ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା !

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Potato Price Hike

ଘନଉଛି ଆଳୁ ସଙ୍କଟ, ଚିନ୍ତାରେ ପଡ଼ିଛନ୍ତି ଖାଉଟୀ । ୨ ସପ୍ତାହ ତଳେ ଯେଉଁ ଆଳୁ ୧୫-୨୦ ଟଙ୍କାରେ ବିକ୍ରି ହେଉଥିଲା, ଗତ ୩ ଦିନ ହେଲା, ୩୦ ଛୁଇଁଲାଣି । ଫଳରେ ସାଧାରଣ ଗ୍ରାହକ ତଥା ଖାଉଟୀଙ୍କୁ ଏବେ ବାଧୁଛି ଆଳୁ ଦର । ତେବେ କାହିଁକି ଆଳୁ ଦର ଏବେ ଉପର ମୁହାଁ ? ଆମଦାନୀରେ ସମସ୍ୟା ନା ଅସାଧୁ ବେପାରୀଙ୍କ ଏହା ଚାଲ୍ ? ନାନା କାରଣ ଏବେ ସାମ୍ନାକୁ ଆସୁଛି । ସାଧାରଣତଃ ଓଡ଼ିଶାର ଖାଉଟୀ ବଜାରକୁ ଆଳୁ ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼େ । ହେଲେ ବିଭିନ୍ନ କାରଣ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପଶ୍ଚିମବଙ୍ଗରୁ ବାଲେଶ୍ୱରରୁ ଦେଇ ଓଡ଼ିଶା ଭିତରକୁ ଆସିପାରୁନି ଆଳୁ । ସେହିପରି ବାଲିଆପାଳ, ଜଳେଶ୍ୱର, ଭୋଗରାଇ ଆଦି ଅଞ୍ଚଳରେ ଉତ୍ପାଦିତ ଆଳୁ ବି ବଜାରରୁ ସରିଗଲାଣି । ଫଳରେ ଯେଉଁ ଚାଷୀ ୧୨ରୁ ୧୫ଟଙ୍କାରେ ଆଳୁ ବିକ୍ରି କରିଥିଲା, ସେହି ଚାଷୀ ବି ଏବେ ୩୦ ଟଙ୍କାରେ ଆଳୁ କିଣୁଛି ।

ରାଜ୍ୟରେ ଦୈନିକ ଆବଶ୍ୟକ ପଡୁଛି ୧୨ ହଜାର ୫ ଶହ ଟନ୍ ଆଳୁ । ତା’ ମଧ୍ୟରେ ବାଲେଶ୍ୱର ପାଇଁ ଦରକାର ହୁଏ ୫ ଶହ ଟନ୍ । ରାଜ୍ୟରେ ନା ଆବଶ୍ୟକ ପରିମାଣର ଆଳୁ ଉତ୍ପାଦନ ହେଉଛି ନା ଉତ୍ପାଦିତ ଆଳୁକୁ ସଂରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ରହିଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ପାଇଁ ଆଳୁ ମିଶନ ତ ଚୁଲିକୁ ଗଲା, ଶୀତଳ ଭଣ୍ଡାର ବ୍ୟବସ୍ଥା ବି ଶିଥିଳ ପଡ଼ିଯାଇଛି। ଏଇ ଯେମିତି ବାଲିଆପାଳ ଅଞ୍ଚଳରେ ପ୍ରସ୍ତାବିତ ଶୀତଳ ଭଣ୍ଡାର। ୨୦୧୭ରୁ ଜମି ଚିହ୍ନଟ ସରିଗଲାଣି ସିନା, ଆଜିକୁ ୭ ବର୍ଷ ହୋଇଗଲା ଶୀତଳ ଭଣ୍ଡାର ଅଧପନ୍ତରିଆ । ଫଳରେ ଆଳୁ ପାଇଁ ଯେଉଁ ପଡ଼ୋଶୀ ରାଜ୍ୟ ଉପରେ ଆମେ ନିର୍ଭରଶୀଳ, ସେହି ରାଜ୍ୟ ଗୁଡ଼ିକ ଏବେ ନିଜ ନିଜର ବ୍ୟାବସାୟିକ ଫାଇଦା ଉଦ୍ଦେଶ୍ୟରେ ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ଏବଂ ଚଢ଼ାଦରରେ ବିକ୍ରି ବି କରୁଛନ୍ତି । ଯାହାର ପରିଣାମ ଭୋଗୁଛନ୍ତି ଓଡ଼ିଶା ଖାଉଟୀ ।

୨୦୧୨ ଠିକ୍ ଏହି ଏପ୍ରିଲ ମାସରେ ପଶ୍ଚିମବଙ୍ଗର ଆଳୁକୁ ନେଇ ଦେଖାଦେଇଥିଲା ଉତ୍କଟ ସ୍ଥିତି । ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିଲେନି ରାଜ୍ୟ ସରକାର । ତେଣୁ ଏବେଠୁ ଯଦି ଦରବୃଦ୍ଧିକୁ ନିୟନ୍ତ୍ରଣ ସହ ପର୍ଯ୍ୟାପ୍ତ ପରିମାଣରେ ଆଳୁ ପରିବହନ କ୍ଷେତ୍ରରେ ସରକାର ପଦକ୍ଷେପ ନନିଅନ୍ତି, ତା’ହେଲେ ରାଜ୍ୟରେ ଉପୁଜିପାରେ ଚିନ୍ତାଜନକ ସ୍ଥିତି ।