'ମହାପ୍ରସାଦର ମାନ ଯାଞ୍ଚ କରିବା ଅଧିକାର କାହାର ନାହିଁ'

ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦର ମାନ ଯାଞ୍ଚ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଅସନ୍ତୋଷ ପ୍ରକାଶ ପାଇଛି ।

Puri Srimandir

ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦର ମାନ ଯାଞ୍ଚ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଅସନ୍ତୋଷ ପ୍ରକାଶ ପାଇଛି । ସୁଆର ମହାସୁଆର ନିଯୋଗ କହିଛି ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଆସୁଥିବା ଚାଉଳ, ଡାଲି, ଘିଅ ଓ ପନିପରିବା ଆଦିର ମାନ ଯାଞ୍ଚ ହେବାର ଆବଶ୍ୟକତା ରହିଛି । ହେଲେ ମହାପ୍ରଭୁଙ୍କ ମହାପ୍ରସାଦର ମାନ ଯାଞ୍ଚ କରିବା ଅଧିକାର କାହାର ନାହିଁ ।

ସେହିପରି ଆନନ୍ଦ ବଜାରରେ ଯେଉଁମାନେ ବାସି ଅବଢ଼ା ବିକୁଛନ୍ତି ତାହାର ମାନ ଯାଞ୍ଚ କରିବା ନିତ୍ୟାନ୍ତ ଆବଶ୍ୟକ । ଯେଉଁ ବ୍ୟକ୍ତି ବିଶେଷମାନେ ଆନନ୍ଦ ବଜାରରେ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ନିଯୋଗର ସଭାପତି ପଦ୍ମନାଭ ମହାସୁଆର ।

ଗତ କିଛିଦିନ ତଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ କହିଥିଲେ, ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମାନ ଯାଞ୍ଚ କରିବା ପାଇଁ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ।

ଶ୍ରୀମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । କେବଳ ଅବଢ଼ା ନୁହେଁ, ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ । ସୂଚନା ଅନୁସାରେ ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ପ୍ରସ୍ତୁତ ଲଡୁ ଚିହ୍ନଟ ହେବାପରେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି ।

ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେନେଇ ମାନ ପରୀକ୍ଷା କରିବାକୁ ଆଇନଜୀବୀ ଦିଲୀପ ବରାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ଦୀପରେ ନକଲି ଘିଅ ଓ ମହାପ୍ରସାଦରେ ନକଲି ଘିଅର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଆଇନଜୀବୀ ଦିଲୀପ ବରାଳ ।

ତେବେ ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ମହାପ୍ରସାଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ ଶ୍ରୀମନ୍ଦିର ମହାପ୍ରସାଦ କୋଠଭୋଗ ହେଉ କିମ୍ବା ବରାଦ ଭୋଗରେ ଓମଫେଡ ଘିଅ ବ୍ୟବହୃତ ହେଉଛି । ସେଭଳି କିଛି ଅଭିଯୋଗ ନାହିଁ ।

ତେବେ ଘିଅର ମାନକୁ ନେଇ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ କିଭଳି ସ୍ଵତନ୍ତ୍ର ଭାବେ ଶ୍ରୀମନ୍ଦିରକୁ ଆସିପାରିବ ସେନେଇ ଆଲୋଚନା କରାଯିବ । ଦୀପ ଘିଅ ସହ ମହାପ୍ରସାଦରେ ବ୍ୟବହୃତ ଘିଅର ଯୋଗାଣ ସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଘିଅର ମାନ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।