ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ କୋଠାର ଛାତ, ଫସି ରହିଛନ୍ତି ଶ୍ରମିକ

ଛାତ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଯାଉଥିବା ସୂଚନା ମିଳିଛି ।

Dhenkanal

ଛାତ ପଡୁଥିଲା, ଭୁଶୁଡ଼ି ପଡ଼ିଲା । ଢେଙ୍କାନାଳରେ ନିର୍ମାଣଧିନ କୋଠାର ଛାତ ଭୁଶୁଡି ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି। ଆଉ ଦୁଇ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଭୁଶୁଡି ପଡିଥିବା ଛାତ ତଳେ ଆହୁରି ୩ରୁ ୪ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ, ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଁଚିଛନ୍ତି। ଢେଙ୍କାନାଳ ଓ ଗନ୍ଦିଆ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି ।

ସେପଟେ ଛାତ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଯାଉଥିବା ସୂଚନା ମିଳିଛି । ସେହିପରି କଟକରୁ ଓଡ୍ରାଫ୍ ଟିମ୍ ଆସି ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ । ସୂଚନା ଅନୁସାରେ ଢେଙ୍କାନାଳ ଏନ୍ଏଚ୍-୫୫ ମହିଷାପାଟ ନିକଟରେ ୫ ମହଲା କୋଠା ନିର୍ମାଣ ଚାଲିଥିବା ବେଳେ ଆଜି ନିର୍ମାଣାଧୀନ ପୋର୍ଟିକୋ ଛାତ ଭୁଶୁଡ଼ି ପଡିଛି । ଗୁରୁତର ଜଣେ ଶ୍ରମିକଙ୍କ ଦୁଇ ହାତ କଟିଯାଇଥିବାବେଳେ ଦେହସାରା କ୍ଷତ ହୋଇଯାଇଛି ।