Advertisment

OTET Question Paper Leak: ସ୍କାନରରେ ବୋର୍ଡ ଉପସଭାପତିଙ୍କ ଲାପଟପ୍

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ଛଅ ଛଅଟି ଜିଲ୍ଲାରୁ ଗିରଫ ହେଲେଣି ୭ ଅଭିଯୁକ୍ତ। କିଏ ଶିକ୍ଷକ, କିଏ ଦଲାଲ୍, କିଏ ପୁଣି ଡିଟିପି ଅପରେଟର୍ । ତେବେ ପ୍ରଶ୍ନ ଉଠୁଛି- କିଏ ଏହି ପ୍ରଶ୍ନପତ୍ର କେଳେଙ୍କାରୀର ରିଙ୍ଗ୍ ମାଷ୍ଟର୍ ? କାହା ଇସାରାରେ ଅପରେଟ୍ ହେଉଥିଲା ରାକେଟ୍ ?

author-image
Debadatta Aryashrestha
ଅଦ୍ୟତନ ହୋଇଛି
BSE Vice‑President Under Scrutiny

BSE Vice‑President Under Scrutiny

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ଅଡ଼ୁଆ ସୂତା ଯେତେ ଖୋଲୁଛି, ସେତେ ବଢ଼ି ବଢ଼ି ଚାଲିଛି ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଅଡ଼ୁଆ। ତାଙ୍କ ଲାପଟପକୁ କେମିତି ଆସିଲା ଓ ସେଠାରୁ କେମିତି ଲିକ୍ ହେଲା କ୍ବେଶ୍ଚିନ୍ ପେପର, ତାକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଜୋରଦାର କରିଥିବା ବେଳେ, ମାମଲାରେ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି। କଳାହାଣ୍ଡିରୁ ଗିରଫ ହୋଇଛନ୍ତି ପ୍ରଶ୍ନପତ୍ରକୁ ଓଡ଼ିଆରେ ଟ୍ରାନ୍ସଲେଟ୍ କରିଥିବା ଶିକ୍ଷକ। ସେପଟେ ଏହି ପ୍ରସଙ୍ଗକୁ ନେଇ ତେଜିଛି ରାଜନୈତିକ ବୟାନବାଜି। ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେତେ ବଡ଼ ଲୋକ ହୋଇଥିଲେ ବି କାହାକୁ ଛଡ଼ାଯିବନି।

Advertisment

ମାମଲାର ମାଷ୍ଟରମାଇଣ୍ଡକୁ ଧରିବାକୁ କ୍ରାଇମବ୍ରାଞ୍ଚ ଜୋରଦାର ତନାଘନା ଚଳାଇଥିବା ବେଳେ ସ୍କାନରରେ ଖୋଦ୍ ବୋର୍ଡ ଉପସଭାପତିଙ୍କ ଭୂମିକା ! ଯିଏ ପରୀକ୍ଷା ପ୍ରକ୍ରିୟା ଶୃଙ୍ଖଳିତ କରିବା କଥା, ପ୍ରଶ୍ନପତ୍ର ଲିକ୍ ରୋକିବା କଥା, ଖୋଦ୍ ତାଙ୍କରି ଲାପଟପରୁ କେମିତି ଲିକ୍ ହେଲା ପ୍ରଶ୍ନପତ୍ର ? ଏହାକୁ ସୁରକ୍ଷିତ ଭାବେ ରଖାଯାଇନଥିଲା କି ? ସେଠୁ ଅନାୟାସରେ କେମିତି ପେନ୍-ଡ୍ରାଇଭରେ କପି କରିନେଲେ ଡାଟା ଏଣ୍ଟ୍ରି ଅପରେଟର୍ ? ତାଙ୍କ ପାଖକୁ କେଉଁଠୁ ଆସିଲା ପାସୱାର୍ଡ ? ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତିଙ୍କ ଭୂମିକା ଓ ଉତ୍ତରଦାୟିତ୍ବକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠୁଥିବାବେଳେ, ତାଙ୍କ ସମେତ ବୋର୍ଡର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ତେବେ ପେପର୍ ଲିକ୍ ହେବା ପଛରେ ବୋର୍ଡ ଷ୍ଟାଫଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିବା ସହ, ପ୍ରଶ୍ନପତ୍ର ବାବଦରେ କଣ ଏସଓପି ରହିଛି ଓ ପ୍ରଟୋକଲ୍ ଭାଙ୍ଗିଛି କି ନାହିଁ, ସେ ଦିଗରେ ବି ଯାଞ୍ଚ ଚାଲିଛି ବୋଲି ଜଣାଇଛନ୍ତି।

