Advertisment

ଅର୍ପଣ ଚାଉଳରେ ପୋକ ସାଲୁବାଲୁ; ରହି ଗନ୍ଧେଇ ଲାଣି, ଭକ୍ତ ଓ ସେବାୟତଙ୍କ କ୍ଷୋଭ...

୬ ମାସ ତଳେ ଗାଁ ଗାଁ ବୁଲି ସଂଗୃହୀତ ହୋଇଥିବା ହଜାର ହଜାର କୁଇଣ୍ଟାଲ ଅର୍ପଣ ଚାଉଳର ସ୍ଥିତି କଣ ? ଜଗନ୍ନାଥଙ୍କୁ ସେଥିରେ ଭୋଗ ଲାଗୁଛି ତ ?

undefined

Arpana Chaula

Advertisment

୬ ମାସ ତଳେ ଗାଁ ଗାଁ ବୁଲି ସଂଗୃହୀତ ହୋଇଥିବା ହଜାର ହଜାର କୁଇଣ୍ଟାଲ ଅର୍ପଣ ଚାଉଳର ସ୍ଥିତି କଣ ? ଜଗନ୍ନାଥଙ୍କୁ ସେଥିରେ ଭୋଗ ଲାଗୁଛି ତ ? ଏବେ ପୁଣି ଥରେ ଏ ପ୍ରଶ୍ନ ଏଥିପାଇଁ ମୁଣ୍ଡ ଟେକିଛି, କାରଣ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଫା ସଫା ଶୁଣାଇଛି-ପୋକ ଖିଆ ଚାଉଳରେ ଠାକୁରଙ୍କୁ ଭୋଗ ଲାଗିବନି। ଆଉ ତଥ୍ୟ ନେବାରେ ଜଣାପଡିଛି ପ୍ରାୟ ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳର ଅବସ୍ଥା ଏମିତି। ଯାହାକୁ ନେଇ ଭକ୍ତ ଓ ସେବକଙ୍କ ଅସନ୍ତୋଷ ବଢ଼ିଥିବାବେଳେ ରାଜନୀତି ବି ତେଜିଛି। ପୁରୀ ଜିଲ୍ଲାପାଳ କହିଛନ୍ତି ୫ ତାରିଖରେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ।

Advertisment

ପୋକ ସାଲୁବାଲୁ ହେଲେଣି । ରହି ରହି ଗନ୍ଧେଇ ଲାଣି । ଆଉ ସେଥିରେ ଜଗନ୍ନାଥଙ୍କୁ ଭୋଗ ଲାଗିବାର ପ୍ରଶ୍ନ ଉଠୁନି ।
କାହାକୁ ବାଣ୍ଟିଦିଅ, ନହେଲେ ପୋତି ଦିଅ । ବହୁଚର୍ଚ୍ଚିତ ଅର୍ପଣ ଚାଉଳର ଏଭଳି ଦୁଃସ୍ଥିତିକୁ ନେଇ ଗତକାଲି ସୁଆର-ମହାସୁଆର ନିଯୋଗର ଶ୍ରୀମନ୍ଦିର ପ୍ରଶାସନକୁ ଏମିତି ଚରମବାଣୀ ପରେ ବଢ଼ିଛି ଅସନ୍ତୋଷ। କୁଇଣ୍ଟାଲେ କି ୨ କୁଇଣ୍ଟାଲ ନୁହେଁ, ୧୦ ହଜାର କୁଇଣ୍ଟାଲରୁ ଅଧିକ ଅର୍ପଣ ଚାଉଳର ଆଜି ଏଭଳି ଅବସ୍ଥା। ଆଉ ସେଇ ଚାଉଳରୁ ପାଖାପାଖି ୧୦୦ରୁ ଅଧିକ ବସ୍ତା ଏବେ ବି ଶ୍ରୀମନ୍ଦିରର ଉତ୍ତର ଦ୍ବାର ଓ ପଶ୍ଚିମଦ୍ବାର ଗୁମୁଟରେ ଥାକ ମରା ହୋଇ ଥୁଆ ହୋଇଛି। ଯାହାକି ଆଉ ଠାକୁରଙ୍କୁ ଭୋଗ ଲାଗିପାରିବନି ବୋଲି ସଫା ସଫା କହିଲେଣି ସୁଆର ସେବକ। 

