Advertisment

ପାଚେରୀ ଡ଼େଇଁ ପସିଲେ ୪, ଶ୍ରୀମନ୍ଦିର ଢିଲା ସୁରକ୍ଷାକୁ ନେଇ ଘେରିଲେ ଭକ୍ତ-ସେବକ

ଲମ୍ବୁଛି ରଥଯାତ୍ରା ତ୍ରୁଟି ତାଲିକା। ମେଘନାଦ ପାଚେରି ଡେଇଁ ପଶିଗଲେ ୪ ଯୁବକ। ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ, ହଇଚଇ। ଢିଲା ସୁରକ୍ଷାକୁ ନେଇ ଘେରିଲେ ଭକ୍ତ-ସେବକ। ଇନକ୍ବାରି ପାଇଁ ଗଢ଼ା ହେଲା ୪ଜଣିଆ କମିଟି...

ଅଦ୍ୟତନ ହୋଇଛି
Puri Jagannath Temple

Puri Jagannath Temple

Advertisment

ରଥଯାତ୍ରା ତ୍ରୁଟି ତାଲିକାରେ ଆଉ ଏକ ଅଘଟଣ ଯୋଡ଼ି ହୋଇଯାଇଛି। ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରକୁ କେମିତି ପଶିଲେ ଚାରି ଯୁବକ? ତାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏଠି ପ୍ରଶ୍ନ ମାଳ ମାଳ AI କ୍ୟାମେରା ଓ ପୋଲିସ୍ ସୁରକ୍ଷା ବଳୟ ଭେଦ କରି କେମିତି ସେମାନେ ପଶିଗଲେ, ତାକୁ ନେଇ ନାନା ପ୍ରଶ୍ନ ଭିତରେ କାରଣ ଖୋଜିବାକୁ କମିଟି ଗଠନ କରିଛି ଶ୍ରୀମନ୍ଦିର ପ୍ରଶାସନ।।

Advertisment

ଖାଲି ରାଜ୍ୟବାସୀ ନୁହଁନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ବି ଏ ଘଟଣା ପରେ ଆଚମ୍ବିତ ଓ ଆଶଙ୍କିତ ହୋଇପଡ଼ିଛନ୍ତି। କାରଣ ଘଟଣା ପୁଣି ଘୋଷଯାତ୍ରା ବେଳର। ଠାକୁରମାନେ ରଥ ଉପରେ ଥିବାବେଳେ ଗତକାଲି ଦିନ ସାଢ଼େ ୧୧ଟା ସମୟର। ଦକ୍ଷିଣ ଦ୍ୱାର ରୋଷଘର ପାଖ ଅଳିଆ ଗଦା ଦେଇ ମାଙ୍କଡ଼ ଭଳି ମେଘନାଦ ପାଚେରି ଡେଇଁ ବେଧଡ଼କ ଶ୍ରୀମନ୍ଦିର ବେଢ଼ାକୁ ପଶିଥିଲେ ୪ ଯୁବକ। ଅଟକାଇବାକୁ ପୋଲିସ୍ କି ମନ୍ଦିର ସୁରକ୍ଷା କର୍ମଚାରୀ କେହି ନଥିଲେ। ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ହେବା ପରେ ଖୋଲିଛି ଶ୍ରୀମନ୍ଦିର ସୁରକ୍ଷାର ପୋଲ୍। ଭକ୍ତ, ସେବାୟତ ଓ ପୁରୀ ବାସିନ୍ଦା ସମସ୍ତେ ଚିହିଁକିଲେଣି। ଗୁରୁତର ଅଭିଯୋଗ ଆଣିବା ସହ ସେବାୟତ ବିଶ୍ବନାଥ ଖୁଣ୍ଟିଆ କହିଛନ୍ତି- ୪ ନୁହେଁ ୪ଶହ ଲୋକ ଏଇ ବାଟେ ପଶିଛନ୍ତି। ସନ୍ଧ୍ୟାରେ ନୀଳାଦ୍ରିବିଜେ ବେଳେ ଶହ ଶହ ଲୋକ ଏଇବାଟେ ଯାଇଥିବା ‘ମୁଁ ନିଜେ ଦେଖିଛି’। ଏହା ସହ AI କ୍ୟାମେରା କଣ ଦେଖୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବଡ଼ କଥା ହେଲା ରଥଯାତ୍ରା ଭଳି ସମୟରେ ରତ୍ନଭଣ୍ଡାର ମରାମତି ପାଇଁ ଠାକୁରଙ୍କ ଗହଣାଗାଣ୍ଠି ସବୁ ଅସ୍ଥାୟୀ ଘରେ ରହିଛି ଓ ଶ୍ରୀମନ୍ଦିର ବି ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ତେଣୁ ରଥଯାତ୍ରା ଡ୍ୟୁଟିରେ ଥିବା ପ୍ଲାଟୁନ୍ ପ୍ଲାଟୁନ୍ ପୋଲିସ୍ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଓ ଜଗନ୍ନାଥ ଟେମ୍ପୁଲ ପୋଲିସ୍ ତାହାଲେ କରୁଥିଲେ କଣ ବୋଲି ବି ଉଠିଛି ପ୍ରଶ୍ନ।