ସେପଟେ ଏହି ମାମଲାରେ କଳାହାଣ୍ଡି ଜିଲ୍ଲା ଭେଜିପଦର ପ୍ରାଥମିକ ସ୍କୁଲର ଶିକ୍ଷକ ପ୍ରଶାନ୍ତ ଖମାରିକୁ ଗିରଫ କରିବା ପରେ, ଗିରଫଦାରୀ ସଂଖ୍ୟା ୭କୁ ବଢ଼ିଛି। ଲିକ୍ ହୋଇଥିବା ଇଂରାଜୀ ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରିଥିଲେ ଏହି ଅଭିଯୁକ୍ତ ଶିକ୍ଷକ। ତାଙ୍କ ହସ୍ତାକ୍ଷର ସଂଗ୍ରହ କରି ଭାଇରାଲ୍ ପ୍ରଶ୍ନପତ୍ର ସହ ମ୍ୟାଚ୍ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। ଏଥିସହ ବାରମ୍ବାର ଓଟିଇଟି ପରୀକ୍ଷାରେ ଫେଲ୍ ହେବାରୁ ଚାକିରି ରେଗୁଲାର୍ ହେଉନଥିବା ଏବଂ ଇନକ୍ରିମେଣ୍ଟ ଅଟକିଥିବା କିଛି ଏକ୍ସ-କ୍ୟାଡର୍ ଶିକ୍ଷକଙ୍କ ସଂପୃକ୍ତି ସାମ୍ନାକୁ ଆସିଛି। ତେବେ ପ୍ରଶ୍ନପତ୍ର କାହାଠୁ କାହା କାହା ପାଖକୁ ଲିକ୍ ହୋଇଛି ଏବଂ ତାର ମନିଟ୍ରେଲ୍ ଦିଗରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜୋରଦାର କରିଛି।

Advertisment

କେବଳ ଲାପଟପରୁ ପ୍ରଶ୍ନପତ୍ର ଲିକ୍ ସସପେନ୍ସ ନୁହେଁ। ଆଉ ଦୁଇଟି ଦିଗରୁ ବି ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଗୋଟିଏ ହେଉଛି- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ବିଭିନ୍ନ ପ୍ରମୁଖ ପଦପଦବୀରେ ଦୀର୍ଘବର୍ଷ ଧରି ରହିଆସିଛନ୍ତି ନିହାର। ପ୍ରାୟ ୨୦ ବର୍ଷ ହେବ ସେ ପରୀକ୍ଷା ନିୟନ୍ତ୍ରକ ଓ ସଂପାଦକ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ଥିବା କୁହାଯାଉଛି। ୪ ବର୍ଷ ହେଲା ବୋର୍ଡ ଉପସଭାପତି ଥିବା ନିହାରଙ୍କୁ ପଦରୁ ଅପସାରଣ ପାଇଁ ପୂର୍ବରୁ ଅନେକ ଥର ଦାବି ମଧ୍ୟ ଉଠିଛି। ତଥାପି କାହିଁକି ତାଙ୍କୁ ଏତେ ବର୍ଷ ଗୋଟିଏ ପଦବୀରେ ରଖାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଏଥିସହ ଆଉ ଏକ ଚାଞ୍ଚଲ୍ୟକର ଦିଗ ବି ସେ ସାମ୍ନାକୁ ଆଣିଛନ୍ତି। କହିଛନ୍ତି- ରାଜସ୍ଥାନର ଚାରୁ ମାଇଣ୍ଡ୍ ୱାର୍କ୍ସ ନାମକ ଏକ ଘରୋଇ ସଂସ୍ଥାକୁ ବୋର୍ଡ ପକ୍ଷରୁ ପରୀକ୍ଷାର ବିଭିନ୍ନ କାର୍ଯ୍ୟ ଦିଆଯାଇଛି। ତେବେ ଏହି ଘରୋଇ ସଂସ୍ଥା କାହାର ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ ପଟ୍ଟନାୟକ। ଏହା ତାଙ୍କ ଝିଅ ଓ ଜ୍ବାଇଁର ବୋଲି କିଛି ସୂତ୍ରରୁ ସୂଚନା ଥିବାବେଳେ, ଏହା ସତ ହୋଇଥିଲେ ସାଂଘାତିକ ବୋଲି ସେ କହିଛନ୍ତି। ତେବେ ଏନେଇ ନିହାର ମହାନ୍ତି କିମ୍ବା ତାଙ୍କ ଝିଅ-ଜ୍ବାଇଁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି। ତେବେ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ଏଥିପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି। ଯେଉଁମାନେ ବି ସଂପୃକ୍ତ, ଯେତେ ବଡ଼ ଲୋକ ହେଲେ ବି, କାହାକୁ ଛଡ଼ାଯିବ ନାହିଁ ଏବଂ ସେମାନେ ଏଥିପାଇଁ ଦଣ୍ଡିତ ହେବେ। ତଦନ୍ତ ଆଗକୁ ବଢ଼ିବା ସହିତ ଆଉ କେଉଁ ନୂଆ ଖିଅ କ୍ରାଇମବ୍ରାଞ୍ଚ ହାତଲେ ଲାଗୁଛି, ତା ଉପରେ ରହିଛି ସମସ୍ତଙ୍କ ନଜର। ଏପଟେ ଅଗଷ୍ଟ ୩୧ ତାରିଖପେ ସ୍ପେଶାଲ OTET ପାଇଁ ବୋର୍ଡ ପକ୍ଷରୁ ଘୋଷଣା ହୋଇଛି ତାରିଖ।

BSE Odisha OTET Odisha Teacher Eligibility Test Question Paper Leak Odisha Education OTET Paper Leak Crime Branch Probe
Advertisment
Advertisment