ଗତ ଜାନୁଆରୀ ୧୭ ତାରିଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ସେତେବେଳର ବିଜେଡି ସରକାର, ସେଇ ମାସ ୬ରୁ ୧୬ ତାରିଖ ଯାଏଁ ସାରା ରାଜ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଜଗନ୍ନାଥ ପରିକ୍ରମା ରଥ ବୁଲାଇ ଲୋକଙ୍କଠୁ ସଂଗ୍ରହ କରିଥିଲେ ଅର୍ପଣ ଚାଉଳ। ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଠାକୁରଙ୍କୁ ଭୋଗ ଲାଗିବ। ପ୍ରାୟ ୧୪ ହଜାର କୁଇଣ୍ଟାଲ ଚାଉଳ ରାଜ୍ୟର କୋଣ ଅନୁକୋଣରୁ ପୁରୀ ଆସିଥିଲା। ହେଲେ ଅରୁଆ-ଉଷୁନା ସହ ବାରମିଶା ଚାଉଳ ଥିବାରୁ ତାକୁ ନେଇ ଆପତ୍ତି ଉଠିଥିଲା। କିନ୍ତୁ ପରେ ସେଥିରୁ ପ୍ରାୟ ୪ହଜାର କୁଇଣ୍ଟାଲ ଭଲ ଚାଉଳ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର-ମହାସୁଆର ନିଯୋଗକୁ ଦିଆଯାଇଥିଲା, ଯେଉଁଥିରେ ଖେଚୁଡ଼ି ଭୋଗ କରାଯାଇ ଭକ୍ତଙ୍କୁ ବଣ୍ଟାଯାଉଥିଲା। 

Advertisment

ଏବେ ବି ନିଯୋଗ ପାଖରେ ଆହୁରି ହଜାରେ କୁଇଣ୍ଟାଲ ଚାଉଳ ଏମିତି ଅବସ୍ଥାରେ ଅଛି। ବାକି ୧୦ ହଜାର କୁଇଣ୍ଟାଲ ଗୁଣ୍ଡିଚା ଘର, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ଯୋଗାଣ ବିଭାଗ ଗୋଦାମରେ ପଡ଼ି ନଷ୍ଟ ହେବାର ସୂଚନା ମିଳିଲାଣି। ତେଣେ ଅତି ଶ୍ରଦ୍ଧାରେ ଭକ୍ତ ଦେଇଥିବା ଅର୍ପଣ ଚାଉଳର ଏ ଦୁଃସ୍ଥିତି ପାଇଁ ଭକ୍ତ ଓ ସେବାୟତ ସମସ୍ତେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନର ଦୟିତ୍ବହୀନତାକୁ ଦୋଷ ଦେଇଛନ୍ତି। ତେଣେ ପୁରୀ ଜିଲ୍ଲାପାଳ କହିଛନ୍ତି- ଆସନ୍ତା ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଏପଟେ ହଜାର ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ପୋକ ଖାଇଯିବାକୁ ନେଇ ତେଜିଛି ରଜନୀତି। କଂଗ୍ରେସ କହିଛି ପୂର୍ବ ସରକାର ଲୋକଙ୍କ ଭାବାବେଗ ସହ ଖେଳିଲେ। ସେ ପୋକରା ଚାଉଳରେ ଆଉ ଠାକୁରଙ୍କୁ ଭୋଗ ଲଗାନଯାଇ ନଷ୍ଟ କରି ଦିଆଯାଉ। ତେଣେ ବିଜେଡି କିନ୍ତୁ ସବୁ ଦୋଷ ମନ୍ଦିର ପ୍ରଶାସନ ମୁଣ୍ଡକୁ ଠେଲିଛି, କହିଛି ରକ୍ଷଣାବେକ୍ଷଣ ଅଭାବରୁ ଚାଉଳ ନଷ୍ଟ ହୋଇଗଲା। ସେପଟେ ଆଇନମନ୍ତ୍ରୀ କହିଛନ୍ତି ଅର୍ପଣ ଚାଉଳ ଆଉ ଶ୍ରୀମନ୍ଦିରରେ ବ୍ୟବହାର କରାଯାଇ ପାରିବନି ବୋଲି ସେବାୟତ କହିଲେଣି। ତେଣୁ ଏ ପ୍ରସଙ୍ଗରେ ପରିଚାଳନା କମିଟିର ନିଷ୍ପତ୍ତିକୁ ସରକାର ମାନିବେ।

Advertisment

ଏବେ ଦେଖିବାର କଥା ୬ମାସ ଧରି ପଡ଼ି ପଡ଼ି ନଷ୍ଟ ହେବାକୁ ବସିଥିବା ୧୦ ହଜାର କୁଇଣ୍ଟାଲରୁ ଅଧିକ ଅର୍ପଣ ଚାଉଳର ଭବିଷ୍ୟତ ନେଇ ଆସନ୍ତା ୫ ତାରିଖରେ କି ନିଷ୍ପତ୍ତି ନେଉଛି ଶ୍ରୀମନ୍ଦିର ପରିଚଳନା କମିଟି।

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