Satakoshia Tiger Reserve: ସାତକୋଶିଆରେ କେମିତି ତିଷ୍ଠିବ ମହାବଳ, OTVର ଗ୍ରାଉଣ୍ଡ ରିପୋର୍ଟ

ସାତକୋଶିଆକୁ ମହାବଳ ଫେରାଇ ଆଣିବା ପାଇଁ କୋର୍ ଏରିଆରୁ ଚାଲିଛି ସ୍ୱେଚ୍ଛାକୃତ ବିସ୍ଥାପନ ।

Satakoshia Tiger Reserve

ସାତକୋଶିଆକୁ ମହାବଳ ଫେରାଇ ଆଣିବା ପାଇଁ କୋର୍ ଏରିଆରୁ ଚାଲିଛି ସ୍ୱେଚ୍ଛାକୃତ ବିସ୍ଥାପନ । ହେଲେ ବାଘ ଆସିଲେ ତାର ଆହାର ହେବାକୁ ପର୍ଯ୍ୟାପ୍ତ ତୃଣଭୋଜି ଆଉ ତୃଣଭୋଜିଙ୍କ ପାଇଁ ଚାରଣ ଭୂମି ବି ଦରକାର । ସେ ଦିଗରେ କେତେ ଆଗେଇଛି ସାତକୋଶିଆ । ସଞ୍ଜ ନଇଁଲା, ଅନ୍ଧାର ହେଲା । ଅସନବାହାଳ ଜଙ୍ଗଲୀ ଗାଁ ଛାଡ଼ି OTV ଟିମ୍ ଯାଇ ପହଞ୍ଚିଥିଲା ପୁରୁଣାକୋଟ୍ ରେଞ୍ଜର ଟୁଲକାକୁ । ଛୋଟକେଇ ଗାଁ ଡେଇଁ ଦୁଇ-ଚାରି କିଲୋମିଟର ଯିବା ପରେ, ଗାଡ଼ି ଆଗରେ ହଠାତ୍ ରାସ୍ତା ଅତିକ୍ରମ କଲା ଏକ କଲରାପତରିଆ ।

ସ୍ପଷ୍ଟ ଭାବେ ଦେଖିବା ପାଇଁ ଟର୍ଚ ଲାଇଟ୍ ପଡ଼ିବା ପୂର୍ବରୁ, ପାଖରେ ଥିବା ବାଉଁଶ ବୁଦା ଭିତରେ ଲୁଚିଗଲା । ସେଠାରେ କିଛି ସମୟ ଅପେକ୍ଷା ପରେ ଆମେ ପୁଣି ଆଗକୁ ବଢ଼ିଲା OTV ଟିମ୍ । ଏଥର ସାମ୍ନା ଏକ ବିଶାଳକାୟ ଗୟଳକୁ । ବେଶ୍ କିଛି ସମୟ ବାଟ ଓଗାଳିବା ପରେ ରାସ୍ତା ଛାଡ଼ିଲା । ଆମେ ପହଞ୍ଚିଲୁ ୨୦୨୩ରେ ୨୬୫ ପରିବାର ବିସ୍ଥାପିତ ହୋଇଥିବା ଗାଁ ଟୁଲକାରେ ।

ହେଲେ ଅନ୍ଧାର ଘୋଟି ସାରିଥିଲା । ଦୂରରେ ଘାସ ଚରୁଥିବା ହରିଣଗୁଡ଼ିକ ଝାପସା ଦେଖା ଦେଉଥିଲେ । ବାଧ୍ୟ ହୋଇ ରାତ୍ରୀଯାପନ ପାଇଁ ଟିକରପଡ଼ା ଗେଷ୍ଟ ହାଉସକୁ ମୁହାଁଇଲୁ, ସେତେବଳକୁ ରାସ୍ତା ଉପରେ କିଛି ଠେକୁଆ ଦେଖିବାକୁ ପାଇଥିଲୁ । ପରଦିନ ସକାଳୁ ଆମେ ମୁହାଁଇଲୁ ଜିଲିଣ୍ଡା ରେଞ୍ଜର ବିସ୍ଥାପିତ ଗାଁ କଟରଙ୍ଗକୁ । ୧୨୦ ପରିବାର ରହୁଥିବା କଟରଙ୍ଗ କିନ୍ତୁ ପାଲଟି ସାରିଥିଲା ଏକ ଘାସ ପଡ଼ିଆ ।

ଆମେ ପୁଣିଥିରେ ଟୁଲକା ଫେରିଥିଲୁ । ଟୁଲକା କିନ୍ତୁ ଆଉ ଗାଁ ହୋଇ ନଥିଲା, ପାଲଟି ସାରିଥିଲା ତୃଣଭୋଜିଙ୍କ ବାସସ୍ଥଳୀ । ସେଠି ଆମେ ଭେଟିଥିଲୁ ସାତକୋଶିଆ ଟାଇଗର ରିଜର୍ଭ ପାଇଁ ନୂଆ ମୁତୟନ ହୋଇଥିବା ଷ୍ଟ୍ରାଇକିଂ ଫୋର୍ସକୁ । ଏହାପରେ ଆମେ ପହଞ୍ଚିଥିଲୁ ସାତକୋଶିଆର ପ୍ରଥମ ବିସ୍ଥାପିତ ଗାଁ ରାଇଗୁଡ଼ାକୁ । ସେଠାରେ ପହଞ୍ଚି ଯାହା ଦେଖିଲୁ, ତାହା ଆମକୁ ଆଶ୍ଚର୍ଯ୍ୟଚକିତ କରିଥିଲା ।

ଯୁଆଡ଼େ ଆମ କ୍ୟାମେରା ଲେନ୍ସ ପଡୁଥିଲା, କେବଳ ହରିଣ ଦେଖା ଯାଉଥିଲେ । ସେଠାରୁ ଫେରିବା ବାଟରେ ଅନେକ ସମ୍ବର, ଗୟଳ, ବାରହା ଭଳି ଜଙ୍ଗଲୀ ଜନ୍ତୁକୁ ବି ଦେଖିଥିଲୁ । ସାତକୋଶିଆ ବନ୍ୟପ୍ରାଣୀ ଡିଏଫ୍ଓ କହିଛନ୍ତି, ୨୦୧୮ରେ ଅଭୟାରଣ୍ୟରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଫେଲ ମାରିବା ପରେ ଏବେ କୋର ଏରିଆରୁ ୭୦୦ ପରିବାର ସ୍ୱେଚ୍ଛାକୃତ ଭାବେ ସ୍ଥାନାନ୍ତର ହୋଇସାରିଛନ୍ତି ।

ଏହାଦ୍ୱାରା ତୃଣଭୋଜିଙ୍କ ପାଇଁ ୧ ହଜାର ହେକ୍ଟରର ଚାରଣ ଭୂମି ସୃଷ୍ଟି ହୋଇପାରିଛି । ସେହିପରି ଗାଁ ଲୋକଙ୍କ ପ୍ରାଦୁର୍ଭାବ କମିଥିବାରୁ ସେ ସବୁ ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି ହଜାର ହଜାର ତୃଣଭୋଜି ।