୪ ଦ୍ୱାର ଥାଉ ଥାଉ ମେଘନାଦ ପାଚେରି ଡେଇଁ କାହିଁକି ଶ୍ରୀମନ୍ଦିରକୁ ପଶିଥିଲେ ଏହି ୪ ଯୁବକ ? ଖାଲି ଗଳାବାଟେ ଯିବାର ଉଦ୍ୟମ ନା ଥିଲା କିଛି ମନ୍ଦ ଉଦ୍ଦେଶ୍ୟ ? ମେଘନାଦ ପାଚେରିକୁ ଲାଗି ପାହାଡ଼ ଉଚ୍ଚର ଅଳିଆ କାହିଁକି ଗଦା ହୋଇ ରହିଥିଲା ? ପରିକ୍ରମା ପ୍ରକଳ୍ପ ସୁରକ୍ଷା ପାଇଁ ଲାଗିଥିବା କ୍ୟାମେରା ଚିତ୍ରକୁ କିଏ ଦେଖୁଥିଲା ? ଇଣ୍ଟିଗ୍ରେଟେଡ୍ କମାଣ୍ଡ-କଣ୍ଟ୍ରୋଲ ସେଣ୍ଟର ଥାଇ ଲାଭ କଣ ? ସବୁଆଡୁ ପ୍ରଶ୍ନବାଣ ପରେ ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଜିର ଦୃଶ୍ୟ, ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ହଠାତ୍ ଚେଇଁଥିଲା ପୁରୀ ପ୍ରଶାସନ। ଯୁଦ୍ଧକାଳୀନ ଭିତ୍ତିରେ ଆବର୍ଜନା ସେଠାରୁ ଉଠାଯିବା ସହ ଅଳିଆ ଫିଙ୍ଗା ବାଟରେ ଲାଗିଥିବା ଗେଟ୍ ବି ତୁରନ୍ତ ବନ୍ଦ କରାଯାଇଥିଲା। ଏହାସହ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ନେତୃତ୍ବରେ ଏକ ଇନକ୍ୱାରି କମିଟି ଗଢ଼ା ହୋଇଛି। ଯେଉଁଥିରେ ଅଛନ୍ତି OSD ସିକ୍ୟୁରିଟି, ସଫେଇ ଓ ମନ୍ଦିରର ପୂର୍ତ୍ତ ଅଧିକାରୀ। ଏପରି ଦୁଃସାହସ କରିବା ଠିକ୍ ନୁହେଁ, ଘଟଣାର ଯେପରି ପୁନରାବୃତ୍ତି ନହେବ ସେଦିଗରେ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏସପିଙ୍କ ସୂଚନା- ସଂପୃକ୍ତ ଯୁବକମାନଙ୍କୁ ଚିହ୍ନଟ ପାଇଁ ଚେଷ୍ଟା ଜାରି ରହିଛି।

Advertisment

ପ୍ରଥମେ ଅଣସରବେଳେ ମହାପ୍ରଭୁଙ୍କ ମୋଦକ ଚୋରି, ଦ୍ୱିତୀୟରେ ଘୋଷଯାତ୍ରା ଦିନ ରଥଟଣାରେ ମହାବିଭ୍ରାଟ ଓ ତୃତୀୟରେ ଗୁଣ୍ଡିଚା ମନ୍ଦିର ଆଗରେ ଦଳାଚକଟା ପରେ ଏବେ ରଥଯାତ୍ରା ତ୍ରୁଟି ବିଚ୍ୟୁତି ତାଲିକାରେ ଯୋଡ଼ି ହୋଇଛି ମେଘନାଦ ପାଚେରି ବାଟେ ବେଆଇନ୍ ପ୍ରବେଶ।

Puri Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