ। ପୋଟେରୁ ବ୍ରିଜ୍ ଉପରେ ଛୁଟୁଛି ପ୍ରାୟ ୧୫ ଫୁଟ୍ ଉଚ୍ଚର ପାଣି।

କାଲିମେଳା ବ୍ଲକ୍ MV-୪୦ରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଗାଁ ଭିତରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି। ଫଳରେ ଘର, ଦ୍ୱାର, ଜିନିଷ ଓ ଆସବାବପତ୍ର ସବୁକିଛିକୁ କବଜା ନେଇଛି ବନ୍ୟାଜଳ। ଏପଟେ MV-୩୯ରେ ହଠାତ ବନ୍ୟା ମାଡ଼ିଯିବା ଫଳରେ ପୋଟେରୁ ପୋଲ ନିକଟରେ ଫସି ରହିଥିବା କିଛି ଶ୍ରମିକଙ୍କୁ ଜଳବନ୍ଦୀ ଅବସ୍ଥାରୁ ଉଦ୍ଧାର କରିଛି ଓଡ୍ରାଫ୍ ବାହିନୀ। ସେପଟେ MV ୭ ନଦୀରେ ବି ସ୍ଥିତି ଭୟଙ୍କର । ଏଠି ବି ଚାଲୁଛି ପ୍ରାୟ ୪ ଫୁଟ ଉଚ୍ଚର ପାଣି। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ମାଲଲକାନଗିରି ଓ ମୋଟୁ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ।

ସେହିଭଳି ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ବ୍ରିଜ୍‌ କଥା ନକହିବା ଭଲ । ଏହା ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଯୋଡ଼ାମ୍ବ, ପଣସପୁଟ, ଅଣ୍ଡରା ପାଲି, ଯନ୍ତ୍ରୀ, ଗାଜଳମାମୁଡ଼ି ଭଳି ୫ଟି ପଞ୍ଚାୟତ। ଅମାନିଆ ପାଣିର ସୁଅ ଯୋଡ଼ାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବି ଧଶେଇ ପଶିବାରୁ ଗୁରୁତର ପ୍ରଭାବିତ ହୋଇଛି ରୋଗୀସେବା। ନଷ୍ଟ ହୋଇଛି ମେଡିକାଲର ଔଷଧ, ନଥି ଓ ଆସବାବପତ୍ର।

ଏପଟେ ଚିତ୍ରକୋଣ୍ଡାର ପିଲିଗାଡାଠାରେ ଥିବା ରାଜ୍ୟ ରାଜପଥରେ ଏକ ବ୍ରିଜ ଧୋଇଯିବା ଫଳରେ ଓଡିଶା ସହ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଜି ସକାଳେ ବ୍ରିଜ୍ ସହ ପାଣିର ପ୍ରଖର ସୁଅ ଧୋଇ ନେଇଛି ପ୍ରାୟ ୨ ଶହ ମିଟର ରାସ୍ତା । ତା ସହ ନିକଟରେ ନିର୍ମାଣାଧିନ ଏକ ବ୍ରିଜ୍ କାମରେ ଲାଗିଥିବା ଠିକା ସଂସ୍ଥାର ଏକ ଜେସିବି, ରୋଲର ଆଦି ସବୁ କିଛି ଭସାଇ ନେଇଛି। ଏପଟେ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ଭାଳବ ଛକ ନିକଟରେ ମାଟି ଅତଡା ଧସିବା ଫଳରେ ଚିତ୍ରକୋଣ୍ଡା-ମାଲକାନଗିରି ଓ ଜୟପୁର ଏବଂ କୋରାପୁଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଜଳ ପ୍ରଳୟରେ ମାଲକାନଗିରିରେ ଆକ୍ତାମାକ୍ତ ସ୍ଥିତି ଭିତରେ ପଡ଼ୋଶୀ କୋରାପୁଟ ଜିଲ୍ଲାରେ ବି ତାଣ୍ଡବ ରଚିଛି ବର୍ଷା। ଲଗାଣ ବର୍ଷା କେଉଁଠି ରାସ୍ତା, ତ ଆଉ କେଉଁଠି ବୁଡାଇ ଦେଇଛି ଗାଁ। ନନ୍ଦପୁର ବ୍ଲକ ଜଲାପୁଟ ରିଜର୍ଭରର ସ୍ଥିତି ଭାରି ଭୟଙ୍କର । ଜଳଭଣ୍ଡାର ଆଜି ବିପଦ ସଂକେତ ପାର କରିବାରୁ ଖୋଲିଛି ୭ଟି ଗେଟ୍। ଫଳରେ ୮ଟି ଗାଁରେ ପ୍ରବେଶ କରିଛି ବନ୍ୟା ଜଳ। କିଛି ଅଞ୍ଚଳରେ କଚାଘର ଭାଙ୍ଗି ବାସ ହରାଇଛନ୍ତି ଲୋକେ ।

ସେପଟେ ବଢ଼ିଛି କୋଲାବ୍ ଡ୍ୟାମର ଜଳସ୍ତର। ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି। ଦୀଗାପୁରଠାରେ ବ୍ରିଜ୍ ବୁଡ଼ିଯିବାରୁ କିଛି ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଇ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏଣେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ ପଶିଯିବାରୁ ଅଚଳ ହୋଇପଡ଼ିଛି ଜଳ ବିଦ୍ୟୁତ ପ୍ରକଳ୍ପ। ଫଳରେ ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଜଳଭଣ୍ଡାରର ୫ଟି ଗେଟ ଖୋଲି ଦିଆଯିବାରୁ ମାଛକୁଣ୍ଡ ନଦୀରେ ବନ୍ୟାସ୍ଥିତି ଦେଖାଦେଇଛି।