ଦୀର୍ଘ ବର୍ଷ ପ୍ରତୀକ୍ଷାର ହେବ ଅନ୍ତ; ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଆଜି !

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି।

କେବେ ଖୋଲିବ ରତ୍ନଭଣ୍ଡାର: ଆଜି ବଡ଼ ନିଷ୍ପତ୍ତି !

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ନବଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ଦ୍ବିତୀୟ ବୈଠକ। ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ, ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ଧାର୍ଯ୍ୟ ହୋଇପାରେ।

ଦୁଇ ଦିନ ତଳେ କମିଟିର ପ୍ରଥମ ବୈଠକ ପରେ ଜଷ୍ଟିସ୍ ରଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି। ୯ ତାରିଖ ଅର୍ଥାତ୍ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ। ଚାବି ଉପସ୍ଥାପନ ହେଲା ପରେ, ରତ୍ନଭଣ୍ଡାର କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ। ତେବେ ବହୁ ଦଶନ୍ଧିରୁ ଖୋଲା ଯାଇନଥିବା ପୁରୁଣା ତାଲା କଳଙ୍କି କିମ୍ବା ଅନ୍ୟ କୌଣସି କାରଣରୁ ଡୁପ୍ଲିକେଟ ଚାବିରେ ନଖୋଲିଲେ, ତାଲାକୁ ଭାଙ୍ଗି ଦିଆଯିବ।

ଏସବୁ ପ୍ରକ୍ରିୟା କେମିତି କରାଯିବ, ସେନେଇ ଏସ୍ଓପି ପ୍ରସ୍ତୁତ କରି ସରକାରଙ୍କଠାରେ ଉପସ୍ଥାପନ କରାଯିବ। ଅସ୍ଥାୟୀ ଭାବେ ଅଳଙ୍କାର ଗୁଡ଼ିକର ସ୍ଥାନାନ୍ତର, ତାହାର ଗଣତିମଣତି ଏବଂ ରତ୍ନଭଣ୍ଡାର ମରାମତି ସଂପର୍କରେ ମଧ୍ୟ ଆଜି ଧାର୍ଯ୍ୟ ହୋଇପାରେ ମୋଡାଲିଟି।ପୂର୍ବରୁ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ଜଣିଆ କମିଟିକୁ ଭାଙ୍ଗି ରାଜ୍ୟ ସରକାର ଜଷ୍ଟିସ ଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ନୂଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରିଛନ୍ତି। କମିଟି ଗଠନ ପରେ ଏହାର ପ୍ରଥମ ବୈଠକ ଗତ ୬ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

୧୮୦୫ରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ୍ ଗ୍ରୋମ୍ ରତ୍ନଭଣ୍ଡାରର ସମ୍ପଦ, ରତ୍ନ ସହ ଅଳଙ୍କାରର ବିସ୍ତୃତ ତାଲିକା କରାଇଥିଲେ। ସେହି ସମୟରେ ୭୪ ପ୍ରକାର ଅଳଙ୍କାର ସହିତ ମୋଟ ୧୩ଶହ ୩୩ଟି ଦ୍ରବ୍ୟ ଥିଲା। ସେହିପରି ୧୨୮ଟି ସ୍ବର୍ଣ୍ଣମୁଦ୍ରା, ୧୨ଶହ ୯୭ଟି ରୌପ୍ୟମୁଦ୍ରା, ୧୦୬ଟି ତାମ୍ରମୁଦ୍ରା ଓ ୨୪ଟି ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ଥିବା ଦର୍ଶାଯାଇଥିଲା। ଏହାପରେ ୧୯୭୮ରେ ୭୧ ଦିନ ଧରି ପ୍ରସ୍ତୁତ କରାଯାଇଥିଲା ଆଉ ଏକ ତାଲିକା।

୩ ଶ୍ରେଣୀର ଅଳଙ୍କାର ଥିବା ରତ୍ନଭଣ୍ଡାରରେ ସେତେବେଳେ ମୋଟ୍ ୪୫୪ ପ୍ରକାରର ୧୨, ୮୮୩ ଭରିର ସୁନା ଅଳଙ୍କାର, ୨୯୩ ପ୍ରକାରର ୨୨, ୧୫୩ ଭରିର ରୂପା ଅଳଙ୍କାର ଥିଲା। ତା ମଧ୍ୟରେ ଥିଲା ଦିଅଁଙ୍କ ଦୈନନ୍ଦିନ ବ୍ୟବହୃତ ଚଳନ୍ତି ଭଣ୍ଡାରର ୨୯୯ ଭରିରୁ ଅଧିକ ୮ ପ୍ରକାରର ସୁନା ଏବଂ ୨,୬୦୩ ଭରିର ୨୩ ପ୍ରକାରର ରୁପା ସାମଗ୍ରୀ। ତେବେ ଏତେଗୁଡ଼ିଏ ଦୁର୍ଲଭ ଅଳଙ୍କାରର ଗଣତି ମଣତି କିଭଳି ସଠିକ୍ ଭାବେ କରାଯିବ ତାହା ପରିଚାଳନା କମିଟି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍।ଏବେ ଅପେକ୍ଷା, କାଲିର ବୈଠକରେ କି ନିର୍ଯାସ ଆସୁଛି ଏବଂ ରତ୍ନଭଣ୍ଡାର ଖୋଲିବା ପାଇଁ କେଉଁ ତାରିଖ ଧାର୍ଯ୍ୟ ହେଉଛି।