ଓଃ...କି ଅବସ୍ଥା! ଡହ ଡହ ଖରାରେ ଛଟପଟ ଜଗା ଭକ୍ତ, ପାଦ ଯନ୍ତ୍ରଣାରେ ହେଲେ କଲବଲ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।

Sri Mandir

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି । ଯାହାର ଚିତ୍ର ଆଜି ଦେଖିବାକୁ ମିଳିଥିଲା ସିଂହଦ୍ୱାର ଆଗରେ, ପରିକ୍ରମା ମାର୍ଗରେ । ଭକ୍ତମାନେ ତିକ୍ତ ଅନୁଭୂତି ନେଇ ଫେରିଥିଲେ । ତେଣେ ବ୍ୟାରିକେଡ୍ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା କହିଛି ଆସନ୍ତା ୧୫ ତାରିଖ ବେଳକୁ ଏ ସମସ୍ୟା ଆଉ ନଥିବ ।

ଓଃ...କି ଅବସ୍ଥା! ଲାଗୁଛି ପାଦ ପୋଡ଼ି ଯିବ, ନହେଲେ ଫୋଟକା ହେଇଯିବ, କିନ୍ତୁ ଉପାୟ ବା କଣ? ସମସ୍ତେ କାଉଲୁ ବାଉଲୁ ହୋଇ ଦୌଡୁଛନ୍ତି, ପାଦ ଟେକି ଡେଇଁ ଡେଇଁ ଚାଲୁଛନ୍ତି ବେଶି କଷ୍ଟ ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ଶିଶୁ । ବାପା-ମାଆ ବାଧ୍ୟହୋଇ ସେମାନଙ୍କୁ କାନ୍ଧେଇ ନହେଲେ କାଖେଇ ଦୌଡୁଛନ୍ତି ।

ଯେହେତୁ କିଛି ଦିନ ହେଲା ବର୍ଷା ଚାଲିଥିଲା, ପାଗ ମେଘୁଆ ଥିଲା । ତେଣୁ ତାତି ଜଣାପଡୁନଥିଲା । ହେଲେ ଆଜି ହଠାତ୍ ଡହ ଡହ ଖରା ହେବାରୁ ଶ୍ରୀମନ୍ଦିର ଭିତରୁ ଖୁସି ମନରେ କାଳିଆ ଦର୍ଶନ ସାରି ଫେରୁଥିବା ଭକ୍ତମାନଙ୍କୁ ସିଂହଦ୍ୱାର ଆଗରେ ଏମିତି ଡହଳ ବିକଳ ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାବେଳେ ପାଦ ଯନ୍ତ୍ରଣା କିନ୍ତୁ ବଢ଼ିଗଲା । ସ୍ଥିତି ଏଭଳି ହେଉଛି ଯେ, ଖରାବେଳେ ପ୍ରସ୍ଥାନ ଦ୍ୱାରରୁ ଜୋତା ଷ୍ଟାଣ୍ଡ ଯାଏଁ ବି ପହଞ୍ଚିବା କାଠିକର ପାଠ ହୋଇଯାଉଛି । ଅବଶ୍ୟ ଆଜିର ସ୍ଥିତି ଦେଖି ବିଳମ୍ବରେ ହେଲେ ବି ଅଗ୍ନିଶମ ବାହିନୀ ପାଣି ସ୍ପ୍ରେ କରିଥିଲେ, କିନ୍ତୁ ସବୁ ଦୁଆରେ ନୁହେଁ ।

ଯେହେତୁ ନୂଆ ପରିକ୍ରମା ମାର୍ଗର କୌଣସି ସ୍ଥାନରେ ଗାଲିଚା କି କାର୍ପେଟ୍ ଭଲ କରି ପଡ଼ିନି, ତେଣୁ କଷ୍ଟ ଭୋଗୁଛନ୍ତି ଭକ୍ତ । ଅବଶ୍ୟ ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାରରେ ତାରପୋଲିନ୍ ସାମିଆନା ଲଗାଯାଇଛି । ହେଲେ ଓବିସିସି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ନିର୍ମାଣରେ ବିଳମ୍ବ ଯୋଗୁଁ ସେଠି ସାମିଆନା ବୁଲା ଡେରି ହୋଇଛି ।

ହେଲେ ଆସନ୍ତା ୧୫ ତାରିଖ ସୁଦ୍ଧା ଏ କାମ ସରିଯିବ ବୋଲି କହିଛନ୍ତି ଏନ୍ଏଚ୍ କର୍ତ୍ତୃପକ୍ଷ । କିଛି ଦିନ ପରେ ଆରମ୍ଭ ହୋଇଯିବ ଧର୍ମ ମାସ କାର୍ତ୍ତିକ, ତା ସାଙ୍ଗକୁ ଆଗକୁ ଆସୁଛି ଅନେକ ଯାନିଯାତ୍ରା । ତାପୂର୍ବରୁ ପରିକ୍ରମା ମାର୍ଗ ହେଉ ବା ୪ ଦ୍ୱାର ସାମ୍ନା, ସବୁଠି କାର୍ପେଟ ବିଛାଯିବା ସହ ସାମିଆନା ତିଆରି ନିହାତି ଜରୁରୀ ହୋଇପଡିଛି ।